ETV Bharat / state

ପରସ୍ପରକୁ ଧକ୍କା ଦେଇ ଜଳିଗଲା 3 ଟ୍ରକ, 3 ଡ୍ରାଇଭର ଜୀବନ୍ତ ଦଗ୍ଧ

author img

By

Published : Apr 6, 2023, 10:01 AM IST

ଝାରସୁଗୁଡାରେ ମର୍ମନ୍ତୁଦ ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥରେ ପରସ୍ପର ସହ ଧକ୍କା ହୋଇ ଗାଡି ସହ ଜଳିଗଲେ ୩ ଗାଡି ଚାଳକ । ଅଧିକ ପଢନ୍ତୁ

ଝାରସୁଗୁଡାରେ ସିରିଜ ଦୁର୍ଘଟଣା
ଝାରସୁଗୁଡାରେ ସିରିଜ ଦୁର୍ଘଟଣା

ଝାରସୁଗୁଡାରେ ସିରିଜ ଦୁର୍ଘଟଣା

ଝାରସୁଗୁଡ଼ା: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତି ସାଜିଲା କାଳରାତି । ୪୯ନଂ ଜାତୀୟ ରାଜପଥ RTO କାର୍ଯ୍ୟାଳୟ ସମ୍ମୁଖରେ ୨ଟି ଟ୍ରଲର ଓ ଗୋଟିଏ କୋଇଲା ବୋଝେଇ ଟ୍ରକ ଧକ୍କା ହେବାରୁ ୩ଟି ଯାକ ଗାଡି ଜଳିଯାଇଥିବା ବେଳେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଏହାସହ ଅନ୍ୟ ୩ଜଣ ମଧ୍ୟ ଗୁରୁତର ହୋଇଥିବା ବେଳେ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ୨ଟି ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା । ଝାରସୁଗୁଡା ୪୯ ନମ୍ବର ଜାତୀୟ ରାଜପଥରେ ପ୍ରଥରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଧକ୍କା ହେବା ପରେ ଦୁଇଟି ଟ୍ରଲର ଜଳିଯାଇଥିଲା । ଏହାପରେ ପଛପଟୁ ଦ୍ରୁତ ବେଗରେ ଆସି ୧୬ ଚକିଆ ଟ୍ରକ ଟ୍ରଲକୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଥିଲା । ତେବେ ୩ଟି ଗାଡିର ଡ୍ରାଇଭର ଆଉ ଗାଡି ଭିତରୁ ବାହାରି ପାରି ନଥିଲେ । ଫଳରେ ଗାଡିରେ ଫସି ଟ୍ରକ ସହ ସେମାନେ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବରପାଇ ୩ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ନିଆଁକୁ ଆୟତ୍ତ କରିବା ପାଇଁ ପାଖାପାଖି ୧ରୁ ୨ ଘଣ୍ଟା ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: ବିରୋଧ ପରେ ଚେତିଲେ ସରକାର: ବିଧାନସଭା ଢାଞ୍ଚାରେ ପ୍ରତିଷ୍ଠା ହେବ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

ତେବେ ଏହି ଘଟଣାରେ ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ବିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏଭଳି ଭୟାନକ ଦୁର୍ଘଟଣା ଘଟିଲା ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବା ବେଳେ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଜାତୀୟ ରାଜପଥରେ ଏଭଳି ଭୟଙ୍କର ଦୁର୍ଘଟଣା ଯୋଗୁଁ ରାସ୍ତାରେ ଶହ ଶହ ଗାଡି ଅଟକି ରହିଥିଲା । ତେବେ ନିଆଁଲିଭା କାର୍ଯ୍ୟ ଶେଷ ହେବା ପରେ ଗାଡି ଚଳାଚଳ ଆରମ୍ଭ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.