ETV Bharat / state

ବିରୋଧ ପରେ ଚେତିଲେ ସରକାର: ବିଧାନସଭା ଢାଞ୍ଚାରେ ପ୍ରତିଷ୍ଠା ହେବ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

author img

By

Published : Apr 6, 2023, 7:14 AM IST

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ । ବିଧାନସଭା ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୋଳରେ ନିର୍ମାଣ ହେବ ନବଙ୍କ ନୂଆ ପ୍ରତିମୂର୍ତ୍ତି । ଅଧିକ ପଢନ୍ତୁ

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ
ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦ

ଭୁବନେଶ୍ବର: ଅନୁଗୋଳରେ ସ୍ଥାପିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଶେଷରେ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ଅଫିସର ଦଳ ଆଜି(ଗୁରୁବାର) ବାଜି ରାଉତ ଛାତ୍ରାବାସ ଯିବେ । ଅନୁଗୋଳରେ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରାଯିବ । ବିଧାନସଭା ସମ୍ମୁଖରେ ନିର୍ମିତ ପ୍ରତିମୂର୍ତ୍ତି ଢାଞ୍ଚାରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ହେବ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୋଳ ସହରରେ ପୁନଃସ୍ଥାପନ କରାଯିବ ।

ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୋଳ ଲାଗି ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଅନୁଗୋଳ ସ୍ଥିତ ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସର ପୁନଃରୁଦ୍ଧାର ଓ ସଂରକ୍ଷଣ ତଥା ସମୂହ ବିକାଶ ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନେବେ । ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଫିସର ଦଳ ଗୁରୁବାର ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ । ଏହି ଅଫିସର ଦଳରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜକ ଶିଳ୍ପୀ ଜୟନ୍ତ ଦାସ ଅନୁଗୋଳ ଗସ୍ତ କରିବେ ।

ଏହାମଧ୍ୟ ପଢନ୍ତୁ: Padma Awards 2023: 3 ଜଣ ଓଡିଆ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ

ଅନୁଗୋଳରେ ନବକୃଷ୍ଣ ଚୌଧୁରୀଙ୍କ ଯେଉଁ ପ୍ରତିମୂର୍ତ୍ତି ତ୍ରୁଟିପୂର୍ଣ୍ଣ ଭାବେ ନିର୍ମାଣ କରାଯାଇ ସ୍ଥାପନ କରାଯାଇଥିଲା ଏହାକୁ ନେଇ ଅନୁଗୋଳ ସମେତ ସାରା ରାଜ୍ୟରେ ବିବାଦ ଦେଖା ଦେଇଥିଲା । ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତିକୁ ନେଇ ତାଙ୍କ ଝିଅ ସରକାରଙ୍କୁ ସମାଲୋଚନା କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ଯାହାକୁ ନେଇ ଚେପା ହୋଇଥିଲେ ସରକାର ଓ ପ୍ରଶାସନ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତି ତ୍ରୁଟିପୂର୍ଣ୍ଣ ପ୍ରତିମୂର୍ତ୍ତି ହଟାଇ ଦିଆଯାଇଛି । ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହୋଇସାରିଲେ ତାହା ପୁନଃସ୍ଥାପିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.