ETV Bharat / state

ଜିନ୍ଦଲ କାରଖାନା ସମ୍ମୁଖରେ ଶତାଧିକ ବିସ୍ଥାପିତ ପରିବାରଙ୍କ ବିକ୍ଷୋଭ

author img

By

Published : Nov 8, 2022, 10:57 PM IST

ଜିନ୍ଦଲ କାରଖାନା ସମ୍ମୁଖରେ ଶତାଧିକ ବିସ୍ଥାପିତ ପରିବାରଙ୍କ ବିକ୍ଷୋଭ
ଜିନ୍ଦଲ କାରଖାନା ସମ୍ମୁଖରେ ଶତାଧିକ ବିସ୍ଥାପିତ ପରିବାରଙ୍କ ବିକ୍ଷୋଭ

ଉତ୍କଟ ହେବାରେ ଲାଗିଛି ବିସ୍ଥାପିତ ପରିବାରଙ୍କ ସମସ୍ୟା। ନା ମିଳୁଛି ରୋଜଗାର ନା ଫେରି ପାଉଛନ୍ତି ଜାଗାବାଡ଼ି । ଏନେଇ ଅସନ୍ତୋଷ ପ୍ରକାଶ କରି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଜିନ୍ଦଲ ଷ୍ଟେନଲେସ୍ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିସ୍ଥାପିତ ପରିବାର। ଅଧିକ ପଢ଼ନ୍ତୁ

ଯାଜପୁର : ଉତ୍କଟ ହେବାରେ ଲାଗିଛି ବିସ୍ଥାପିତ ପରିବାରଙ୍କ ସମସ୍ୟା। ନା ମିଳୁଛି ରୋଜଗାର ନା ଫେରି ପାଉଛନ୍ତି ଜାଗାବାଡ଼ି । ଏନେଇ ଅସନ୍ତୋଷ ପ୍ରକାଶ କରି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଜିନ୍ଦଲ ଷ୍ଟେନଲେସ୍ କାରଖାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି ବିସ୍ଥାପିତ ପରିବାର । ଦୀର୍ଘବର୍ଷ ହେବ ଏହି ବିସ୍ଥାପିତ ପରିବାରଙ୍କଠାରୁ ଜିନ୍ଦଲ ଷ୍ଟେନଲେସ୍ କାରଖାନା ସେମାନଙ୍କ ମୌଳିକ ଅଧିକାର ଛଡ଼ାଇ ନେଇଛି । ଫଳରେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ବିସ୍ଥାପିତ ପରିବାର ।

ଜିନ୍ଦଲ କାରଖାନା ସମ୍ମୁଖରେ ଶତାଧିକ ବିସ୍ଥାପିତ ପରିବାରଙ୍କ ବିକ୍ଷୋଭ

ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଜିନ୍ଦଲ ଷ୍ଟେନ୍‌ଲେସ୍ କାରଖାନାରେ ବିସ୍ଥାପିତ ପରିବାରଙ୍କ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଏହି କାରଖାନାରୁ ବିସ୍ଥାପିତ ହୋଇଥିବା ପରିବାର ସଦସ୍ୟଙ୍କୁ କାରଖାନାରେ ସ୍ଥାୟୀ ନିଯୁକ୍ତି, ଠିକାଦାରି ଯୋଗାଇ ଦେବା ସହ ତ୍ରିଜଙ୍ଗା ବିସ୍ଥାପିତ କଲୋନୀର ଭିତ୍ତିଭୂମିର ବିକାଶ ପାଇଁ ବାରମ୍ବାର ଦାବି ହୋଇଆସୁଛି ।

ମାତ୍ର କାରଖାନା କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରୁନଥିବା ବିସ୍ଥାପିତ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିସ୍ଥାପିତ କଲୋନୀରେ ଲୋକଙ୍କୁ ଥଇଥାନ କରାଯାଇଥିଲା । ଏହି ଅଞ୍ଚଳ ଲୋକେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏଠାରେ ପାର୍କ, ଖେଳପଡିଆ, ରାସ୍ତାଘାଟ, ପାନୀୟ ଜଳ, ରାସ୍ତା ଆଲୋକ ପ୍ରଭୃତି ମୌଳିକ ସୁବିଧା ସଠିକ୍ ଭାବେ ଉପଲବ୍ଧ ହେଉନଥିବା ବିସ୍ଥାପିତ ପରିବାରମାନେ ଅଭିଯୋଗ କରିଛନ୍ତି ।

ନିଯୁକ୍ତି ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବିରେ ବିସ୍ଥାପିତ ପରିବାର ଲୋକେ ଆଜି କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିରହିଛନ୍ତି । ସେପଟେ ଏହି ଆନ୍ଦୋଳନକୁ ସ୍ତଗିତ କରିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବ ବୋଲି ଜିନ୍ଦଲ ବିସ୍ଥାପିତ ପରିବାର ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଏ ସମ୍ପର୍କରେ ବିସ୍ଥାପିତ ପରିବାରର ସଦସ୍ୟା ମମତା ମହାକୁଡ଼ କହିଛନ୍ତି,''ମୋ ସ୍ବାମୀଙ୍କ ମୃତ୍ୟୁ ହେବାପରେ ଜିନ୍ଦଲ କମ୍ପାନୀ ସବୁକିଛି ବୁଝିବ ବୋଲି କହିଥିଲା । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଜିନ୍ଦଲ କମ୍ପାନୀ ପ୍ରତିଶୃତି ଦେଇ ଭୁଲିଯାଇଛି । ଏବେ ମୁଁ ମୋ ଛୁଆ ବହୁ କଷ୍ଟରେ ଚଳୁଛୁ । ଛୁଆ ଏବେ ବଡ଼ ହୋଇଗଲେଣି । ସେମାନଙ୍କ ପାଠପଢ଼ା ପାଇଁ ଟଙ୍କା ନାହିଁ । ୫, ୬ ହଜାର ଟଙ୍କା ଦେଇ ଭୁଆଁ ବୁଲାଉଛି ଜିନ୍ଦଲ କମ୍ପାନୀ । ଆମଠୁ ଆମ ଜାଗାବାଡ଼ି ନେଇ ଆଉ ଧରାଛୁଆଁ ଦେଉନି ଜିନ୍ଦଲ କମ୍ପାନୀ । ନା ମିଳୁଛି ଚାକିରି, ନା କୌଣସି ଆର୍ଥିକ ସହାୟତା ।''

ସେହିପରି ବିସ୍ଥାପିତ ପରିବାରର ସଦସ୍ୟା ସସ୍ମିତା ପାତ୍ର କହିଛନ୍ତି, ''ଆମର ବହୁତ ଅସୁବିଧା ହୋଇଛି । ଜିନ୍ଦଲ କମ୍ପାନୀ କିଛି ବୁଝୁନି । ଆମ ଗାଁରେ ବେକାରୀ ସମସ୍ୟା ବଢ଼ିବାରେ ଚାଲିଛି । ପିଲାମାନେ ସବୁ ପାଠ ପଢ଼ି ଘରେ ବେକାର ହୋଇ ବସିଛନ୍ତି । ସେହିପରି ବିଧବା ମହିଳାଙ୍କୁ ମଧ୍ୟ କମ୍ପାନୀ କିଛି ସାହାଯ୍ୟ କରୁନାହିଁ । ଏନେଇ ଆମେ ବାରମ୍ବାର ଜିଲ୍ଲାପାଳ, ଏସପି, ଏଡିଏମଓ ସମସ୍ତଙ୍କୁ ଜଣାଇଛୁ ହେଲେ କେହି ଆମ ଦୁଃଖ ଶୁଣୁନାହାଁନ୍ତି । ଜିଲ୍ଲାପାଳ, ଏସପି, ଏଡିଏମଓ କହିଥିଲେ ୭ଦିନ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ହେବ। ହେଲେ ଇତି ମଧ୍ୟରେ ୭ଦିନ ବିତିଗଲାଣି କିନ୍ତୁ କୌଣସି ସୁଫଳ ମିଳିଲାନି । ତେଣୁ ଆମେ ବାଧ୍ୟ ହୋଇ ଆଜି ଧାରଣା ଦେଇଛୁ ।''

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.