ETV Bharat / state

ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କୁ ମିଳିଲା ଜାମିନ, ସରକାରୀ ଜମିରୁ ମାଟି ଚୋରାଚାଲାଣ ଅଭିଯୋଗରେ ହୋଇଥିଲେ ଗିରଫ

author img

By

Published : Jun 26, 2023, 8:50 PM IST

ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କୁ ମିଳିଲା ଜାମିନ
ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କୁ ମିଳିଲା ଜାମିନ

ଯାଜପୁର ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ଚଣ୍ଡିଖୋଲ କୋର୍ଟ । ସରକାରୀ ଜମିରୁ ମୋରମ ଓ ମାଟି ଚୋରାଚାଲାଣ ଅଭିଯୋଗରେ ଗତ ଜୁନ୍‌ ୧୪ରେ ଗିରଫ ହୋଇଥିଲେ ସର୍ବେଶ୍ବର । ଅଧିକ ପଢ଼ନ୍ତୁ

ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କୁ ମିଳିଲା ଜାମିନ

ଯାଜପୁର: ଧର୍ମଶାଳା ଅଞ୍ଚଳର ଜଣାଶୁଣା ସୂଚନା ଅଧିକାରକର୍ମୀ ସର୍ବେଶ୍ବର ବେହୁରାଙ୍କୁ ମିଳିଲା ଜାମିନ । ଆଜି ସର୍ବେଶ୍ବରଙ୍କୁ ଜାମିନ ପ୍ରଦାନ କରିଛନ୍ତି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଦୌରାଜଜ୍ ସୌଭାଗ୍ୟ ରଞ୍ଜନ ସ୍ବାଇଁ । ଜଣେ ଜାମିନଦାର ଏବଂ ୩୦ ହଜାର ଟଙ୍କାର ଜମାନତ ବଦଳରେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାରେ ସରକାରୀ ଜମିରୁ ମୋରମ ଓ ମାଟି ଚୋରାଚାଲାଣ ଅଭିଯୋଗରେ ଗତ ଜୁନ୍‌ ୧୪ ତାରିଖରେ ଗିରଫ ହୋଇଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା । ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ଅଭିଯୋଗ ପରେ ପୋଲିସ ସର୍ବେଶ୍ବରଙ୍କୁ ଗିରଫ କରିଥିଲା । ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାର ଏକ ସରକାରୀ ଜମିରୁ ମୋରମ ଓ ମାଟି ଉଠାଯାଉଥିବା ବେଳେ ଖବର ପାଇ ଧର୍ମଶାଳା ତହସିଲ ଓ ପୋଲିସ ପ୍ରଶାସନ ଚଢ଼ାଉ କରିଥିଲା । ଏହି ସମୟରେ ଜେସିବି ମେସିନ ସହ ୫ଟି ଟ୍ରାକ୍ଟର ଜବତ କରାଯାଇଥିଲା । ତେବେ ସର୍ବେଶ୍ବରଙ୍କ ଜମିରେ ଏହି ମୋରମ ଓ ମାଟି ପକାଯିବା ପାଇଁ ବେଆଇନ ଭାବେ ଉଠାଯାଉଥିବା ଜଣାପଡିବା ପରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ ସର୍ବେଶ୍ବରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ସର୍ବେଶ୍ବରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ଆଜି ଚଣ୍ଡିଖୋଲ କୋର୍ଟର ଅତିରିକ୍ତ ଦୌରାଜଜ୍ ସର୍ବେଶ୍ବରଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ପ୍ରକାଶ ଯୋଗ୍ୟ, ଗତ କିଛିଦିନ ତଳେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କୁ ରଗଡି ଜେଲରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭେଟିଥିଲେ । ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ଘଟଣାର ସଠିକ ତଦନ୍ତ ପାଇଁ ଦାବି କରିଥିଲେ । ସେହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ ସାମଲ କହିଥିଲେ, "ସରକାର ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସାହାରା ଦେଉଛନ୍ତି । ହେଲେ ନିରୀହ ଲୋକଙ୍କୁ ଫସାଇ ସରକାର କୁତ୍ସିତ ପଣିଆର ପରିଚୟ ଦେଇଛନ୍ତି । ଧର୍ମଶାଳା ତହସିଲ ଅଞ୍ଚଳରେ ବିଭିନ୍ନ ବେଆଇନ କାର୍ଯ୍ୟ ଓ ଦୁର୍ନୀତି ବିରୋଧରେ ସର୍ବେଶ୍ବର ଲଢ଼ୁଥିଲେ । ସେଥିପାଇଁ ତାଙ୍କୁ ଗିରଫ୍ କରାଯାଇ ଜେଲ ହାଜତକୁ ପଠାଯାଇଛି । କେବଳ ଧର୍ମଶାଳା ନୁହେଁ, ସାରା ରାଜ୍ୟରେ ବିଜେଡି ସରକାର ଏଭଳି କୁତ୍ସିତ ଏବଂ ନିନ୍ଦନୀୟ କାର୍ଯ୍ୟ କରୁଥିବା ଲୋକଙ୍କ ଦୃଷ୍ଟିକୁ ଆସି ସାରିଛି ।" ଆଗାମୀ ଦିନରେ ଏହା ବିରୋଧରେ ବିଜେପି ସ୍ବର ଉତ୍ତୋଳନ କରିବ ବୋଲି ଚେତାବନୀ ଦେଇଥିଲେ ମନମୋହନ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.