ETV Bharat / state

ଏଥର ମଧ୍ୟ ଫିକା ପଡିଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ

author img

By

Published : Feb 13, 2022, 6:53 AM IST

ଏଥର ମଧ୍ୟ ଫିକା ପଡିଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ
ଏଥର ମଧ୍ୟ ଫିକା ପଡିଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ

ଶନିବାର ଥିଲା ପବିତ୍ର ଭୈମ ଏକାଦଶୀ । ଏହି ପବିତ୍ର ତିଥିରୁ ହିଁ ଆରମ୍ଭ ହୋଇଥାଏ ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ । ମାତ୍ର କୋରୋନା ପାଇଁ ଚଳିତ ବର୍ଷ ମଧ୍ୟ ଫିକା ପଡିଛି ପର୍ବ । ଅଧିକ ପଢନ୍ତୁ

ଯାଜପୁର: ଶନିବାର ଥିଲା ପବିତ୍ର ଭୈମ ଏକାଦଶୀ । ଏହି ପବିତ୍ର ତିଥିରୁ ହିଁ ଆରମ୍ଭ ହୋଇଥାଏ ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ । ପ୍ରତିବର୍ଷ ପୌର ପରିଷଦ ପକ୍ଷରୁ ଆୟୋଜିତ ହୋଇଆସୁଥିବା ବ୍ୟାସ ମହୋତ୍ସବ କୋରୋନା ପାଇଁ ସମ୍ପୂର୍ଣ୍ଣ ବାତିଲ ହୋଇଛି । କେବଳ କିଛି ସୀମିତ ସଂଖ୍ୟକ ଭକ୍ତ ପୀଠକୁ ଆସି ଦିଅଁ ଦର୍ଶନ କରିବା ସହିତ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜନ କରୁଛନ୍ତି ।

ଏଥର ମଧ୍ୟ ଫିକା ପଡିଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ

ମନ୍ଦିରରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି । ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ପୁରାଣ ପ୍ରସିଦ୍ଧ ପୀଠ କୋରୋନା ପାଇଁ ଖାଁ ଖାଁ ପରି ଲାଗୁଛି । ଏହି ଭୌମ ଏକାଦଶୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସି ଦର୍ଶନ କରିବା ସହ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜନ କରିଥାନ୍ତି । ବିଶ୍ବାସ ରହିଛି ଏଠାରେ ଯାହା ମନସ୍କାମନା କରାଯାଏ ତାହା ଅବିଳମ୍ବେ ପୂରଣ ହୁଏ ।

ସେଥିପାଇଁ ଦିଅଁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟିଥାଏ ଶ୍ରଦ୍ଧାଳୁଙ୍କ ସୁଅ । ବିଗତ 15 ବର୍ଷ ଧରି ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ବ୍ୟାସସରୋବର ମେଳା, ବ୍ୟାସ ମହୋତ୍ସବ ରୂପେ ପାଳିତ ହୋଇଆସୁଥିଲା । ଯେଉଁ ମେଳାରେ ଦୋଳି ଓ ମୀନାବଜାର ଖୋଲିବା ସହ ଭେଳିକି ଭେଳି ଷ୍ଟଲ ମାନ ସ୍ଥାନ ପାଇଥାନ୍ତି । ନାମିଦାମୀ କଳାକାର ଓ ସିନେତାରକାଙ୍କ ଦ୍ବାରା ପ୍ରତିଟି ସନ୍ଧ୍ୟାରେ ଆୟୋଜିତ ହୋଇଥାଏ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ମାତ୍ର ଗତବର୍ଷ ପରି ଏଥର ମଧ୍ୟ କୋରୋନା ଯୋଗୁଁ ସବୁକିଛି ବାତିଲ୍ କରାଯାଇଛି । କେବଳ କଟକଣା ମଧ୍ୟରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଉଛି ।

ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡିଆ ମହାଭାରତର ଭାରଦା ଉପାଖ୍ୟାନରେ ବ୍ୟାସସରୋବର ପୀଠର ମହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି । ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ୟୋଧନ ଏକଦା ଏଠାରେ ଥିବା ଗୁପ୍ତଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ତୃତୀୟ ରଡି ସହି ନପାରି ସେ ଯୁଦ୍ଧକ୍ଷେତ୍ରକୁ ବାହାରି ଆସିଥିଲେ ଏବଂ ଏହିଠାରେ ପାଣ୍ଡବଙ୍କ ନିକଟରେ ପରାସ୍ତ ହୋଇଥିଲେ । ଦୁର୍ଯ୍ୟୋଧନଙ୍କ ଜାନୁଭଗ୍ନ ପରେ ସେ ନିଧନ ହୋଇଥିଲେ । ବ୍ୟାସଦେବ ଏଠାରେ ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ବାସ କରାଯାଏ । ପୀଠ ହେଉଛି ମହର୍ଷି ବ୍ୟାସଙ୍କ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ । ପୀଠର ପୌରାଣିକ କିମ୍ବଦନ୍ତୀକୁ ଉଜ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉ ଏଠାରେ ଏକତ୍ର ପୂଜା ପାଇବାର ନିଆରା ପରମ୍ପରା ରହିଆସିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.