ETV Bharat / state

ଏରସମାର ପୂର୍ବତନ ବିଡ଼ିଓଙ୍କୁ ୩ ବର୍ଷ ଜେଲ୍

author img

By

Published : Apr 28, 2023, 7:48 AM IST

ଏରସମାର ପୂର୍ବତନ ବିଡ଼ିଓଙ୍କୁ ୩ ବର୍ଷ ଜେଲ୍
ଏରସମାର ପୂର୍ବତନ ବିଡ଼ିଓଙ୍କୁ ୩ ବର୍ଷ ଜେଲ୍

ଲାଞ୍ଚ ମାମଲାରେ ଏରସମାର ପୂର୍ବତନ ବିଡ଼ିଓଙ୍କୁ ୩ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା । ଅଧିକ ପଢନ୍ତୁ

ଜଗତସିଂହପୁର: ପୂର୍ବତନ ବିଡିଓଙ୍କୁ 3 ବର୍ଷ ଜେଲ୍ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ବିଡ଼ିଓ ତଥା ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରାଙ୍କୁ 3 ବର୍ଷ ଜେଲଦଣ୍ଡ ମିଳିଛି । 50 ହଜାର ଟଙ୍କା ଲାଞ୍ଚ ମାମଲାରେ ତାଙ୍କୁ 3 ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ 5 ହଜାର ଟଙ୍କାର ଜରିମାନା ରାୟ ଶୁଣାଇଛନ୍ତି ଓଡ଼ିଶା ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟ ।

ସୂଚନା ଅନୁସାରେ, 2015 ମସିହାରେ ଏରସମା ବ୍ଲକର ପୂର୍ବତନ ବିଡ଼ିଓ କୈଳାସ ଚନ୍ଦ୍ର ବେହେରା ରାଉରକେଲା ତହସିଲଦାର ଭାବେ କାର୍ଯ୍ୟ କରୁଥିବା ସମୟରେ ଏକ ଜମିଜମା ଲିଜକୁ ନେଇ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକି ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ପରେ ସେ ଜାମିନରେ ବାହାରକୁ ଆସିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଭିଜିଲାନ୍ସ ତାଙ୍କ ନାମରେ ମାମଲା ରୁଜୁ କରିଥିଲା । 2016 ମସିହାରେ କୈଳାସ ଚନ୍ଦ୍ର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକକୁ ବିଡ଼ିଓ ଭାବେ ନିଯୁକ୍ତ ହୋଇଥିଲେ । ଏରସମା ବ୍ଲକରେ ସେ ଦୀର୍ଘ 7 ବର୍ଷ ରହିବା ପରେ ସେଠାରେ ମଧ୍ୟ ବହୁ ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା ।

ଏରସମା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅନେକ ଉନ୍ନୟନମୂଳକ କାର୍ଯ୍ୟରେ 24 କୋଟି ଟଙ୍କାର ମିଥ୍ୟା ବିଲ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ଜଣାପଡିବା ପରେ ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ବିରୋଧରେ ତଦନ୍ତ ପାଇଁ ପଞ୍ଚାୟତରାଜ ବିଭାଗ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁର୍ନୀତି ଘଟଣାରେ ତଦନ୍ତ କରିବା ସମୟରେ ବିଡ଼ିଓଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା । ଫଳରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୈଳାସ ଚନ୍ଦ୍ର ବେହେରାଙ୍କୁ ବଦଳି କରିବା ପାଇଁ ଦାବି ଉଠିଥିଲା । ଦାବି ଜୋରଦାର ହେବାରୁ ସରକାର ତାଙ୍କୁ ଗତ ତିନି ମାସ ତଳେ ଭୁବନେଶ୍ୱର ଲୋକସେବା ଭବନକୁ ସ୍ଥାନାନ୍ତର କରିଥିଲେ ।

ଲାଞ୍ଚ ମାମଲାର ଶୁଣାଣି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ବିଡିଓଙ୍କୁ ୩ ବର୍ଷ ଜେଲ୍ ସହ ୫ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ଆସିବା ପରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ପ୍ରତି ଏହା ଏକ ଛାଟ ବୋଲି କୁହାଯାଉଛି । ସରକାରୀ ବାବୁମାନେ ଲାଞ୍ଚ ନେଇ ଧରାପଡିବା କିଛି ନୂଆ କଥା ନୁହେଁ । କିନ୍ତୁ ବହୁ ଦୁର୍ନୀତିରେ ସମ୍ପୃକ୍ତ କୈଳାସ ଚନ୍ଦ୍ର ବେହେରାଙ୍କୁ 3 ବର୍ଷ ଜେଲ ଦଣ୍ଡାଦେଶ ଦୁର୍ନୀତି ବିରୋଧରେ ଏକ ଶକ୍ତ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.