ETV Bharat / state

ପାରାଦ୍ୱୀପରେ ଉଡ଼ିଲେ ବିଦେଶୀ ପକ୍ଷୀ, ଗଣନା ଆରମ୍ଭ କଲା ବନ ବିଭାଗ

author img

By

Published : Jan 6, 2023, 9:06 PM IST

ଜଗତସିଂହପୁର କୁଜଙ୍ଗ ବନଖଣ୍ଡ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ବନ ବିଭାଗର ୪ଟି ସ୍ବତନ୍ତ୍ର ଟିମ ପକ୍ଷୀ ଗଣନା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ୨୦ ହଜାରରୁ ଅଧିକା ପକ୍ଷୀ ଆସିଥିବାବେଳେ ସେମାନଙ୍କୁ ଶିକାରୀ କବଳରୁ ସୁରକ୍ଷା ଦେବାକୁ ବ୍ଯାପକ ବ୍ୟବସ୍ଥା ଗ୍ରହଣ କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

କୁଜଙ୍ଗ ବନଖଣ୍ଡ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ
କୁଜଙ୍ଗ ବନଖଣ୍ଡ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ

କୁଜଙ୍ଗ ବନଖଣ୍ଡ ଅଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ

ଜଗତସିଂହପୁର: ଜିଲ୍ଲା କୁଜଙ୍ଗ ବନଖଣ୍ଡ ଅଞ୍ଚଳରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ପାରାଦ୍ବୀପ ପିପିଏଲ ପରିସରରେ ଥିବା ଜଳାଶୟ ଆଦି ଅଞ୍ଚଳରେ ବନ ବିଭାଗର ୪ଟି ସ୍ବତନ୍ତ୍ର ଟିମ ପକ୍ଷୀ ଗଣନା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ୨୦ ହଜାରରୁ ଅଧିକ ପକ୍ଷୀ ଆସିଥିବାବେଳେ ସେମାନଙ୍କ ମଧ୍ୟରେ ବିରଳ ପ୍ରଜାତିର ବିଦେଶୀ ପକ୍ଷୀଙ୍କୁ ଠାବ କରାଯାଇଛି । ଶିକାରୀଙ୍କ କବଳରୁ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

କୁଜଙ୍ଗ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ପାଇଁ ୪ଟି ସ୍ବତନ୍ତ୍ର ଟିମ ନିୟୋଜିତ କରାଯାଇଛି । ଏହି ୪ଟି ଟିମରେ ୨୨ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି ୪ଟି ଟିମ୍‌ ମଧ୍ୟରୁ ପାରାଦ୍ବୀପରେ ଗୋଟିଏ ଟିମ୍‌ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରିଥିବାବେଳେ ଅନ୍ୟ ଟିମ୍‌ ବାଲିକୁଦା ଅଞ୍ଚଳର ଦେବୀନଦୀ ମୁହାଣ ହାୱାଖାନା, ବାଲିକୁଦା ବନ୍ଦର ଓ ଜଟାଧାରୀ ଅଞ୍ଚଳରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଶେଷ କରି ପାରାଦ୍ବୀପକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ବିଦେଶରୁ ମଧ୍ୟ ହଜାରହଜାର ପକ୍ଷୀ ଆସୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ୨୦ ହଜାରରୁ ଊର୍ଦ୍ଧ୍ବ ପକ୍ଷୀ ଆସିଥିବା କୁଜଙ୍ଗ ବନ ଅଧିକାରୀ ପ୍ରକାଶ କରିଛନ୍ତି । ପ୍ରତି ବର୍ଷ ଶୀତ ଋତୁ ଆରମ୍ଭରେ ପାରାଦ୍ବୀପରେ ବିଭିନ୍ନ କିସମର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ । ସ୍ଥାନ ଅନୁକୂଳ ଥିବାରୁ ବିଦେଶୀ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଶିକାରୀଙ୍କ କବଳରୁ ପକ୍ଷୀଙ୍କୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବନ ଅଧିକାରୀ କହିଛନ୍ତି ।

ସେପଟେ ଆସନ୍ତା ଜାନୁଆରୀ ୮ରୁ ହୀରାକୁଦ ଜଳଭଣ୍ତାରରେ ଚଳିତ ବର୍ଷର ପକ୍ଷୀଗଣନା ଆରମ୍ଭ ହେବ ବୋଲି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଜିଲ୍ଲାର ହୀରାକୁଦ ଜଳଭଣ୍ତାର ଅଞ୍ଚଳରେ ପକ୍ଷୀ ଗଣନା କରାଯିବ । ଏହି ଗଣନାରେ ୩୫ଟି ମତ୍ସ୍ୟଜୀବୀ ଡଙ୍ଗା ବ୍ୟବହାର ହେବ । ଏହାସହ ଏଥିରେ ପକ୍ଷୀ ବସା ଉପରେ ଅଭିଜ୍ଞ ଥିବା ମତ୍ସ୍ୟଜୀବୀ ମଧ୍ୟ୍ୟ ସାମିଲ ହେବେ । ତେବେ ଦିନକ ପୁର୍ବରୁ ଜଳଭଣ୍ତାର ଭିତରକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ବାରଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ହୀରାକୁଦ ଡ୍ୟାମଠାରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ପକ୍ଷୀ ଗଣନା ହେବ । ଏଥିପାଇଁ ହୀରାକୁଦ ଜଳଭଣ୍ଡାରକୁ ୧୫ଟି ସେକ୍ଟରରେ ବିଭାଜନ କରାଯାଇଛି । ଏଥର ପକ୍ଷୀ ଗଣନା ପାଇଁ ୩୦ଟି ଟିମ୍‌ ଗଠନ ହୋଇଥିବା ବେଳେ ପ୍ରତ୍ୟେକ ଟିମ୍‌ରେ ଜଣେ ବରିଷ୍ଠ ଅଧିକାରୀ ଓ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞ ରହିବେ । ଏହି ଗଣନାରେ ୬୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ସାମିଲ ହେବେ । ହୀରାକୁଦ ଜଳଭଣ୍ଡାରର ୮ଟି ସ୍ଥାନରୁ ପକ୍ଷୀ ଗଣନାରେ ନିୟୋଜିତ ବନ ବିଭାଗ କର୍ମଚାରୀ ଓ ବିଶେଷଜ୍ଞ ଭୋର ୫ଟାରୁ ବାହାରିବେ । ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଗଣନା ଚାଲିବ ବୋଲି ସୂଚନା ଦିଆଯାଇଛି । ଏହି ଟିମ୍‌ଗୁଡିକ ବାଇନାକୁଲାର ଓ ଲାଇଫ ଜ୍ୟାକେଟ ବ୍ୟବହାର କରିବେ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.