ETV Bharat / state

‘ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୁରନ୍ତ ଛାଡ, ନହେଲେ ରାସ୍ତାକୁ ଓହ୍ଲାଇବୁ’ - BJP Demands Release Of Prashant

author img

By ETV Bharat Odisha Team

Published : May 26, 2024, 6:30 PM IST

BJP Demands Release Of Prashant Jagdev: ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ନେଇ ବିଜେପି ଆଣିଲା ଅଭିଯୋଗ । ପ୍ରଶାନ୍ତଙ୍କୁ ତୁରନ୍ତ ମୁକ୍ତ କରା ନଗଲେ ସୋମବାର ଦିନ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ । ଅଧିକ ପଢ଼ନ୍ତୁ

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ବିଜେପିର ବିରୋଧ
ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ବିଜେପିର ବିରୋଧ (ETV Bharat Odisha)

ଖୋର୍ଦ୍ଧା: ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ବିଜେପିର ବିରୋଧ । ପ୍ରଶାନ୍ତ ଇଭିଏମ ଭାଙ୍ଗି ନଥିବା କହିବା ସହ ବୁଥର ସିସିଟିଭି ଯାଞ୍ଚ କରିବାକୁ ଦାବି କରାଯାଇଥିବା ବେଳେ ସେଭଳି କିଛି ନକରି ତାଙ୍କୁ କାହିଁକି ଗିରଫ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଏହାସହ ପ୍ରଶାନ୍ତକୁ ତୁରନ୍ତ ମୁକ୍ତ ନକଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ବିଜେପି ।

ସୂଚନା ଅନୁସାରେ, ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ବୋଲଗଡ କାଉଁରିପାଟଣା ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭାଙ୍ଗିବାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାର ମାତ୍ର କିଛି ସମୟ ଭିତରେ ପୋଲିସ ବେଗୁନିଆ ନିକଟରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାଂସଦ ଅପରାଜିତାଙ୍କ ଗାଡ଼ିରୁ ଉଠାଇ ବୋଲଗଡ ଥାନାକୁ ନେଇଥିଲା । ସେଠାରେ ପ୍ରଶାନ୍ତ ଜଗଦ୍ଦେବ ଧାରଣା ଦେବା ସହିତ ବୁଥରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଦାବି କରିଥିଲେ । କିନ୍ତୁ ପୋଲିସ ତାଙ୍କ ଦାବିକୁ ଗୁରୁତ୍ବ ନଦେଇ ବୋଲଗଡ ଥାନାରୁ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ରିଜର୍ଭ ପୋଲିସ ବାରାକ ଭିତରେ ରଖିଥିଲା । ଆଉ ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେଲକୁ ପଠାଇଥିଲା । ତେବେ ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ଏକ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି କହିଛି ବିଜେପି ।

ଖୋର୍ଦ୍ଧାର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧାର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବରିଷ୍ଠ ବିଜେପି ନେତ୍ରୀ ବାସନ୍ତି ମହାପାତ୍ରଙ୍କ ଉପସ୍ଥିତିରେ ଭୁବନେଶ୍ବର ଲୋକସଭାର ପ୍ରଭାରୀ ଜୀବନ ସାହୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଷଡଯନ୍ତ୍ର କରି ମିଥ୍ୟା ଆରୋପ ଲଗାଇ ଗିରଫ କରିଥିବାର ଅଭିଯୋଗ ଆଣିଛନ୍ତି । ଘଟଣାର କୌଣସି ତଦନ୍ତ ନକରି ବିନା ଏତଲାରେ ଗିରଫ କରିଥିବା କହିଛନ୍ତି । କାଉଁରିପାଟଣା ବୁଥର ପ୍ରିଜାଇଣ୍ଡିଂ ଅଫିସର ବୁଥରେ ଭୋଟ କରାଉଥିବା ବେଳେ କୌଣସି ଏତଲା କରିନଥିବା ବେଳେ ପ୍ରଶାନ୍ତଙ୍କୁ କିଭଳି ଏବଂ କେଉଁ ଆଧାରରେ ଗିରଫ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ପ୍ରଶାନ୍ତ ଇଭିଏମ ଭାଙ୍ଗି ନଥିବା କହିବା ସହିତ ବୁଥର ସିସିଟିଭି ଯାଞ୍ଚ କରିବାକୁ ଦାବି କରୁଥିବା ବେଳେ ସେଭଳି କିଛି ନକରି ତାଙ୍କୁ କିଭଳି ଗିରଫ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ - PRASHANT JAGDEV ARREST

ତେଣୁ ଆସନ୍ତାକାଲି (ସୋମବାର) ସୁଦ୍ଧା ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିର୍ଦ୍ଦୋଷରେ ଖଲାସ କରା ନ ଗଲେ ସକାଳ ୧୦ଟାରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ଜାତୀୟ ରାଜପଥ ଅବରୋଧ କରାଯିବ । ପରେ ଖୋର୍ଦ୍ଧା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା । ବୁଥରେ ଲାଗିଥିବା ସିସିଟିଭି ଫୁଟେଜକୁ ସାର୍ବଜନୀନ କରିବା ପାଇଁ ଦାବି କରିଛି ବିଜେପି । ସେହିଭଳି ପ୍ରଶାନ୍ତ କିଛିଦିନ ପୂର୍ବରୁ ଖୋର୍ଦ୍ଧା ଏସଡିପିଓ ବିଜେଡି ଏଜେଣ୍ଟ ସାଜି କାମ କରୁଥିବା ଅଭିଯୋଗ ଆଣିଥିଲେ । ପୋଲିସ ଅଭିଯୋଗ ଆସୁ ଆସୁ କୌଣସି ତଦନ୍ତ ନକରି ଉଦ୍ଦେଶ୍ୟ ମୂଳକ ଭାବେ ଜଗଦ୍ଦେବଙ୍କୁ ଗିରଫ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।


ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.