ETV Bharat / politics

ନିର୍ବାଚନ ରଣକ୍ଷେତ୍ରରେ ଅଶୋକ ଦାସ, ବାସୁଦେବପୁରରେ ବାଜି ମାରିବ କି କଂଗ୍ରେସ ? - Congress Election Campaign

author img

By ETV Bharat Odisha Team

Published : May 26, 2024, 7:22 PM IST

Ashok Kumar Das Election Campaign In Basudevpur: ସରକାରଙ୍କ ଅନୁଦାନକୁ ବିନା ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବା ଗ୍ୟାରେଣ୍ଟି ଦେଇ ନିର୍ବାଚନ ରଣକ୍ଷେତ୍ରରେ ବାସୁଦେବପୁର ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ନିର୍ବାଚନ ରଣକ୍ଷେତ୍ରରେ ଅଶୋକ ଦାସ
ନିର୍ବାଚନ ରଣକ୍ଷେତ୍ରରେ ଅଶୋକ ଦାସ (ETV Bharat Odisha)

ଭଦ୍ରକ: ରାଜ୍ୟର ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ 1 ତାରିଖରେ ଭଦ୍ରକ ଜିଲ୍ଲାରେ ହେବ ମତଦାନ । ଏନେଇ ଜିଲ୍ଲାର ବାସୁଦେବପୁର ବିଧାନସଭା ଆସନରେ ପ୍ରଚାର ଜୋରଦାର ଚାଲିଛି । ଏଠାରେ ଗତ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଆକଳନ କରାଯାଉଛି । ଗତଥର ଅଳ୍ପ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ବିଜେଡି ଠାରୁ ପରାଜିତ ହୋଇଥିବା ବେଳେ ଏଥର ବାସୁଦେବପୁରକୁ ଅକ୍ତିଆର କରିବା ପାଇଁ କଂଗ୍ରେସ ପ୍ରାର୍ଥୀ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଘରକୁ ଘର ବୁଲି ପ୍ରଚାରକୁ ଜୋରଦାର୍ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ।

ନିର୍ବାଚନ ରଣକ୍ଷେତ୍ରରେ ଅଶୋକ ଦାସ, (ETV Bharat Odisha)

ତେବେ ଚଳିତ 2024 ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଅଶୋକ ଦାସ । ଗତଥର ମଧ୍ୟ ବାସୁଦେବପୁରରୁ କଂଗ୍ରେସ ଅଶୋକଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ବିଜେଡି ଠାରୁ ପରାଜିତ ହୋଇଥିଲେ । ଏଥର ପୁଣିଥରେ ଦଳ ତାଙ୍କ ଉପରେ ଭରସା କରି ଟିକଟ ଦେଇଛି । ବାସୁଦେବପୁର ବିଧାନସଭା ଆସନରେ ବର୍ତ୍ତମାନର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ବାପା ସ୍ଵର୍ଗତ ବିଜୟଶ୍ରୀ ରାଉତରାୟ ଜନତା ଦଳ ଟିକେଟରୁ 2 ଥର ଏବଂ ବିଜେଡି ଟିକଟରୁ 4 ଥର ବିଧାୟକ ରହି ଆସିଛନ୍ତି । 2019 ନିର୍ବାଚନ ଠାରୁ ଏହି ଆସନ ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ଦଖଲରେ ରହିଛି । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତ ସର୍ବାଧିକ 78 ହଜାର 963 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥ‌ିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ 69 ହଜାର 382 ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।

ସେପଟେ କଂଗ୍ରେସରୁ ଆସି ବିଜେପି ଟିକଟରେ ନିର୍ବାଚନ ଲଢିଥିବା ମାଧବାନନ୍ଦ ମଲ୍ଲିକ 35 ହଜାର 774 ଖଣ୍ଡ ଭୋଟ ପାଇ ପ୍ରତିଦ୍ବନ୍ଦ୍ବିତାରେ ତୃତୀୟ ସ୍ଥାନରେ ରହିଥିଲେ । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ଉଭୟ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କୁ ରିପିଟ କରାଯାଇଛି । ଏଥର ବିଜେଡିରୁ ନିଲମ୍ବିତ ହୋଇଥିବା ବାଣୀ କଲ୍ୟାଣ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ତେଣୁ ସେ ବିଜେପିରୁ ନିର୍ବାଚନ ଲଢୁଥିଲେ ମଧ୍ୟ ବିଜେଡିର ଅସନ୍ତୁଷ୍ଟ ଭୋଟ ତାଙ୍କ ସପକ୍ଷରେ ରହିପାରେ ବୋଲି ଚର୍ଚ୍ଚା ହେଉଛି । ଏପରି ସ୍ଥଳେ ସେ ବିଜେଡିରୁ ଯେତେ ଅଧ‌ିକ ଭୋଟ କାଟିବେ ତାହା କଂଗ୍ରେସ ପାଇଁ ଲାଭଦାୟକ ହେବା ସହିତ ବିଜେଡି ପ୍ରାର୍ଥୀଙ୍କୁ ଅଡୁଆରେ ପକାଇପାରେ ।

ବିଜେପିର ଟିକଟ ପରିବର୍ତ୍ତନ ପରେ ଦଳିୟ ଟିକେଟରୁ ବଞ୍ଚିତ ହୋଇଥ‌ିବା ମାଧବାନନ୍ଦ ଏବଂ ଦଳର କ୍ୟାଡର ନେତା ଦୀନବନ୍ଧୁ ପତିଙ୍କ ଭୋଟ ବ୍ୟାଙ୍କ ଉପରେ ବିଜେଡି ନଜର ରହିଛି । କାରଣ ବିଜେପିର ଏହି ଅସନ୍ତୁଷ୍ଟ ଭୋଟ ସ୍ଥାନୀୟ ରାଜନୈତିକ ଦୃଷ୍ଟି କୋଣରୁ କଂଗ୍ରେସ ସପକ୍ଷରେ ଯାଇ ନପାରେ । ଯଦି ଏହି ଭୋଟ ବିଜେଡି ସପକ୍ଷରେ ଯାଏ ତେବେ ଦୀର୍ଘ 39 ବର୍ଷ ପରେ ବିଜୟ ରାହା ଖୋଜୁଥ‌ିବା କଂଗ୍ରେସ ପାଇଁ ବିଜୟ ସହଜ ହେବ ନାହିଁ । କାରଣ ଇତିହାସ କହୁଛି ସମର୍ଥ ଥାଇ ମଧ୍ୟ କଂଗ୍ରେସ ସର୍ବଦା ବାସୁଦେବପୁର ବିଜେଡି ରଣନୀତି ନିକଟରେ ହାରମାନି ଆସୁଛି । ଏହାସତ୍ତ୍ବେ ନିର୍ବାଚନ ମଣ୍ଡଳୀରେ ବିଜେଡିର ରାଉତରାୟ ପରିବାର ବିରୋଧୀ ସକ୍ରିୟ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ବାସୁଦେବପୁରରେ ବିଜେପି ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣଙ୍କ ଜୋରଦାର ପ୍ରଚାର - BASUDEVPUR ASSEMBLY

ଏପରି ସ୍ଥଳେ ବାସୁଦେବପୁରରେ ବଂଶବାଦ ରାଜନୀତି ସମାପ୍ତ କରିବା ପାଇଁ ଅଣ୍ଟା ଭିଡ଼ି ଥିବା କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଅଶୋକ । ତେଣୁ ବିଭିନ୍ନ ମୌଳିକ ସମସ୍ୟାକୁ ଆଧାର କରି ଘରକୁ ଘର ବୁଲି ପ୍ରଚାରକୁ ସେ ଜୋରଦାର୍ କରିଛନ୍ତି । ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଅଶୋକ ପ୍ରଚଣ୍ଡ ଖରାକୁ ଖାତିର ନକରି ଖରାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.