ETV Bharat / state

କନ୍ଦାଇ ଦେଲା ଭାଗ୍ୟ, ଚା’ ବିକୁଛନ୍ତି 70 ଦଶକର ହିରୋଇନ

author img

By

Published : Mar 31, 2023, 5:22 PM IST

ଦିନଥିଲା ଅନ୍ନପୂର୍ଣ୍ଣା ବି ଗ୍ରୁପର ହିରୋଇନ ଭୂମିକାରେ ଅଭିନୟ କରି ୧୦୦୦ ରୁ ଊର୍ଦ୍ଧ୍ବ ନାଟକରେ ଅଭିନୟ ସହିତ ସିନେମା ଓ ମଞ୍ଚ ନାଟକରେ ଅଭିନୟର ଛାଇ ଛାଡିଛନ୍ତି ବାସନ୍ତୀ ଅପା। ଅଧିକ ପଢନ୍ତୁ

actress of annapurna theatre b
actress of annapurna theatre b

ଚା’ ବିକୁଛନ୍ତି 70 ଦଶକର ହିରୋଇନ

ଜଗତସିଂହପୁର: ଜଣେ କଳାକାର ତାର ସବୁ ଦୁଃଖକୁ ପଛରେ ପକାଇ ଦର୍ଶକଙ୍କର ମନୋରଞ୍ଜନ କରିଥାଏ । କିନ୍ତୁ ସେହି କଳାକାର ପରିଣତ ବୟସରେ କିପରି ପେଟ ପୋଷୁଛନ୍ତି ତାହା କେହି କେବେ ଚିନ୍ତା କରି ନାହାନ୍ତି । ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅଳା ପଞ୍ଚାୟତ ମକରମପୁର ଗାଁର ସାଗର ବାଳା ପଟ୍ଟନାୟକଙ୍କ କଥା । 70 ଓ 80 ଦଶକର ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା କଟକ ଅନ୍ନପୂର୍ଣ୍ଣା ବି ଗ୍ରୁପ୍‌ର ଅଭିନେତ୍ରୀ ସାଗର ବାଳା ପଟ୍ଟନାୟକ । ଯାହାକୁ ସାରା ଓଡ଼ିଶା ବାସନ୍ତି ଅପା ନାଁ ରେ ଜାଣନ୍ତି । ଯିଏ କାଲି ଥିଏଟରରେ ହିରୋଇନ ଭୂମିକାରେ ଅଭିନୟ କରୁଥିଲେ ଆଜି ସେ ପରିବାର ପୋଷିବା ପାଇଁ ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି ।

ପିଲାଟି ବେଳୁ ଅଭିନୟରେ ରୁଚି ରଖୁଥିବା ସାଗର ବାଳା ନିଜ ଭାଇଙ୍କ ସହିତ ଚାଲି ଯାଇଥିଲେ କଟକ । କଟକରେ ରହି ପାଠ ପଢିବା ସହ ସ୍କୁଲରେ ନିଖୁଣ ଅଭିନୟ କରି ବେଶ ପ୍ରସଂଶା ମଧ୍ୟ ସାଉଁଟିଥିଲେ । ଏନେଇ ପରିବାରର ଅନିଚ୍ଛା ସ୍ୱତେ ଯାବତୀୟ ପ୍ରତିବନ୍ଧକ କୁ ଏଡାଇ 1965 ମସିହାରେ ସେ ଅଭିନୟ ଜଗତ ରେ ପାଦ ରଖିଥିଲେ । ପରେ ସେ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ନିଖୁଣ ଅଭିନୟ ଚମତ୍କାର ସଂଳାପ ସେତେବେଳର ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ସେ 8ଶହରୁ ଅଧିକ ନାଟକରେ ଅଭିନୟ କରି ଓଡ଼ିଶାର ଘରେଘରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ । ଚଳଚିତ୍ର ଜଗତରେ ମଧ୍ୟ ତାଙ୍କର ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । 60ରୁ 70 ଦଶକ ମଧ୍ୟରେ ଆସିଥିବା ଚଳଚିତ୍ର ଶେଷ ଶ୍ରାବଣ, ମନ ଆକାଶ, ଅଭିନେତ୍ରୀ, ସମୟ ବଡ଼ ବଳବାନ, ଆଦି ଚଳଚିତ୍ରରେ ସେ ଅଭିନୟ କରି ବେଶ ପ୍ରସଂଶା ସାଉଁଟି ଥିଲେ ।

ହେଲେ ସେହି ଚର୍ଚ୍ଚିତ କଳାକାର ବାସନ୍ତି ଅପା ଆଜି ବୟସର ଅପରାହ୍ନରେ ଜଣେ ଚା ଦୋକାନୀର ପରିଚୟ ନେଇ ବଞ୍ଚୁଛନ୍ତି । ପାରିବାରିକ ସ୍ଥିତି ତାଙ୍କୁ ଏହି ବୃତ୍ତି ଆପଣାଇବାକୁ ବାଧ୍ୟ କରିଛି। 2018 ମସିହାରେ ତାଙ୍କର ଏକମାତ୍ର ପୁଅ ସଡକ ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଯିବା ପରେ ବାସନ୍ତି ଅପାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । ପୁଅ ବୋହୂ ଓ ଦୁଇ ନାତୁଣୀର ବୋଝକୁ ପରିଣତ ବୟସରେ ନିଜ ମୁଣ୍ଡକୁ ନେଇ ଥିଲେ ବାସନ୍ତି ଅପା । ନିଜ ଗାଁ ଅଁଳା ରାଉତ ଛକ ନିକଟରେ ଏକ ଚା ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ଚା ବିକି ସେଥିରୁ ଯାହା ମିଳୁଛି ସେଥିରେ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନ ମିଳୁଛି ।

ଏହା ମଧ୍ୟ ପଢନ୍ତୁ- ବାପାଙ୍କୁ ଆଇ ଲଭ ୟୁ କହି ଜୀବନ ହାରିଲେ ଡାକ୍ତରୀ ଛାତ୍ର

ଅନ୍ୟପଟେ ଘର ବୋଲି କିଛି ନାହିଁ । 1999 ମହାବାତ୍ୟା ପରେ ବାସନ୍ତିଙ୍କୁ ଏକ ଇନ୍ଦିରା ଆବାସ ଯୋଜନାରେ 22 ହଜାର ଟଙ୍କା ମିଳିଥିଲା । କିନ୍ତୁ ଘରଟି ଏବେ ଅଧାପନ୍ତରିଆ ଭାବେ ପଡି ରହିଛି । ଜମିବାଡ଼ି କିଛି ନଥିବାରୁ ପରିବାର ପ୍ରତି ପୋଷଣରେ ସମସ୍ୟା ହେଉଥିବା କହିଛନ୍ତି ବାସନ୍ତି । ପରିଣତ ବୟସରେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରି ଆସୁଛନ୍ତି ବାର୍ଷିୟନ ଅଭିନେତ୍ରୀ ସାଗର ବାଳା ପଟ୍ଟନାୟକ ଓରଫ ବାସନ୍ତି ଅପା । ଯିଏ ରାତି ରାତି ଅନିଦ୍ରା ହୋଇ ଦର୍ଶକମାନଙ୍କ ମୁହଁରେ ହସ ଫୁଟାଉ ଥିଲେ, ପରିଣତ ବୟସରେ ଏବେ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.