ETV Bharat / state

ବାପାଙ୍କୁ ଆଇ ଲଭ ୟୁ କହି ଜୀବନ ହାରିଲେ ଡାକ୍ତରୀ ଛାତ୍ର

author img

By

Published : Mar 31, 2023, 1:12 PM IST

ଫକୀର ମୋହନ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ସନ୍ଦେହଜନକ ଭାବେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ଛାତରୁ ଡେଇଁ ପ୍ରାଣ ହରାଇଲେ ଡାକ୍ତରୀ ଛାତ୍ର
ଛାତରୁ ଡେଇଁ ପ୍ରାଣ ହରାଇଲେ ଡାକ୍ତରୀ ଛାତ୍ର

ବାଲେଶ୍ବର: ପୁଅ ଡାକ୍ତର ହେବ ବୋଲି ସ୍ବପ୍ନ ଦେଖିଥିଲେ ବାପା ମାଆ । ଆଉ ପୁଅ ମଧ୍ୟ ଭଲ ପାଠପଢୁଥିବା ଏବଂ ଆଉ ବର୍ଷେ ପରେ ପୁଅ ଡାକ୍ତର ମଧ୍ୟ ହୋଇଥାନ୍ତା । କିନ୍ତୁ ବିଧିର ବିଧାନ ବୋଧେ ଅଲଗା ଥିଲା । ଡାକ୍ତର ହେବାର ସ୍ୱପ୍ନ ପୂରଣ ହେବା ଆଗରୁ ଚରମ ନିଷ୍ପତ୍ତି ନେଲେ ପୁଅ । ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ଫକୀର ମୋହନ ମେଡିକାଲ କଲେଜରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତ ଛାତ୍ର ହେଲେ ତୃତୀୟ ବର୍ଷ ଡାକ୍ତରୀ ଛାତ୍ର ହିତେଷ୍ଣୁ ଦାସ । ଘର ଭୀମପୁର ବୋଲି ଜଣାପଡିଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏଭଳି ଚରମ ନିଷ୍ପତ୍ତି ନେବା ପଛର କାରଣ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ, ଗତକାଲି ନାଇଟ-ସୋ ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ । ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବା ପରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ସେନେଇ ସ୍ପଷ୍ଟ ହୋଇନାହିଁ । ତେବେ ଶବ୍ଦ ହେବାରୁ ତାଙ୍କ ସାଙ୍ଗସାଥି ଆସି ଦେଖିଥିଲେ । ତେବେ ହିତେଷ୍ଣୁଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: DJ Azex Death Case: ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ, ଏକ୍ସପୋଜ ପାଇଁ ତିନି ଯୁବତୀ କରିଥିଲେ ହ୍ବାଟ୍ସଆପ୍ ଗ୍ରୁପ

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ବ୍ୟବଚ୍ଛେଦ ପରେ ଗାଁ ଭୀମପୁରକୁ ନେଇଛନ୍ତି ପରିବାର ଲୋକେ । ତେବେ ଫିଲ୍ମ ଦେଖିସାରିବା ପରେ କାହିଁକି ଏଭଳି ନିଷ୍ପତ୍ତି ନେଲେ ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରେମ ବ୍ୟାପାର, ରାଗିଂ ନା ମାନସିକ ନିର୍ଯାତନା ଏଭଳି ଅନେକ ଚର୍ଚ୍ଚା ହେଉଛି । କିନ୍ତୁ ପୋଲିସର ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିବ । ତେବେ ଏନେଇ ହିତେଷ୍ଣୁଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ହିତେଷ୍ଣୁଙ୍କୁ ହରାଇ ଫକୀର ମୋହନ ମେଡିକାଲ କଲେଜରେ ଶୋକର ଛାୟା ଖେଳିଯାଇଥିବା ବେଳେ ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ପୁଅକୁ ହରାଇ ବାପା ମାଆ ଭାଙ୍ଗି ପଡିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.