ETV Bharat / state

ପ୍ରଦୂଷଣମୁକ୍ତ ରହିବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, କ୍ୟାମ୍ପସକୁ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ମନା

author img

By

Published : Feb 12, 2023, 9:56 AM IST

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ଉପରେ ଲାଗିଲା କଟକଣା । ବିଶ୍ବବିଦ୍ୟାଳୟକୁ ପ୍ରଦୂଷଣମୁକ୍ତ ରଖିବାକୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ପ୍ରଦୂଷଣ ମୁକ୍ତ ରହିବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ । କ୍ୟାମ୍ପସ ଭିତରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ଉପରେ କଟକଣା ଲାଗିଛି । ପ୍ରତ୍ୟେକ ସପ୍ତାହର ଶେଷ କାର୍ଯ୍ୟ ଦିବସ ଅର୍ଥାତ୍ ଶନିବାର ଦିନ ବିଶ୍ବବିଦ୍ୟାଳୟକୁ କୌଣସି ଛାତ୍ରଛାତ୍ରୀ କିମ୍ବା ଅଧ୍ୟାପକ/ଅଧ୍ୟାପିକା ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡି ଆଣିପାରିବେ ନାହିଁ । ଯେଉଁମାନେ ନିଜ ପେଟ୍ରୋଲ ଓ ଡ଼ିଜେଲ ଚାଳିତ ଯାନ ଆଣିଥିବେ ସେମାନେ ତାହାକୁ କ୍ୟାମ୍ପସ ବାହାରେ ରଖି ବିଶ୍ବବିଦ୍ୟାଳୟ ପରିସରକୁ ଆସିପାରିବେ । କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବା ଏବଂ ଇ-ଯାନ ଉପରେ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ନୂତନ ପଦକ୍ଷେପ ନେଇଛନ୍ତି ।

ଗତକାଲି(ଶନିବାର) ଠାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହି ନୂଆ ନିୟମ ଲାଗୁ ହୋଇଛି । ସେଥିପାଇଁ ଗତକାଲି ଯେଉଁମାନେ ଇ-ସ୍କୁଟିରେ ଆସିଥିଲେ କେବଳ ସେମାନେ ନିଜ ଗାଡି ନେଇ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରିଥିଲେ । ଅନ୍ୟମାନେ କ୍ୟାମ୍ପସ ବାହାରେ ନିଜ ଗାଡି ରଖି ଚାଲି ଚାଲି ଆସିଥିଲେ । ଏହି ନିୟମ ପ୍ରତ୍ୟେକ ଶନିବାର ଲାଗୁ କରାଯିବ । ଏହାକୁ କଡାକଡି ପାଳନ କଲେ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ପରିବେଶକୁ ପ୍ରଦୂଷଣକୁ ରୋକାଯାଇ ପାରିବ । ତେଣୁ ବିଶ୍ବବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀ ନିୟମକୁ ପାଳନ କରିବେ । ପ୍ରଦୂଷଣ ଜନିତ ସଚେତନତା ସୃଷ୍ଟି ପାଇଁ କୁଳପତିଙ୍କ ନିର୍ଦ୍ଦେଶକ୍ରମେ କୁଳସଚିବଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏକ ମହତ୍ ଉଦ୍ଦେଶ୍ୟ ରଖି ଏହି ନିୟମକୁ ଲାଗୁ କରାଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏହି ନିୟମ ନିଶ୍ଚିତ ଭାବେ ଲାଗୁ ହେବ ବୋଲି ଆଶା କରାଯାଇଛି । ଅନ୍ୟପଟେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷର ଏହି ନିଷ୍ପତ୍ତିକୁ ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ସ୍ବାଗତ କରିଛନ୍ତି । ପୂର୍ବରୁ ବିଶ୍ବବିଦ୍ୟାଳୟର ସମସ୍ତ କର୍ମଚାରୀ ସପ୍ତାହରେ ଗୋଟିଏ ଦିନ ଖଦି ବସ୍ତ୍ର ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ବଲାଙ୍ଗୀର ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କୁ ସଫଳତା, ୬ ଛାତ୍ରଛାତ୍ରୀ JEE ମେନରେ କୃତକାର୍ଯ୍ୟ

ପ୍ରତ୍ୟେକ ଶୁକ୍ରବାର କର୍ମଚାରୀମାନେ ଖଦି ଲୁଗା ପିନ୍ଧିବେ । ଖଦି ଲୁଗାର ଲୋକପ୍ରିୟତା ବୃଦ୍ଧି ପାଇଁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏହା କୌଣସି ବାଧ୍ୟତାମୂଳକ କରାଯାଇନାହିଁ । ବୁଣାକାରଙ୍କ ପ୍ରତି ରହିଥିବା ଭଲପାଇବା ଏବଂ ହାତବୁଣା ଲୁଗାର ପ୍ରଚାରପ୍ରସାର ପାଇଁ ଏହିପରି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.