ETV Bharat / state

ଗଞ୍ଜାମରେ ପ୍ରେସ ଦିବସ ପାଳିତ,'AI ଯୁଗରେ ଗଣ ମାଧ୍ୟମ' ସମ୍ପର୍କରେ ଆଲୋଚନା

author img

By ETV Bharat Odisha Team

Published : Nov 16, 2023, 10:55 PM IST

national press day
ଜାତୀୟ ପ୍ରେସ ଦିବସ

National press day: ଗଞ୍ଜାମରେ ପାଳନ ହୋଇଛି ଜାତୀୟ ପ୍ରେସ ଦିବସ । ଏହି ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ପର୍କରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଜାତୀୟ ପ୍ରେସ ଦିବସ

ବ୍ରହ୍ମପୁର: ଗଞ୍ଜାମରେ ପାଳନ ହୋଇଛି ଜାତୀୟ ପ୍ରେସ ଦିବସ । ଜିଲ୍ଲାର ସଦର ମହକୁମା ଛତ୍ରପୁର ପ୍ରେସ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ 'କୃତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ଯମ' ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ କ'ଣ, ଏହାର ଆବଶ୍ୟକତା, ଅପବ୍ୟବହାରର କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା AI ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଯୋଗ ଦେଇ ଆଲୋଚନା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ଗଣମାଧ୍ୟମ ଜଗତରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ସଦାସର୍ବଦା ସମାଜର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିଥାନ୍ତି । ଏଭଳି ସମୟରେ ସାରା ବିଶ୍ବରେ AI ଭଳି କୃତ୍ରିମ ବୁଦ୍ଧିମତାର ପ୍ରୟୋଗ କରି ବିଭିନ୍ନ କ୍ଷେତ୍ରରେ ଯେପରି ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ଜାରି ରହିଛି ସେହି କ୍ଷେତ୍ରରେ ଗଣମାଧ୍ୟମ ଜଗତରେ ସେତେଟା ପ୍ରଭାବ ପଡ଼ିବ ନାହିଁ ।"ଏହାକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବହୁଳ ଭାବେ ପ୍ରୟୋଗ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି, "ନୂତନ ଯୁବପିଢିଗଣ ୟୁ-ଟ୍ୟୁବ୍ ଓ ଗୁଗୁଲ ଉପରେ ବହୁତ ବିଶ୍ବାସ କରୁଛନ୍ତି । ଏହା ମସ୍ତିଷ୍କକୁ ସଙ୍କୁଚିତ କରିଦେଉଛି । ଖବର ପ୍ରସାରଣ କ୍ଷେତ୍ରରେ ସବୁ କିଛି ବିଶ୍ଲେଷଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପୂର୍ବରୁ ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରି ତାହାକୁ ପ୍ରକାଶ କରିବା ଆବଶ୍ୟକ ।" ସେହିପରି କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗ ଦେଇ କୃତ୍ରିମ ବୁଦ୍ଧିମତା ଯେପରି ମାନବ ସମାଜର କ୍ଷତିସାଧନ କରିବ ନାହିଁ ସେଥିପାଇଁ ଆଇନ ପ୍ରଣୟନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

ଏହା ବି ପଢନ୍ତୁ...ପୁରୀରେ ଜାତୀୟ ପ୍ରେସ ଦିବସ ପାଳିତ, ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା

ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସାମ୍ବାଦିକମାନେ ଯୋଗ ଦେଇଥିଲେ । ତେବେ ସମସ୍ତ ସାମ୍ବାଦିକ ନିଜ ନିଜର ପରିସୀମା ମଧ୍ୟରେ ଆବଦ୍ଧ ରହି ପ୍ରକୃତ ସତ୍ୟାସତ୍ୟ ପରିପ୍ରକାଶ କଲେ ସାମ୍ବାଦିକତାର ସାର୍ଥକତା ଚିରସ୍ଥାୟୀ ରହିବା ନେଇ ଉପସ୍ଥିତ ଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି । 'କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ'ର ଉପକାରିତା ଓ ଅପକାରିତା ବିଷୟରେ ସମସ୍ତେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.