ETV Bharat / state

8ଘଣ୍ଟାର ସର୍ଚ୍ଚ ଅପରେସନ, ସମୁଦ୍ରରୁ ଉଦ୍ଧାର ହେଲା ନିଖୋଜ ଛାତ୍ରୀ ପ୍ରଜ୍ଞାଙ୍କ ମୃତଦେହ

author img

By

Published : Jun 1, 2023, 6:32 PM IST

Updated : Jun 1, 2023, 8:26 PM IST

ଉଦ୍ଧାର ହେଲା ନିଖୋଜ ଛାତ୍ରୀ ପ୍ରଜ୍ଞାଙ୍କ ମୃତଦେହ
ଉଦ୍ଧାର ହେଲା ନିଖୋଜ ଛାତ୍ରୀ ପ୍ରଜ୍ଞାଙ୍କ ମୃତଦେହ

ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍ ପରେ ଶେଷରେ ସମୁଦ୍ରରୁ ଉଦ୍ଧାର ହୋଇଛି ନିଖୋଜ ଛାତ୍ରୀ ପ୍ରଜ୍ଞାଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳକୁ ଗାଧୋଇବାକୁ ଯାଇ 2ଜଣ ଛାତ୍ରୀ ନିଖୋଜ ହୋଇଯାଇଥିଲେ । ତେବେ ଉଦ୍ଧାରକାର୍ଯ୍ୟରେ ଏସଆରସିଙ୍କ ନିର୍ଦ୍ଦେଶ ପରେ କୋଷ୍ଟଗାର୍ଡର ହେଲିକପ୍ଟର ନିୟୋଜିତ ହୋଇଥିଲା । ଦୁହେଁ ମାମୁଁ ଘର ବୁଲିବାକୁ ଆସିଥିଲେ । ଅଧିକ ପଢନ୍ତୁ।

ଉଦ୍ଧାର ହେଲା ନିଖୋଜ ଛାତ୍ରୀ ପ୍ରଜ୍ଞାଙ୍କ ମୃତଦେହ

ବ୍ରହ୍ମପୁର: 8 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ସମୁଦ୍ରରୁ ଉଦ୍ଧାର ହେଲା ଆର୍ଜିପଲ୍ଲୀ ବିଚ୍ ରେ ନିଖୋଜ ଛାତ୍ରୀଙ୍କ ମୃତଦେହ । ଛାତ୍ରୀ ଜଣକ ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳର ପ୍ରଜ୍ଞା ତ୍ରିପାଠୀ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ସ୍ନାନ କରିବାକୁ ଯାଇ 2 ଜଣ ଛାତ୍ରୀ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଦୀର୍ଘ ସମୟ ଧରି ଅନ୍ୟ ଜଣଙ୍କ ପତ୍ତା ମିଳୁନଥିଲା । ତେବେ ଗୁରୁବାର ସକାଳ ୬ ଟା ସମୟରେ ସମୁଦ୍ରରେ ସ୍ନାନ କରୁଥିବାବେଳେ ଭାସି ଯାଇଥିଲେ 2ଜଣ ଛାତ୍ରୀ ।

ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ଆର୍ଯ୍ୟପଲ୍ଲୀ ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ନିଜ ମାମୁଁଙ୍କ ଘରକୁ ଆସିଥିଲେ କନିଷି ଅଞ୍ଚଳର ସ୍ୱପ୍ନା ରାଣୀ ପଣ୍ଡିତ ଓ ଶେରଗଡ ଅଞ୍ଚଳର ପ୍ରଜ୍ଞାରାଣୀ ତ୍ରିପାଠୀ । ତେବେ ଭୋର ସମୟରେ ଅନ୍ୟ ସାଙ୍ଗଙ୍କ ସହ ମିଶି ସେମାନେ ସମୁଦ୍ରକୁ ସ୍ନାନ କରିବାକୁ ଯାଇଥିଲେ। ହେଲେ ସମୁଦ୍ରର ପ୍ରଖର ଜୁଆର କାରଣରୁ ହଠାତ୍ ପାଣିରେ ଭାସି ଯାଇଥିଲେ ସ୍ବପ୍ନା ଓ ପ୍ରଜ୍ଞା ।

ମୋଟ 5ଜଣ ସମୁଦ୍ରକୁ ସ୍ନାନ କରିବା ପାଇଁ ଯାଇଥିବାବେଳେ ସମୁଦ୍ରର ପ୍ରଖର ଜୁଆର କାରଣରୁ ହଠାତ୍ 2 ଜଣ ଭାସିଯାଇଥିଲେ । ଏହି ଘଟଣା ପରେ ନିଖୋଜ ହୋଇଥିବା ଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ODRAF ଟିମଙ୍କ ସହିତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ଜାରି ରହିଥିଲା । ଖାଲି ସେତିକି ନୁହେଁ, ଘଟଣାକୁ ଗୁରୁତର ସହ ନେଇ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ଓ ମୋଟର ବୋଟ୍ ନିୟୋଜିତ ମଧ୍ୟ କରାଯାଇଥିଲା । ସକାଳ ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଛାତ୍ରୀ ଜଣକ କନିଷି ଅଞ୍ଚଳର ସ୍ୱପ୍ନା ରାଣୀ ପଣ୍ଡିତ ହୋଇଥିବା ଜଣାପଡିଥିଲା। ସ୍ବପ୍ନାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କଠୁ ଆରମ୍ଭ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ଅପରପକ୍ଷେ ନିଖୋଜ ଥିବା ପ୍ରଜ୍ଞାଙ୍କୁ ଖୋଜିବା ପାଇଁ ଦିନ ତମାମ ODRAF , ଦମକଳ ବାହିନୀ ଏବଂ ଜିଲ୍ଲା ପ୍ରଶାସନ ସମେତ ତଟରକ୍ଷୀ ବାହିନୀ ପକ୍ଷରୁ ଜାରି ରହିଥିଲା ସର୍ଚ୍ଚ ଅପରେସନ୍। ସବୁ ଉଦ୍ୟମ ପରେ ଶେଷରେ ସମୁଦ୍ର ମଧ୍ୟରୁ ପ୍ରଜ୍ଞାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Jun 1, 2023, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.