ETV Bharat / state

ମରିଗଲା ମାନବିକତା, ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

author img

By

Published : May 21, 2023, 7:09 AM IST

Updated : May 21, 2023, 12:33 PM IST

man beaten to death in ganjam
ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଅଭାବନୀୟ ଘଟଣା । ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା । ଅଧିକ ପଢ଼ନ୍ତୁ

ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

ବ୍ରହ୍ମପୁର: ମରିଗଲା ମାନବିକତା, ନୃସଂଶ ସାଜିଲା ମଣିଷ । ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା । ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ପିଟି ପିଟି ହତ୍ୟା କରିଛନ୍ତି ଗ୍ରାମବାସୀ । ମୃତକ ଜଣକ ପୁରୀ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ଘଟଣା ଅନୁଯାୟୀ, ପୁରୀ ଅଞ୍ଚଳର ଜଣେ ଯୁବକ କୌଣସି କାରଣ ବଶତଃ ଉକ୍ତ ଚିଙ୍ଗୁଡିଘାଇ ଗ୍ରାମକୁ ଯାଇଥିଲେ । ସେହି ସମୟରେ ଗ୍ରାମର ୧୦ ରୁ ୧୫ ଜଣ ବ୍ୟକ୍ତି ତାଙ୍କୁ ଚୋର ବୋଲି ଭାବି ଧରିନେବା ସହିତ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଏହାପରେ ଗ୍ରାମବାସୀ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଲା ଭଳି ଲୋକେ କରିଚାଲିଥିଲେ ଆକ୍ରମଣ । ଜଣେ ନୁହେଁ କି ଦୁଇ ଜଣ ନୁହେଁ, ଜଣେ ପରେ ଜଣେ ପିଟି ଚାଲିଥିଲେ ସେହି ଯୁବକଙ୍କୁ । ସ୍ଥାନୀୟ ପୋଲିସକୁ ମଧ୍ୟ ଏନେଇ କୌଣସି ଖବର ଦିଆଯାଇନଥିଲା । ଦୀର୍ଘ ସମୟ ଧରି ଗ୍ରାମବାସୀ ମାନଙ୍କ ବର୍ବର ଆକ୍ରମଣ ପରେ ବିଦ୍ୟୁତ୍ ଖୁଣ୍ଟ ବନ୍ଧଯାଇଥିବା ଅବସ୍ଥାରେ ଶେଷରେ ଚାଲିଯାଇଥିଲା ଜୀବନ । ଏଠାରେ ପ୍ରଶ୍ନ ଉଠିଛି କାହାରି ଘରେ ଚୋରି ନକରି ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀ ଏପରି ନୃସଂଶ ଭାବରେ ଆକ୍ରମଣ କଲେ କାହିଁକି ? ଗ୍ରାମର ଆବାଳ ବୃଦ୍ଧ ବନୀତା ଏକତ୍ରିତ ହୋଇ ଦେଖଣାହାରୀ ପାଲଟିଥିବା ବେଳେ ସର୍ବସାଧାରଣରେ ପିଟିପିଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ସଭ୍ୟ ସମାଜ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।


୧୭ ତାରିଖ ବିଳମ୍ୱିତ ରାତିରେ ଗ୍ରାମବାସୀ ଏହି ଯୁବକଙ୍କୁ କାବୁ କରି ତାର ଗୋଟିଏ ଦିନ ପରେ ସ୍ପଷ୍ଟ ଦିବାଲୋକରେ ପିଟିପିଟି ହତ୍ୟା କରିଥିଲେ । ହେଲେ ପୋଲିସ ଏହାର ଖବର ପାଇପାରିଲା ନାହିଁ । ଏପରିକି ଏକ ନିର୍ଜନ ସ୍ଥାନରେ ମୃତଦେହ ଫୋପାଡି ଚାଲିଯିବା ପରେ ଘଟଣା ପଦାକୁ ଆସିଥିଲା ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ଦେଖାଯାଇଛି । ଏହି ଘଟଣା ପରେ ମୃତକଙ୍କ ପରିବାର ଆସି ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହ ପ୍ରଦାନ କରାଯାଇଛି । ତେବେ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରଷୋତ୍ତମପୁର ପୋଲିସ । ଏହି ଘଟଣାକୁ ନେଇ ଗଞ୍ଜାମ ପୋଲିସର ବରିଷ୍ଠ ଅଧିକାରୀମାନେ ଗ୍ରାମକୁ ଯାଇ ତଦନ୍ତ କରି ଫେରିଥିବା ବେଳେ ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ପାଲଟିଛି । ଏହି ଲୋମହର୍ଷଣକାରୀ ଭିଡିଓ ଭାଇରାଲ ହେବା ପରେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଆଗାମୀ ଦିନରେ ଗିରଫଦାରି ଆହୁରୀ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :May 21, 2023, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.