ETV Bharat / state

ବ୍ରହ୍ମପୁରରେ CWC ସଦସ୍ୟଙ୍କୁ ନିର୍ମମ ହତ୍ୟା, ଡ୍ରାଇଭର ଅଟକ

author img

By ETV Bharat Odisha Team

Published : Oct 12, 2023, 11:58 AM IST

Updated : Oct 12, 2023, 2:19 PM IST

ବ୍ରହ୍ମପୁରରେ ଶିଶୁ କଲ୍ୟାଣ ସମିତି ସଦସ୍ୟଙ୍କୁ ନିର୍ମମ ହତ୍ୟା । ଘଟଣାରେ ଡ୍ରାଇଭର ଅଟକ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ମହିଳାଙ୍କୁ ହତ୍ୟା
ବ୍ରହ୍ମପୁରରେ ମହିଳାଙ୍କୁ ହତ୍ୟା

ବ୍ରହ୍ମପୁରରେ CWC ସଦସ୍ୟଙ୍କୁ ନିର୍ମମ ହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଞ୍ଚଲ୍ୟ । ସହରର ଗୋଷାଣିନୂଆଁଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ମହିଳାଙ୍କ ନାମ ସୌଦାମିନୀ ରଥ । ସେ ଶିଶୁ କଲ୍ୟାଣ ସମିତିର ସଦସ୍ୟ ଥିଲେ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରିଛି । ତେବେ ତାଙ୍କର ଡ୍ରାଇଭର ହିଁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୋଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

ସୌଦାମିନୀ ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥାର ସଂପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଆସୁଥିଲେ । ଗତକାଲି ରାତିରେ ସୌଦାମିନୀ ନିଜ ସ୍ବେଚ୍ଛାସେବୀ ସଂସ୍ଥାର ଅନ୍ୟ ଜଣେ ସହକର୍ମୀଙ୍କ ସହିତ ଫୋନରେ କଥା ହେଉଥିଲେ । ଏତିକି ବେଳେ ହଠାତ୍ ସେ ଜୋରରେ ଚିତ୍କାର କରିଥିଲେ । ଏହା ଶୁଣି ସଂସ୍ଥାର ଅନ୍ୟ ସଦସ୍ୟମାନେ ସେ ରହୁଥିବା ଘରେ ପହଞ୍ଚିଥିଲେ । ସେଠି ସୌଦାମିନୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏଣୁ କୌଣସି ଦୁବୃର୍ତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ସହକର୍ମୀମାନେ ପୋଲିସକୁ ଖବର ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ : ମୟୂରଭଞ୍ଜ ଯୁବକଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ! କାରଣ ଅସ୍ପଷ୍ଟ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହି ଘଟଣାରେ ପୋଲିସ ସନ୍ଦେହରେ ସୌଦାମିନୀଙ୍କ କାର ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ କିଏ ଏବଂ କାହିଁକି ମହିଳାଙ୍କୁ ହତ୍ୟା କଲା ତାହା ଏ ଯାଏଁ ଜଣାପଡିନି । ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ଜଣାପଡିଛି । ସେପଟେ ସୌଦାମିନୀଙ୍କ ଡ୍ରାଇଭର ବ୍ୟବହାର କରୁଥିବା ସ୍କୁଟି ତାଙ୍କ ଘର ସମ୍ମୁଖରେ ରହିଥିବା କୁହାଯାଇଛି ।

ତେବେ ସୌଦାମିନୀ ମୋବାଇଲରେ କଥା ହେଉଥିବା ବେଳେ ପଛ ପଟୁ ଦୁର୍ବୃତ୍ତ ଜଣକ ତାଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲା ଏବଂ ଏହାପରେ ଫେରାର୍ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଗୋଷାଣୀନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଓ ତାଙ୍କ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଘଟଣାରେ ମହିଳାଙ୍କ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ବେଳେ ଏହି ହତ୍ୟାକାଣ୍ଡ ପଛରେ କାରଣ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Oct 12, 2023, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.