ETV Bharat / state

ବାଇପାସ ନଥିବାରୁ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା, ପ୍ରତିବର୍ଷ ସର୍ଭେ କରି ଭୁଲି ଯାଉଛି ପ୍ରଶାସନ

author img

By

Published : Apr 18, 2023, 6:36 AM IST

ବାଇପାସ ନଥିବାରୁ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା
ବାଇପାସ ନଥିବାରୁ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

ପାରଳାଖେମୁଣ୍ଡିରେ ବୃଦ୍ଧି ପାଉଛି ଟ୍ରାଫିକ ସମସ୍ୟା । ୨୫ ବର୍ଷ ହେବ ଏକ ବାଇପାସ୍ ନିର୍ମାଣ ପାଇଁ ପରିକଳ୍ପନା ହୋଇଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ପ୍ରତିବର୍ଷ ଆରମ୍ଭରୁ କେବଳ ସର୍ଭେ କରି ଭୁଲିଯାଉଛି ପ୍ରଶାସନ । ତେବେ ଚଳିତ ବର୍ଷ ମଧ୍ୟ ସର୍ଭେ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ରାଜନେତା ଓ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସହରବାସୀ । ଅଧିକ ପଢ଼ନ୍ତୁ

ବାଇପାସ ନଥିବାରୁ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

ଗଜପତି: ପାରଳାଖେମୁଣ୍ଡି ସହରରେ ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବାଇପାସ୍ ରାସ୍ତା ନିର୍ମାଣ ନିହାତି ଆବଶ୍ୟକ । ଏହାଛଡ଼ା ଅନ୍ୟ କୌଣସି ଉପାୟରେ ଏହି ସମସ୍ୟାର ସମାଧାନ ଅସମ୍ଭବ । ତେବେ ଗତ ପ୍ରାୟ ୨୫ ବର୍ଷ ହେବ ଏହି ବାଇପାସ୍ ନିର୍ମାଣ ପାଇଁ ପରିକଳ୍ପନା ହୋଇଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ହେଲେ ପ୍ରତିବର୍ଷ ଆରମ୍ଭରୁ ଏହି ରାସ୍ତା ପାଇଁ ସର୍ଭେ କରିବା ସହ ଲୋକଙ୍କ ମନରେ ଏହି ରାସ୍ତାକୁ ନେଇ ଆଶା ସଞ୍ଚାର କରିବା ସୁଯୋଗକୁ ପ୍ରଶାସନ ଆଦୌ ହାତଛଡ଼ା କରୁନାହିଁ । ତେବେ ଏହି ରାସ୍ତା କେବେ ନିର୍ମ।ଣ ହେବ, ତାହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦିହାନ ହୋଇପଡିଛନ୍ତି । ସେପଟେ ଆସନ୍ତା ମେ' ମାସ ସୁଦ୍ଧା ବାଇପାସ୍ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

୨୫ ବର୍ଷ ହେବ କେବଳ ସର୍ଭେ ହେଉଛି: ବହୁ ପୁରାତନ ପାରଳାଖେମୁଣ୍ଡି ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଏହାର ଏକମାତ୍ର ସମାଧାନ ହେଉଛି ବାଇପାସ୍ ରାସ୍ତା ନିର୍ମାଣ ଓ ସହରର ମୁଖ୍ୟ ରାସ୍ତାର ସଂପ୍ରସାରଣ । ତେଣୁ ଗତ ୨୫ ବର୍ଷ ତଳେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ପରିକଳ୍ପନା ହୋଇଛି । ହେଲେ ପ୍ରତି ଆର୍ଥିକ ବର୍ଷ ଆରମ୍ଭରୁ ପ୍ରଶାସନ ଏହି ବାଇପାସ୍ ରାସ୍ତା ନିର୍ମାଣ ପାଇଁ ସର୍ଭେ କରୁଛି । ହେଲେ ଆଜି ଯାଏଁ ରାସ୍ତା କାମ ହୋଇ ପାରୁନାହିଁ । ବାଇପାସ୍ ରାସ୍ତା କେବଳ ଘୋଷଣାରେ ହିଁ ସୀମିତ ହୋଇ ରହିଛି । ଏହି ରାସ୍ତା କାମ ହୋଇପାରିନଥିଲେ ମଧ୍ୟ ପ୍ରଶାସନର ଏହି ସର୍ଭେ ପାଇଁ ସେହି ଅଞ୍ଚଳର ଜମିଗୁଡିକର ମୂଲ୍ୟ ବୃଦ୍ଧି ପାଇବାରେ ସହାୟକ ହୋଇଛି । ଯାହାଦ୍ବାରା ଜମି ମାଫିଆମାନେ ମାଲାମାଲ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ ସର୍ଭେ କାମ ହୋଇଛି । ରାଜସ୍ବ ବିଭାଗ କର୍ମଚାରୀମାନେ ବାଇପାସ୍ ରାସ୍ତା ପାଇଁ ସର୍ଭେ କାମ ଆରମ୍ଭ କରି ଦେଇଛନ୍ତି । ଅତିଶୀଘ୍ର ସର୍ଭେ କାମ ସରିବା ପରେ ଜମି ଅଧିଗ୍ରହଣ କରାଯାଇ ରାସ୍ତା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ହେଲେ ପ୍ରଶାସନର ଏହି କାର୍ଯ୍ୟକୁ ନେଇ କିନ୍ତୁ ସନ୍ଦେହ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା ଗତ ୨୫ ବର୍ଷ ହେଲା ଏହାହିଁ ହେଉଛି, କିନ୍ତୁ କାମ ଆରମ୍ଭ ହୋଇପାରୁନାହିଁ । ତେଣୁ କାମ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେଲେ ହିଁ ଏହାର ସଫଳତା କୁହାଯାଇପାରିବ ।

ପ୍ରଶାସନ ଅବହେଳାକୁ ଦାୟୀ କଲେ ବୁଦ୍ଧିଜୀବୀ: ଗୋଟିଏ ପଟେ ବାଇପାସ୍ ରାସ୍ତା କାମ ହୋଇପାରୁନଥିବା ବେଳେ ଅନ୍ୟପଟେ ସହରର ମୁଖ୍ୟ ରାସ୍ତା ସଂପ୍ରସାରଣ ହୋଇପାରୁନାହିଁ । ଏପରିକି ସଂପ୍ରସାରଣ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ସରିଥିବା ବେଳେ ସେଗୁଡ଼ିକ ନିଜ ଅକ୍ତିଆରକୁ ନେଇ ରାସ୍ତା ପ୍ରଶସ୍ତିକରଣ କାମ ହୋଇପାରୁନାହିଁ । ଫଳରେ ଦିନକୁ ଦିନ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ତଥାପି ପାରଳାଖେମୁଣ୍ଡି ଭଳି ଏକ ଐତିହାସିକ ସହରରେ ରାସ୍ତା କାମ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ପ୍ରଶାସନ ଅବହେଳାରୁ ଆଜି ଯାଏଁ ସହରର ରାସ୍ତା କାମ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ତେବେ ପ୍ରତିବର୍ଷ ସର୍ଭେ କାମ ହେଉଛି, କିନ୍ତୁ କାମ ହେଉନାହିଁ । ତେଣୁ ଚଳିତ ବର୍ଷ ମଧ୍ୟ ହେବ ବୋଲି ବିଶ୍ବାସ କରୁନାହାନ୍ତି ସହରବାସୀ ।

ବ୍ୟାପକ ଦୁର୍ନୀତିର ଗନ୍ଧ ବାରିଲେ ବିଧାୟକ: ସହର ପାଇଁ ଏହି ରାସ୍ତାର ବିଶେଷ ଆବଶ୍ୟକତା ରହିଥିଲେ ମଧ୍ୟ ଦୀର୍ଘବର୍ଷ ହେଲା ଏହା ହୋଇନପାରିବା ସ୍ଥାନୀୟ ପ୍ରଶାସନ ଏବଂ ରାଜନେତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର ରାସ୍ତାଘାଟ ନିର୍ମାଣ ପାଇଁ ପାଣ୍ଠିର କୌଣସି ଅଭାବ ରଖୁନାହାନ୍ତି । ରାଜ୍ୟର ଅନ୍ୟ ସ୍ଥାନରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି । ସେହିଭଳି ପାରଳାଖେମୁଣ୍ଡିରେ ମଧ୍ୟ ପ୍ରତିବର୍ଷ ସର୍ଭେ ଏବଂ ରାସ୍ତା ମରାମତି ନାମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା କୁହାଯାଉଛି । ହେଲେ କାମ ହେଉନଥିବାରୁ ସ୍ଥାନୀୟ ବିଧାୟକ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ଏଥିରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରିଛନ୍ତି । କିନ୍ତୁ ଏହାକୁ ନେଇ ଜିଲ୍ଲାପାଳ କହିଛନ୍ତି, "ବାଇପାସ୍ ରାସ୍ତା ପାଇଁ ସର୍ଭେ କାମ ଆରମ୍ଭ ହୋଇଛି । ମେ' ମାସ ସୁଦ୍ଧା ବାଇପାସ୍ ରାସ୍ତାକାମ ଆରମ୍ଭ ହେବ ।" ଏହାପରେ ସହରର ମୁଖ୍ୟ ରାସ୍ତା ସଂପ୍ରସାରଣ କାମ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଦୀର୍ଘବର୍ଷ ହେଲା ସହରର ଟ୍ରାଫିକ ସମସ୍ୟାର ସମାଧାନ ଏବଂ ବାଇପାସ ରାସ୍ତା କାମ ହୋଇପାରିନଥିବା ବେଳେ କେବେ ଏହା ସମ୍ପୂର୍ଣ୍ଣ ହେବ ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.