ETV Bharat / state

ବାସନ୍ଦ କଲା ଅଙ୍ଗନବାଡି ଚାକିରି: ଦୋକାନରୁ ଆଣିପାରିବେନି ସଉଦା, କରିପାରିବେନି ଚାଷ

author img

By ETV Bharat Odisha Team

Published : Dec 2, 2023, 11:15 AM IST

ଅଙ୍ଗନଓ୍ବାଡି ଚାକିରିକୁ ନେଇ ପରିବାରକୁ ବାସନ୍ଦ
ଅଙ୍ଗନଓ୍ବାଡି ଚାକିରିକୁ ନେଇ ପରିବାରକୁ ବାସନ୍ଦ

ଅଙ୍ଗନଓ୍ବାଡି ଚାକିରିକୁ ନେଇ ପରିବାରକୁ ବାସନ୍ଦ । ଦୋକାନ ସଉଦା ଠାରୁ ଜମିରେ ଚାଷ କରିବାକୁ ବାରଣ । ଢେଙ୍କାନାଳରେ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ସମ୍ବେଦନଶୀଳ ଘଟଣା । ଅଧିକ ପଢନ୍ତୁ

ଅଙ୍ଗନଓ୍ବାଡି ଚାକିରିରୁ ପରିବାର ବାସନ୍ଦ

ଢେଙ୍କାନାଳ: ଅଙ୍ଗନଓ୍ବାଡି ଚାକିରିକୁ ନେଇ ଗ୍ରାମସଭାରେ ଅଜବ ନିଷ୍ପତ୍ତି । 2 ମାସ ହେବ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ । ସଉଦା ଦୋକାନ ଠାରୁ ନିଜ ଜମିରେ ଚାଷ କରିବାକୁ ବି ବାରଣ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ । ଏନେଇ ପୀଡିତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଦାୟର କରାଯାଇଛି ।

ସୂଚନା ଅନୁଯାୟୀ, ଜୟପୁର ଗ୍ରାମର ଅଙ୍ଗନଓ୍ବାଡି ସେଣ୍ଟର- ୧ ନିମନ୍ତେ ଅଙ୍ଗନଓ୍ବାଡି କର୍ମୀ ନିମନ୍ତେ ବିଜ୍ଞପ୍ତି ଦିଆଯାଇଥିଲା । ଏଥି ନିମନ୍ତେ ଗ୍ରାମରୁ ସାତ ଜଣ ଆବେଦନ କରିଥିଲେ । ସାତ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କ କାଗଜପତ୍ର ଠିକ ନଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଥିଲା । ଏହାପରେ ତିନି ଜଣ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ଚାକିରି ଦିଆଯିବା ନେଇ ଘୋଷଣା କରାଯାଇଥିଲା । ଏହି ତିନି ଜଣଙ୍କ ମଧ୍ୟରେ ସୁଧିର ମଲ୍ଲିକଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ପାତ୍ରଙ୍କ ନାଁ ମଧ୍ୟ ରହିଥିଲା ।

ତେବେ ଅନ୍ୟ 2 ଜଣଙ୍କ ମଧ୍ୟ ଜାତିଗତ ପ୍ରମାଣ ପତ୍ରରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ ଜ୍ୟୋତିର୍ମୟୀ । ସେହି ଦୁଇ ଜଣଙ୍କର ଘର ଡିହ ପଟ୍ଟାରେ ନାଉରୀ ଓ ଜମି ପଟ୍ଟାରେ କୈବର୍ତ୍ତ ନାମକ 2ଟି ଜାତି ରହିଥିବା ଜାଣିବାକୁ ପାଇଥିଲେ ଜ୍ୟୋତିର୍ମୟୀ । ଏନେଇ ଭୁବନ ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଯେତେବେଳେ ଗ୍ରାମବାସୀ ଏହି ଅଭିଯୋଗ ବିଷୟରେ ଜାଣିବାକୁ ପାଇଲେ ଗ୍ରାମରେ ବୈଠକ ଡକାଇଥିଲେ । ବୈଠକରେ ଜ୍ୟୋତିର୍ମୟୀଙ୍କ ଶ୍ବଶୁରଙ୍କୁ ବୋହୂ କରିଥିବା ଅଭିଯୋଗକୁ ଫେରାଇ ଆଣିବାକୁ ଜୋର ଦିଆଯାଇଥିଲା । କିନ୍ତୁ ଜ୍ୟୋତିର୍ମୟୀ କରିଥିବା ଅଭିଯୋଗକୁ ଫେରାଇ ଆଣିନଥିଲେ ।

ଏହାମଧ୍ୟ ପଢନ୍ତୁ.. ଦୂର ହେଉନି ଭେଦଭାବ, ଅଛୁଆଁ ଜାତି ବୋଲି ପାନୀୟ ଜଳ ମିଳୁନଥିବା ଅଭିଯୋଗ

ତେବେ ଜ୍ୟୋତିର୍ମୟୀଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ତହସିଲଦାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଜ୍ୟୋତିର୍ମୟୀଙ୍କ ଅଭିଯୋଗ ସଠିକ ବୋଲି ଜଣାପଡିଥିଲା । ପରେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ନାମ ବାଦ୍ କରି ଜ୍ୟୋତିର୍ମୟୀଙ୍କୁ ଅଙ୍ଗନଓ୍ବାଡି କର୍ମୀ ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସେ ଅକ୍ଟୋବର ମାସ ୧୦ ତାରିଖରେ ସେଣ୍ଟରର କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ହେଲେ ଗ୍ରାମବାସୀମାନେ ଆକ୍ରୋଶମୂଳକ ଭାବେ ସେମାନଙ୍କ ପିଲାଙ୍କୁ ଅଙ୍ଗନଓ୍ବାଡି ଛାଡିନଥିଲେ ।

ଏଥିସହ ପୁରା ପରିବାରକୁ ବାସନ୍ଦ ମଧ୍ୟ କରିଥିଲେ । ଗ୍ରାମର କୌଣସି ଲୋକ ସେମାନଙ୍କ ସହ କଥା ହେଉନାହାଁନ୍ତି, କେହି ବି ଦୋକାନୀ ସଉଦା ସାମଗ୍ରୀ ଦେଉନାହାନ୍ତି । ଏହି ପରିବାର ଲୋକଙ୍କ ସହିତ ଯିଏ କଥା ହେବ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଗ୍ରାମରେ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି ।

ତେବେ ଜ୍ୟୋତିର୍ମୟୀ ଓ ତାଙ୍କ ସ୍ବାମୀ ଏନେଇ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଡିଓ ଓ ଭୁବନ ଥାନାଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ । ଅନ୍ୟପଟେ ଏହି ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇନାହିଁ ବୋଲି କହିଛନ୍ତି ଗ୍ରାମ ସଭାପତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.