ETV Bharat / state

ନୂଆ ରୂପ ନେବ ମହିମା ଗାଦି; ୨୨ରେ ରୂପାନ୍ତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 20, 2023, 10:03 AM IST

Updated : Dec 20, 2023, 2:11 PM IST

ମହିମା ଗାଦି ରୂପାନ୍ତରିକରଣ
ମହିମା ଗାଦି ରୂପାନ୍ତରିକରଣ

Joranda Mahima Gadi lay foundation Stone: ସାକାର ହେବାକୁ ଯାଉଛି ମହିମା ସାଧୁମାନଙ୍କ ଦୀର୍ଘ ବର୍ଷର ପରିକଳ୍ପନା । ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିର ହେବ ନବକଳେବର । ଆସନ୍ତା ୨୨ ତାରିଖରେ ଏଠାରେ ୧୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ମହିମା ଗାଦି ରୂପାନ୍ତରିକରଣ

ଢେଙ୍କାନାଳ: ନୂଆ ରୂପ ପାଇବ ମହିମା ଗାଦି । ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ମହିମା ଗାଦିକୁ କରାଯିବ ରୂପାନ୍ତରିକରଣ । ଏଥିପାଇଁ ଫାଇଭ-ଟି ଅଧ୍ୟକ୍ଷ ଯୋରନ୍ଦା ଗସ୍ତ କରି ପ୍ୟାକେଜ ଘୋଷଣା କରିଥିଲେ । ଆଉ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରୂପାନ୍ତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପାଇଁ ଯୋରନ୍ଦା ସ୍ଥିତ ମହିମା ଗାଦିରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।

ସୂଚନା ଥାଉକି, ରାଜ୍ୟରେ ମଠ ମନ୍ଦିର ରୂପାନ୍ତରିକରଣ ଧାରାରେ ସାମିଲ ହୋଇଛି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ଗାଦି । ନୂତନ ଭାବେ ନିର୍ମାଣ ହେବାକୁ ଯାଉଛି ମହିମା ଗାଦିର ମୁଖ୍ୟ ମନ୍ଦିର । ଏଥିପାଇଁ ଗତ କିଛି ମାସ ପୂର୍ବେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋରନ୍ଦା ମହିମା ଗାଦି ଗସ୍ତ କରିଥିଲେ । ଏହାପରେ ମହିମା ସାଧୁ ଓ ମହିମା ପ୍ରେମୀମାନଙ୍କ ଅନୁରୋଧ କ୍ରମେ ପୀଠର ରୂପାନ୍ତରିକରଣ ପାଇଁ ତାଙ୍କର ପ୍ରସ୍ତାବରେ ମୋହର ଲଗାଇଥିଲେ ମୁଖ୍ୟମନ୍ତ୍ରୀ । ପୀଠର ମୁଖ୍ୟ ମନ୍ଦିର ନିର୍ମାଣ ସମେତ ବିଭିନ୍ନ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧୨ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ । ସେହି ଘୋଷଣା ମୁତାବକ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମହିମା ଗାଦିକୁ ଗସ୍ତ କରି ଏହି ୧୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ମହିମା ପ୍ରେମୀମାନେ ବେଶ ଆନନ୍ଦିତ ହୋଇପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତରଣ; ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ

ମହିମା ଧର୍ମର ଏହି ମୁଖ୍ୟ ପୀଠରେ ୩୬୦ ହାତର ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ବର୍ଷ ବର୍ଷ ଧରି ମହିମା ସାଧୁ ସନ୍ଥମାନେ ପରିକଳ୍ପନା କରିଥିଲେ । ମାତ୍ର ଅର୍ଥାଭାବ ଯୋଗୁଁ ଏହି ପରିକଳ୍ପନା କଳ୍ପନାରେ ରହିଯାଇଥିଲା । ଏହାସହ ପୀଠରେ ଅନ୍ୟ ମନ୍ଦିରଗୁଡି଼କ ଉନ୍ନତିକରଣ ସାଙ୍ଗକୁ ପର୍ଯ୍ୟଟକ ଓ ମହିମା ଶ୍ରଦ୍ଧାଳୁଙ୍କର ଆଗମନ ବୃଦ୍ଧିକୁ ନେଇ ଆନୁସଙ୍ଗିକ ବ୍ୟବସ୍ଥା ଜରୁରୀ ଥିଲା । ତେବେ ଏହି ପୀଠରେ ଏକ ଭବ୍ୟ ମୁଖ୍ୟ ମନ୍ଦିର ନିର୍ମାଣ ସାଙ୍ଗକୁ, ଶୂନ୍ୟ ମନ୍ଦିର, ବତୀ ମନ୍ଦିର, ଧୁନି ମନ୍ଦିରର ଉନ୍ନତିକରଣ, ପୁଷ୍କରିଣୀ, ପାର୍କ, ମହିମା ପାଠାଗାର ଓ ମ୍ୟୁଜିୟମ ଆଦି ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୧୨ କୋଟି ଟଙ୍କାର ପ୍ରକଳ୍ପରେ ସାମିଲ ଅଛି । ତେବେ ଏହାର ଶିଳାନ୍ୟାସ ପାଇଁ ମହିମା ଗାଦିକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ମହିମା ସାଧୁ । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ମହିମା ଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଆହୁରି ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ମହିମା ଗାଦିର ମୁଖ୍ୟ ସାଧୁ ତଥା ମହିମା ସତ୍ୟ ସମାଜର ସଭାପତି ବାବା ନିତ୍ୟାନନ୍ଦ ଦାସ ।


ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନେଇ ଚଳଚଞ୍ଚଳ ହୋଇ ଉଠିଛି ମହିମା ଗାଦି । ବାରିକେଡ୍‌, ସଭା ମଣ୍ଡପ ଓ ପାର୍କିଂ ଆଦି ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଓ ସାଧୁସନ୍ଥଙ୍କ ସମାଗମ ପାଇଁ ତତ୍ପର ହୋଇଉଠିଛନ୍ତି ବିଜେଡି କର୍ମୀ ଓ ନେତା । ସ୍ଥାନୀୟ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପର୍ଯ୍ୟନ୍ତ ଆଗଧାଡ଼ିର ନେତାମାନେ ଯୋରନ୍ଦା ମହିମା ଗାଦିରେ ଏକ ପ୍ରକାର ଡେରା ପକାଇଥିବା ଦେଖିବାକୁ ମିଳିଛି । କିପରି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସଫଳ ହେବେ ସେଥିପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ।


ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରାଜନୈତିକ ମହଲରେ ଯାହା ପ୍ରଭାବ ପଡ଼ୁ ନ ପଡ଼ୁ କିନ୍ତୁ ମହିମା ଗାଦିର ବିକାଶ ପାଇଁ ଏହି ପ୍ରକଳ୍ପ ମହିମାପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ମହିମା ଗାଦିକୁ ଆହୁରି ଆକର୍ଷିତ କରିବ । ଏହା ଯେ, ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ଆଉ ଏକ ନୂଆ ଦିଶା ଯୋଗାଇବ ଏଥିରେ ସନ୍ଦେହ ନାହିଁ ।


ଇଟିଭି ଭାରତ, ଢେଙ୍କାନାଳ

Last Updated :Dec 20, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.