ETV Bharat / state

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତରଣ; ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ

author img

By

Published : Jun 16, 2023, 8:36 PM IST

ନୂଆ ରୂପରେ ଉଭା ହେବ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ପୀଠ। ଏଥିପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ

ରୂପାନ୍ତର ହେବ ପ୍ରସିଦ୍ଧ ମହିମା ପୀଠ
ରୂପାନ୍ତର ହେବ ପ୍ରସିଦ୍ଧ ମହିମା ପୀଠ

ରୂପାନ୍ତର ହେବ ପ୍ରସିଦ୍ଧ ମହିମା ପୀଠ

ଢେଙ୍କାନାଳ: ରୂପାନ୍ତର ହେବ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ସମ୍ପୂର୍ଣ୍ଣ ରୁପାନ୍ତର କରାଯିବା ପରେ ଏହି ଗାଦି ପୀଠର କାୟାକଳ୍ପରେ ଆସିବ ପରିବର୍ତ୍ତନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କେ ପାଣ୍ଡିଆନଙ୍କ ମହିମା ପୀଠ ପରିଦର୍ଶନ ପରେ ଏପରି ଖବର ସାମନାକୁ ଆସିଛି। 5T ସଚିବଙ୍କ ପରାମର୍ଶକ୍ରମେ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରକଳ୍ପକୁ ଅନୁମୋଦିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ମହିମା ଗାଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ୧୧୨କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ପରେ ମହିମା ପୀଠରେ ଖୁସିର ଲହରୀ ଖେଳିଯାଇଛି। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଥିବା ବିଶ୍ୱର ଏହି ମୁଖ୍ୟ ମହିମା ପୀଠ ଏକ ନୂଆ ରୂପ ନେବାକୁ ଯାଉଛି । ଯାହାକୁ ନେଇ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପକୁ ସାଧୁବାଦ ଜଣାଇ କୃତଜ୍ଞତା ପ୍ରକାଶ କରିଛନ୍ତି।

ଗତ ମେ ୨୯ ତାରିଖରେ ଯୋରନ୍ଦା ମହିମା ଗାଦି ପରିଦର୍ଶନରେ ଯାଇଥିଲେ 5T ସଚିବ ଭି.କେ. ପାଣ୍ଡିଆନ। ପରିଦର୍ଶନ କରିବା ପରେ ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରି ପ୍ରକଳ୍ପ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଆଉ ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରକଳ୍ପ ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ ମହିମା ଗାଦିର ରୂପାନ୍ତର ପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ କରିଛନ୍ତି ।

ଏହି ପ୍ରକଳ୍ପ ମୁତାବକ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି । ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନଃ ନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ ବୋଲି ଜଣାପଡିଛି। ଏହା ସହିତ ଗାଦିପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକୀକରଣ କରାଯିବ।

ଯୋରନ୍ଦା ଜଗନ୍ନାଥ ମନ୍ଦିରଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ସୌନ୍ଦର୍ଯୀକରଣ ପାଇଁ ପୂର୍ବ ପଟରେ ଥିବା ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ ବୋଲି ଜଣାପଡିଛି। ଏହା ସହିତ ଆଲୋକୀକରଣ ସହିତ ପ୍ରମନେଡ ତିଆରି କରାଯିବ। ସାଧୁ ଓ ଭକ୍ତମାନଙ୍କ ପାଇଁ ୨୦୦ ଶୌଚାଳୟ ନିର୍ମାଣ କରାଯିବ। ପୁରା ପ୍ରକଳ୍ପରେ ସାଧୁସନ୍ଥ, ଭକ୍ତ ଓ ଅତିଥିମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯୀକରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନକେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.