ETV Bharat / state

ଦୃଷ୍ଟି ଆଢୁଆଳରେ ଦେବଗଡର ଦେଓଝରଣ ଜଳପ୍ରପାତ

author img

By

Published : Oct 19, 2021, 11:36 AM IST

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦେଓଝରଣ ଜଳପ୍ରପାତ
ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦେଓଝରଣ ଜଳପ୍ରପାତ

ସବୁଜ ବନାନୀ ପରିବେଷ୍ଟିତ ରମଣୀୟ ପ୍ରକୃତି କୋଳରେ ଅବସ୍ଥିତ ଦେଓଝରଣ ଜଳପ୍ରପାତ । ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶାର ଦେବଗଡ ଜିଲ୍ଲାରେ ଅବସ୍ଥିତ । କିନ୍ତୁ ଏହାର ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହା ନିଜର ଆକର୍ଷଣ ହରାଇବାକୁ ବସିଛି । ଅଧିକ ପଢନ୍ତୁ...

ଦେବଗଡ଼: ସବୁଜ ବନାନୀ ପରିବେଷ୍ଟିତ ରମଣୀୟ ପ୍ରକୃତି କୋଳରେ ଅବସ୍ଥିତ ଦେଓଝରଣ ଜଳପ୍ରପାତ । ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶାର ଦେବଗଡ ଜିଲ୍ଲାରେ ଅବସ୍ଥିତ । କିନ୍ତୁ ଦୀର୍ଘବର୍ଷ ହେଲା ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହା ନିଜର ଆକର୍ଷଣ ହରାଇବାକୁ ବସିଛି ।

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦେଓଝରଣ ଜଳପ୍ରପାତ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଚଟିବରଘାଟ ଛକ ସ୍ଥିତ 49 ନମ୍ବର ଜାତୀୟ ରାଜପଥରୁ ଗୋହିରା ଡ୍ୟାମକୁ ଯାଇଥିବା ରାସ୍ତାର ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦେଓଝରଣ ଜଳ ପ୍ରପାତ । ନିଘଞ୍ଚ ଅରଣ୍ୟ ପରିବେଷ୍ଠିତ ପ୍ରାକୃତିକ ପରିବେଶ ମଧ୍ୟରେ ପାହାଡ଼ ଛାତିକୁ ଚିରି ବୋହି ଆସୁଥିବା ସୁନ୍ଦର ଝରଣା ଓ ସେଠାରେ ସୃଷ୍ଟି ହୋଇଥିବା ଏକ ପ୍ରାକୃତିକ ଗଣ୍ଡର ଅପୂର୍ବ ଶୋଭା ସହଜେ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଏହି ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ମାସଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ, ଏଠାକୁ ଦୁରଦୁରାନ୍ତରୁ ପର୍ଯ୍ୟଟକ ଓ ପିକନିକ ପାର୍ଟିଙ୍କ ସୁଅ ଛୁଟିଥାଏ । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା, ଦୀର୍ଘବର୍ଷ ହେବ ଜିଲ୍ଲାର ଏହି ମନୋରମ ପର୍ଯ୍ୟଟନ ସ୍ଥଳୀଟି ପ୍ରଶାସନିକ ଅବହେଳା କାରଣରୁ ନିଜ ଆକର୍ଷଣ ହରାଇବାକୁ ବସିଛି ।

ବହୁବର୍ଷ ପୂର୍ବରୁ ବନବିଭାଗ ପକ୍ଷରୁ ଏହାର ଉନ୍ନତିକରଣ କରାଯାଇ ଅନେକ ପିଣ୍ଡି, ରାସ୍ତା ଓ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ତେଣୁ ଏଠାକୁ ଆସୁଥିବା ଦର୍ଶକ ଓ ପର୍ଯ୍ୟଟକଙ୍କୁ ଏହା ବହୁମାତ୍ରାରେ ନିରାଶ କରିଛି । ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଗଲେ ଏଠାକୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.