ETV Bharat / state

ରାବଣ ପୋଡି ଉତ୍ସବରେ ହଟହଟା ସାଂସଦଙ୍କ ପତ୍ନୀ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ଅରୁନ୍ଧତୀ

author img

By ETV Bharat Odisha Team

Published : Oct 26, 2023, 7:32 PM IST

ରାବଣ ପୋଡିରେ ଅତିଥି ଭାବେ ଯାଇ ଠେଲାପେଲା ତଥା ଅସଦାଚରଣର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ସାସଂଦଙ୍କ ପତ୍ନୀ । ସେପଟେ ପାଲଟା ଅଭିଯୋଗ କରିଛନ୍ତି କମିଟି ସଦସ୍ୟ । ଅଧିକ ପଢନ୍ତୁ

arundhati files complain
ପୁଣି ବିବାଦରେ ଅରୁନ୍ଧତୀ

ପୁଣି ବିବାଦରେ ଅରୁନ୍ଧତୀ

ଦେବଗଡ଼: ରାବଣ ପୋଡିରେ ଘଟିଲା ଲଙ୍କାକାଣ୍ଡ । ପୁଣି ବିବାଦରେ ଛନ୍ଦି ହେଲେ ସାଂସଦ ନିତେଶ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ । ପୂଜା କମିଟି କର୍ମକର୍ତ୍ତାଙ୍କ ଦ୍ଵାରା ହଟହଟା ହେଲେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ । ଏନେଇ ଉଭୟ ପକ୍ଷରୁ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ସେପଟେ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।



ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଦେବଗଡ଼ ରାଜ ପରିବାର ସଦସ୍ୟ ତଥା ସମ୍ବଲପୁର ଲୋକସଭା ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ଗତ କିଛିଦିନ ପୂର୍ବରୁ ରାଜନୈତିକ ବୟନବାଜିକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ , ଏବେ ପୁଣି ରାବଣ ପୋଡି ଉତ୍ସବରେ ମୁଖ୍ୟ ଅତିଥି କରାଯିବାକୁ କେନ୍ଦ୍ର କରି ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କ ସହ ବିବାଦ ଉପୁଜିଛି ।

ସୂଚନା ଅନୁଯାୟୀ , ଗତକାଲି ଦେବଗଡ଼ ଖପର ସାହି ସ୍ଥିତ ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି ଉତ୍ସବ କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଅରୁନ୍ଧତୀ ଦେବୀ ନିମନ୍ତ୍ରିତ ହୋଇନଥିଲେ ସୁଦ୍ଧା ସେ ତାଙ୍କ ସମର୍ଥକଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପୂଜା କମିଟି ସଦସ୍ୟ । ଅରନ୍ଧତୀ ନିଜକୁ ଅତିଥି କରିବାକୁ କମିଟି କର୍ମକର୍ତ୍ତାଙ୍କୁ କହିଥିବା ଅଭିଯୋଗ ହୋଇଛି । ମାତ୍ର କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିବାରୁ ତାଙ୍କୁ ଅତିଥି କରିବା ସମ୍ଭବ ନୁହଁ , ବୋଲି କମିଟି କର୍ମକର୍ତ୍ତା ସ୍ପଷ୍ଟ ଭାବେ ମନା କରିଦେଇଥିଲେ । ଏହାକୁ ନେଇ କମିଟି ସଭାପତି ଉମାଶଙ୍କର ସାହୁ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ।

ଏହା ବି ପଢନ୍ତୁ...Sambalpur Politics: ଧର୍ମେନ୍ଦ୍ରଙ୍କ ବିରୋଧରେ ଦେବଗଡ ରାଣୀଙ୍କ ବିଷୋଦଗାର, ନିର୍ବାଚନ ଲଢିବାକୁ ଖୋଲା ଆହ୍ୱାନ

ଏହାପରେ ସେ ସେଠାରୁ ଅପମାନିତ ହୋଇ ଦେବଗଡ଼ ଆଦର୍ଶ ଥାନାକୁ ଆସି କମିଟି ସଭାପତି ଉମାଶଙ୍କର ସାହୁ ଓ ଅନ୍ୟ କର୍ମକର୍ତ୍ତା ତାଙ୍କୁ ଠେଲାପେଲା, ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ନେଇ ଏତଲା ଦେଇଥିବା ଅଭିଯୋଗ ଆଣିଛନ୍ତି କମିଟି ସଦସ୍ୟ । ସେପଟେ ଘଟଣାକୁ ନେଇ ଭିନ୍ନ ମତ ରଖିଛନ୍ତି ଅରୁନ୍ଧତୀ । ସେ କହିଛନ୍ତି, "ମୋତେ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା । ଆଉ ମୁଁ ଗଲା ପରେ ସେମାନେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏଣୁ ନ୍ୟାୟ ପାଇଁ ମୁଁ ଥାନାର ଦ୍ବାରସ୍ଥ ହୋଇଛି ।"

ସେପଟେ ଅରୁନ୍ଧତୀଙ୍କୁ ବିରୋଧ କରି ଆଜି ପୂଜା କମିଟି ସଭାପତି ଉମାଶଙ୍କର ସାହୁଙ୍କ ସହିତ ଶତାଧିକ କମିଟି କାର୍ଯ୍ୟକର୍ତ୍ତା ଓ ସାହିବାସିନ୍ଦା ଆଦର୍ଶ ଥାନାକୁ ଆସି ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ କମିଟି କାର୍ଯ୍ୟକର୍ତ୍ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ଅପପ୍ରଚାର କରି ସମ୍ମାନ ହାନି କରିଥିବା ଅଭିଯୋଗ କରି ଅରୁନ୍ଧତୀଙ୍କ ବିରୋଧରେ ଏତଲା ଦେଇଛନ୍ତି କମିଟି ସଦସ୍ୟ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.