ETV Bharat / state

ରାସ୍ତା ପାଇଁ ହୀନସ୍ତା, ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ

author img

By

Published : May 21, 2023, 10:37 PM IST

ଦେବଗଡ଼ ଜିଲ୍ଲାର ଦୁର୍ଗମ ପାଉଡି ଭୂୟାଁ ଅଧ୍ୟୁଷିତ ଅଞ୍ଚଳରେ ନିମ୍ନମାନର ରାସ୍ତା ତିଆରି ଅଭିଯୋଗ । ଅଧିକ ପଢ଼ନ୍ତୁ

road problem in deogarh
ନିମ୍ନମାନର ରାସ୍ତା ତିଆରି ଅଭିଯୋଗ

ନିମ୍ନମାନର ରାସ୍ତା ତିଆରି ଅଭିଯୋଗ

ଦେବଗଡ଼: ସରକାରଙ୍କ ଗ୍ରାମ୍ୟ ସଡ଼କ ଯୋଜନା ଅଧିନରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ତିଆରି ହେଉଛି । ହେଲେ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । ଯାହା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଠିଆନାଳ ଠାରୁ ଔତଳ ପର୍ଯ୍ୟନ୍ତ ଯାଇଥିବା 26 କିଲୋମିଟର ରାସ୍ତା ଅବସ୍ଥାରୁ ସଠିକ ଅନୁମେୟ । ଏହି ରାସ୍ତାରୁ ସମ୍ପୂର୍ଣ୍ଣ ଭାବେ ପିଚୁ ଉଠିଯାଇ ମେଟାଲ ବାହାରି ପଡିଛି । ରାସ୍ତାର ଅଧିକାଂଶ ସ୍ଥାନରେ 3/4 ଫୁଟ ପର୍ଯ୍ୟନ୍ତ ଗାଡ଼ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ବର୍ଷାପାଣି ଜମି ରହୁଛି । ଫଳରେ ରାସ୍ତା ଦେଇ ଯାନବାହନ ଚଳାଚଳ କରିବା ତ ଦୂରରକଥା ପାଦରେ ଚାଲି ଯିବା ଆସିବା କରିବା ଲୋକଙ୍କ ପକ୍ଷରେ କାଠିକର ପାଠ ହୋଇ ପଡିଛି ।

ଗତ ଆଠବର୍ଷ ପୂର୍ବରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହି ରାସ୍ତାଟି ନିର୍ମାଣ କରାଯାଇଥିଲା । ପାଉଡି ଭୂୟାଁ ଅଧ୍ୟୁଷିତ ଗୁରୁସଙ୍ଗ ଓ ସରୁଆଳି ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯାନବାହନ ଚଳାଚଳ କଲେ ଲୋକେ ସୁବିଧାରେ ଯାତାୟତ କରିପାରିବେ । ସେହି ଲକ୍ଷ୍ୟରେ ସରକାର ନିର୍ମାଣ କରିଥିଲେ ଏହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ରାସ୍ତା । ଏଥିରେ ବିଭିନ୍ନ ପର୍ଯ୍ୟାୟରେ ଖର୍ଚ୍ଚ ହୋଇଥିଲା କୋଟିକୋଟି ଟଙ୍କା । ମାତ୍ର ମୁନାଫାଖୋର ଠିକାସଂସ୍ଥା ଓ ଅସାଧୁ ବିଭାଗୀୟ ଅଧିକାରୀଙ୍କ ମଧିଚନ୍ଦ୍ରିକାରେ ନିର୍ମାଣ ହୋଇଥିବା ରାସ୍ତାଟି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ଆଠବର୍ଷ ହେଲା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଗୁରୁସଙ୍ଗ ଓ ସରୁଆଳି ପଞ୍ଚାୟତରୁ 49 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିଥାଏ । ରାସ୍ତା ଉପରେ ଉପରୋକ୍ତ ଦୁଇଟି ପଞ୍ଚାୟତର କଦଳିଡିହି, ବାଲିଡ଼ିହି, ଗାଡ଼ିଆ, ଔତଳ, ମର୍ହା, ଖୁଣ୍ଟାଡ଼ିହି, ଟାଇସିରା, ମାଦଳିଆ, ସରୁଆଳି, ଗୁରୁସଙ୍ଗ ଓ ଠିଆନାଳ ଆଦି 16 ଖଣ୍ଡ ପାଉଡ଼ିଭୂୟାଁ ଗାଁର ଲୋକେ ନିର୍ଭର କରିଥାନ୍ତି ।

ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, "ଦୀର୍ଘବର୍ଷ ହେବ ଏହି ରାସ୍ତାର ଆଖିଦୃଶିଆ ମରାମତି ହୋଇପାରିନାହିଁ । କେବଳ ଧର୍ମକୁ ଆଖିଠାର ସଦୃଶ ବିଭାଗୀୟ କର୍ତ୍ତୃପକ୍ଷ କିଛି ଅଂଶ ଅତି ନିମ୍ନମାନର ମରାମତି କରାଇ ନିଜ ଦାଇତ୍ୱ ସାରି ଚୁପ ବସିଛନ୍ତି । ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇ ଏହି ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ କରିଛି । ଗାଡି଼ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି ।" ଏଠାରେ ସୂଚନା ଯୋଗ୍ୟ ଯେ, ଠିଆନାଳ ଠାରୁ ଔତଳ ପର୍ଯ୍ୟନ୍ତ ଯାଇଥିବା 26 କିଲୋମିଟର ରାସ୍ତାଟି ପୂର୍ବରୁ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ କିଛିବର୍ଷ ହେଲା ଏହା ପୂର୍ତ୍ତ ବିଭାଗ ଅଧୀନକୁ ହସ୍ତାନ୍ତର ହୋଇଛି । ଏହି ରାସ୍ତା ଖଣ୍ଡିକ ଅଧିକ ପ୍ରଶସ୍ତ କରି ନୂଆଁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଇତି ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ସୁଦ୍ଧା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରୁନାହିଁ । ରାସ୍ତା ଉପରେ କେବଳ ନିଜ ଫଳକ ସ୍ଥାପନ କରି ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ମଧ୍ୟ ଚୁପ ରହିଛନ୍ତି । ସେପଟେ, ରାସ୍ତା ଅବସ୍ଥା ଦିନକୁ ଦିନ ଅଧିକ ଶୋଚନୀୟ ହୋଇପଡୁଥିବାରୁ ଏହି ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳି ପାରୁନାହିଁ । ତେଣୁ ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।


ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.