ETV Bharat / state

କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣା, ହାତଲେଖା ଚିଠି ନେଇ ବଢିଲା ଚର୍ଚ୍ଚା

author img

By

Published : Jan 14, 2023, 12:27 PM IST

Updated : Jan 14, 2023, 3:35 PM IST

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା । ସ୍କୁଟିରୁ ମିଳିଲା ହାତଲେଖା ଚିଠି । ଚିଠିରେ ମୃତ୍ୟୁ ପାଇଁ ଜଣେ ଓସିଏ କର୍ମକର୍ତ୍ତାଙ୍କୁ ଦାୟୀ କରାଯାଇଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା
କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ଘଟଣା

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲା ସାରା ରାଜ୍ୟରେ ଚହଳ ପକାଇଛି । ଶୁକ୍ରବାର କଟକ ଜିଲ୍ଲା ଗୁରୁଡିଝାଡିଆ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର ପରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ସାମ୍ନାକୁ ଆସିଛି ଏକ ଦୁଇ ଧାଡ଼ିଆ ହାତଲେଖା ଚିଠି । ରାଜଶ୍ରୀଙ୍କ ସ୍କୁଟି ଡିକିରୁ ଏହି ଚିଠି ମିଳିଛି । ତେବେ ଉକ୍ତ ଚିଠିରେ ମହିଳା କ୍ରିକେଟରଙ୍କ ମୃତ୍ୟୁ ପଛରେ ଜଣେ ଓସିଏ କର୍ମକର୍ତ୍ତା ରହିଥିବା ନେଇ ଉଲ୍ଲେଖ କରାଯାଇଥିବା କୁହାଯାଉଛି । ପ୍ରକୃତରେ ଏହି ଚିଠି ତାଙ୍କର ନାଁ ଆଉ କାହା ଦ୍ବାରା ଲେଖାଯାଇଛି ସେନେଇ ପୋଲିସ ହ୍ୟାଣ୍ଡ ରାଇଟିଂ ଯାଞ୍ଚ କରିବ ।

ଯାହା ସୂଚନା ମିଳିଛି, ପୋଲିସ ଯାଞ୍ଚ ପାଇଁ ଉକ୍ତ ଚିଠିକୁ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖକୁ ପଠାଇବ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ପ୍ରକାଶଥାଉ କି, କଟକ ବଜ୍ରକବାଟି ସ୍ଥିତ ଏକ ହୋଟେଲରେ ରହୁଥିଲେ ରାଜଶ୍ରୀ ଓ ଅନ୍ୟାନ୍ୟ ଖେଳାଳି । ଟାଙ୍ଗୀସ୍ଥିତ ଏକ ଘରୋଇ କଲେଜରେ ଚାଲିଥିଲା ଅଭ୍ୟାସ । ମୋଟ ୩୯ ଜଣ ଖେଳାଳୀଙ୍କ ଭିତରୁ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୨୫ ଜଣିଆ ଟିମ୍‌ରେ ରାଜଶ୍ରୀ ଥିଲେ । କିନ୍ତୁ ଅନ୍ତିମ ୧୬ ଜଣିଆ ଟିମରେ ତାଙ୍କୁ ସ୍ଥାନ ମିଳିନଥିଲା । ଏହାପରେ ୧୧ ତାରିଖ ସକାଳୁ ରାଜଶ୍ରୀ ନିଜ ସ୍କୁଟି ଧରି କୁଆଡେ ଚାଲିଯାଇଥିଲେ ।

ପରେ ସେ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା । ବହୁ ଖୋଜାଖୋଜି ପରେ ଶୁକ୍ରବାର ସକାଳ ସମୟରେ ଆଠଗଡ କପୁରସିଂ ଜଙ୍ଗଲରୁ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ ପ୍ରଥମେ ମିଳିଥିଲା । ଏହାର ୨୦୦ ମିଟର ଦୂରରେ ଗୁରୁଡିଝାରିଆ ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ: କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲା: ବ୍ୟବଛେଦ ରିପୋର୍ଟ ତଦନ୍ତକୁ ମଜଭୁତ କରିବ କହିଲେ ଡିସିପି

ରାଜଶ୍ରୀଙ୍କ ଦୁଇ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । ମୁହଁରେ ମଧ୍ୟ କ୍ଷତ ଚିହ୍ନ ରହିଥିଲା । ତେବେ ତାଙ୍କର ମୃତ୍ୟୁକୁ ନେଇ ଓସିଏ ଚୟନ ପ୍ରକ୍ରିୟାକୁ ପରିବାର ଲୋକେ ଦାୟୀ କରିଥିବା ବେଳେ ସ୍କୁଟିରୁ ମିଳିଥିବା ହାତଲେଖା ଚିଠିରେ ଜଣେ ଓସିଏ କର୍ମକର୍ତ୍ତାଙ୍କୁ ଦାୟୀ କରାଯାଇଥିବା କୁହାଯାଉଛି ।

ଇଟିଭି ଭାରତ, କଟକ

Last Updated :Jan 14, 2023, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.