ETV Bharat / state

କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲା: ବ୍ୟବଛେଦ ରିପୋର୍ଟ ତଦନ୍ତକୁ ମଜଭୁତ କରିବ କହିଲେ ଡିସିପି

author img

By

Published : Jan 13, 2023, 9:58 PM IST

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଲେ କଟକ ଡିସିପି ପିନାକ ମିଶ୍ର । ବର୍ତ୍ତମାନ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛୁ ବୋଲି ଡିସିପି କହିଛନ୍ତି । ଅଧିକ ପଢ଼ନ୍ତୁ

Rajashree Swain Death Case
Rajashree Swain Death Case

କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲାରେ କଟକ ଡିସିପିଙ୍କ ପ୍ରତିକ୍ରିୟା

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଓସିଏ ଚୟନ ପ୍ରକ୍ରିୟାକୁ ଦାୟୀ କରିଛନ୍ତି ପରିବାର । ସେପଟେ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା କହିଛନ୍ତି OCA ସିଇଓ ସୁବ୍ରତ ବେହେରା । ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ DCP ପିନାକ ମିଶ୍ର । ବର୍ତ୍ତମାନ ପାଇଁ ଗୁରୁଡିଝାଟିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମୃତଦେହ ବ୍ଯବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତରେ ସହାୟକ ହେବ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛୁ ବୋଲି ଡିସିପି କହିଛନ୍ତି ।

ସୂଚନାଅନୁସାରେ, କଟକ ବଜ୍ରକବାଟିସ୍ଥିତ ଏକ ହୋଟେଲରେ ରହୁଥିଲେ ରାଜଶ୍ରୀ ଓ ଅନ୍ୟାନ୍ୟ ଖେଳାଳୀ । ଟାଙ୍ଗୀସ୍ଥିତ ଏକ ଘରୋଇ କଲେଜରେ ଚାଲିଥିଲା ଅଭ୍ୟାସ । ମୋଟ ୩୯ ଜଣ ଖେଳାଳୀଙ୍କ ଭିତରୁ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୨୫ ଜଣିଆ ଟିମ୍‌ରେ ଥିଲେ ରାଜଶ୍ରୀ । କିନ୍ତୁ ଅନ୍ତିମ ୧୬ ଜଣିଆ ଟିମରେ ତାଙ୍କୁ ସ୍ଥାନ ମିଳିନଥିଲା । ଗତ ୧୧ ତାରିଖ ଦିନ ବାପାଙ୍କୁ ଔଷଧ ଦେବାକୁ ପୁରୀ ଯାଉଛି କହି କୋଚ୍‌ଙ୍କ ଠାରୁ ଅନୁମତି ନେବା ପରେ ନିଜ ସ୍କୁଟିରେ ବାହାରି ଥିଲେ । ତେବେ ସେ ଘରେ ପହଞ୍ଚି ନଥିବା ତାଙ୍କ ଭଉଣୀ କୋଚ୍‌ଙ୍କୁ ଜଣାଇଥିଲେ । ଏନେଇ ବହୁ ଖୋଜାଖୋଜି ପରେ ମଙ୍ଗଳାବାଗ ଥାନାରେ ଏକ ନିଖୋଜ ରିପୋର୍ଟ କରିଥିଲେ ଟିମ୍‌ର କୋଚ୍‌ ପୁଷ୍ପାଞ୍ଜଳି ବାନାର୍ଜୀ । ଆଜି ସକାଳ ସମୟରେ ଜଙ୍ଗଲ ନିକଟ ରାସ୍ତା କଡ଼ରୁ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ ପ୍ରଥମେ ମିଳିଥିଲା । ତାପରେ ଜଙ୍ଗଲ ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା ।

ବହୁ ଖୋଜାଖୋଜି ପରେ କଟକ ଖୁଣ୍ଟୁଣି ଗୁରୁଡିଝାରିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଠଗଡ କପୁରସିଂ ଜଙ୍ଗଲରୁ ତାଙ୍କ ଗାଡି ଓ ହେଲମେଟ ମିଳିଥିଲା । ସେଠାରୁ ୨୦୦ ମିଟର ଦୂରରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ଦୁଇ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ମୁହଁରେ ମଧ୍ୟ କ୍ଷତ ଚିହ୍ନ ରହିଛି । ଶରୀରରେ ମଧ୍ୟ ଏକାଧିକ କ୍ଷତ ଚିହ୍ନ ରହିଛି । କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସମୟରେ ରାଜଶ୍ରୀଙ୍କ ମୃତ୍ୟକୁ ନେଇ ସସପେନ୍ସ ଜାରି ରହିଛି । ଦଳରେ ସ୍ଥାନ ପାଇନଥିବା ନେଇ ରାଜଶ୍ରୀ ନିରାଶ ଥିବା ଅନୁମାନ କରାଯାଉଥିଲା । ତେଣୁ ଗୋଟିଏ ପଟେ ଝିଅର ମୃତ୍ୟ ପାଇଁ ପରିବାର OCAକୁ ଦାୟୀ କରୁଥିବାବେଳେ ଅନ୍ୟପଟେ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା ସ୍ପଷ୍ଟ କରିଛି ଓଡିଶା କ୍ରିକେଟ ସଂଘ ।

ଖବର ପାଇ କମିଶନରେଟ ପୋଲିସର ଏକ ଟିମ୍‌ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ରାଜଶ୍ରୀଙ୍କୁ ଷଡଯନ୍ତ୍ର କରି ଟିମ୍‌ରୁ ବାଦ ଦିଆଯାଇଛି ଏବଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ରାଜଶ୍ରୀଙ୍କ ପରିବାରବର୍ଗ । ତେବେ ଯେଉଁ ହୋଟେଲରେ ରାଜଶ୍ରୀ ରହୁଥିଲେ, ସେହି ହୋଟେଲକୁ ଯାଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ । ଅନେକ ବ୍ୟକ୍ତିଙ୍କୁ ପଚରାଉଚରା ମଧ୍ୟ ଜାରି ରହିଛି । ଏନେଇ କଟକ DCPଙ୍କ ସୂଚନା ଅନୁସାରେ, "ବର୍ତ୍ତମାନ ପାଇଁ ଗୁରୁଡିଝାଟିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଆଗକୁ ମଙ୍ଗଳାବାଗ ଥାନାରେ ଯଦି ଅନ୍ୟ କିଛି ଅଭିଯୋଗ ହୁଏ, ତେବେ ତାହାକୁ ଆଧାର କରି ତଦନ୍ତ ଆଗେଇବ । ମୃତଦେହ ବ୍ଯବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତରେ ସହାୟକ ହେବ ।" ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛୁ ବୋଲି ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.