ETV Bharat / state

ବୋର୍ଡର ତ୍ରୁଟି ! A ସେଟରେ ପରୀକ୍ଷା ଦେଇଥିଲେ, ରିଚେକିଂରେ ଆସିଲା D-ସେଟ ଉତ୍ତର ଖାତା

author img

By

Published : May 17, 2023, 8:28 PM IST

BSE summative assessment  result problem
ସମେଟିଭ ପରୀକ୍ଷା ଫଳରେ ତ୍ରୁଟି ଅଭିଯୋଗ

A ସେଟରେ ପରୀକ୍ଷା ଦେଇଥିଲେ, ରିଚେକିଂରେ D ସେଟର ଉତ୍ତର ଖାତା ଆସିଲା । ତଦନ୍ତ ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ତ ହେଲେ ପରୀକ୍ଷାର୍ଥୀ । ଅଧିକ ପଢ଼ନ୍ତୁ

ସମେଟିଭ ପରୀକ୍ଷା ଫଳରେ ତ୍ରୁଟି ଅଭିଯୋଗ

କଟକ: ରାତି ପାହିଲେ ପ୍ରକାଶ ପାଇବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ। ଏନେଇ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ପରୀକ୍ଷା ଫଳକୁ ନେଇ ପରୀକ୍ଷାର୍ଥୀ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । କିନ୍ତୁ ସମ୍ବଲପୁରର ଦଶମ ଶ୍ରେଣୀ ଛାତ୍ରୀ ଆଞ୍ଚଲ ସୁଆରଙ୍କ ରେଜଲ୍ଟକୁ ନେଇ ବୋର୍ଡ଼ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମେଟିଭ ୧ ପରୀକ୍ଷା ଫଳରେ ତ୍ରୁଟି ଥିବା ନେଇ ସେ ଅଭିଯୋଗ କରିଛନ୍ତି । ପ୍ରଶ୍ନପତ୍ର ସେଟ କୋର୍ଡ଼ ବଦଳ ହୋଇଥିବା ସେ ବୋର୍ଡ଼ ନିକଟରେ ଅଭିଯୋଗ କରିଛନ୍ତି ।

ସମ୍ବଲପୁର ଜିଲ୍ଲା ବୁଢାରାଜା ନୋଡାଲ ହାଇସ୍କୁଲର ଛାତ୍ରୀ ଆଞ୍ଚଲ ସୁଆର ଗତ ବର୍ଷ ନଭେମ୍ବର ୧୨ରେ ସମେଟିଭ ୧ ପରୀକ୍ଷା ଦେଇଥିଲେ । ଜାନୁଆରୀ ୧୮ ତାରିଖରେ ଫଳ ପ୍ରକାଶ ପାଇଥିଲା । ପରୀକ୍ଷା ଫଳ ଦେଖି ସେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ସବୁ ବିଷୟରେ ଭଲ ପ୍ରତିଶତ ମାର୍କ ରହିଥିବା ବେଳେ ସାମାଜିକ ବିଜ୍ଞାନର ଓଏମଆରରେ ୫୦ରୁ ମାତ୍ର ୧୩ ମାର୍କ ରହିଥିଲା । ଉକ୍ତ ମାର୍କରେ ସେ ସନ୍ତୁଷ୍ଟ ନହେବାରୁ ଉତ୍ତର ଖାତାର ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ । ତେବେ ଏହାର ଯାଞ୍ଚ ପରେ ତାଙ୍କର ଓଏମଆର ଉତ୍ତର ଖାତାର କୋର୍ଡ଼ ବଦଳି ଯାଇଥିବା ଜାଣିବାକୁ ପାଇଥିଲେ । A ସେଟର ଓଏମଆର ବଦଳରେ D ସେଟ ଚିହ୍ନଟ ହୋଇଥିଲା । ଉତ୍ତର ଖାତାରେ ହ୍ଵାଇଟନର ମରାଯାଇଥିବା ସେ ଦେଖିଥିଲେ।

ଏନେଇ ପରୀକ୍ଷାର୍ଥୀ ଜଣକ କହିଛନ୍ତି, "ପରୀକ୍ଷା କେନ୍ଦ୍ରକୁ କୌଣସି ଇରେଜର କିମ୍ବା ହ୍ଵାଇଟନର ନେବାକୁ ଅନୁମତି ନଥିବା ବେଳେ ଉତ୍ତର ଖାତାରେ କିପରି ଆଉ କିଏ ଏପରି କୋଡ ପରିବର୍ତ୍ତନ କଲା । ଏହାର ସତ୍ୟାସତ୍ୟ ଜାଣିବାକୁ ବାରମ୍ବାର ବୋର୍ଡ଼ କର୍ତ୍ତୃପକ୍ଷଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇପଡିଥିଲେ ବି କୈଣସି ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ । ବୋର୍ଡ଼ କର୍ତ୍ତୃପକ୍ଷ ସମୟ ଲାଗିବ କହି ବାରମ୍ବାର ଫେରାଉଛନ୍ତି । ଯଦି ଯଥାଶୀଘ୍ର ଏହାର ତଦନ୍ତ କରାନଯାଏ, ତେବେ ମୋ ପାଠପଢ଼ା ଉପରେ ପ୍ରଭାବ ପକାଇବ ଏବଂ କୋର୍ଟର ଦ୍ବାରସ୍ତ ହେବି ।" ସମେଟିଭ ୧ ପରୀକ୍ଷା ଫଳରେ ଏପରି ତ୍ରୁଟି ଦେଖାଦେଇଥିବାବେଳେ ସମେଟିଭ ୨ରେ ଫଳ ପ୍ରକାଶକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଆଞ୍ଚଳିକ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.