ETV Bharat / state

ନଭେମ୍ବର ୨୭ରୁ କଟକ ବାଲିଯାତ୍ରା: ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ

author img

By ETV Bharat Odisha Team

Published : Oct 13, 2023, 10:25 PM IST

କଟକ ବାଲିଯାତ୍ରାରେ ଏଥର ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଚଳିତ ବର୍ଷ 'ଚାଲ ଯିବା କଟକ ବାଲିଯାତ୍ରା' ଭଳି ସ୍ଲୋଗାନ ଆରମ୍ଭ କରିବାକୁ କଟକ ମେୟର ସୁବାସ ସିଂ ବୈଠକରେ ପ୍ରସ୍ତାବ ଦେଇଛନ୍ତି ।

କଟକ ବାଲିଯାତ୍ରା ପ୍ରସ୍ତୁତି
preparatory meeting for baliyatra

କଟକ ବାଲିଯାତ୍ରା ପ୍ରସ୍ତୁତି
preparatory meeting for baliyatra

ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାକୁ ଯେପରି ଶୃଙ୍ଖଳିତ ତଥା ସରସ ସୁନ୍ଦର ଭାବେ ପାଳନ କରାଯିବ ଏହା ଉପରେ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ ବୈଠକ ଅନୁଷ୍ଠିତ ହୋଇଛି ।

ମେଳା ପଡିଆ ପ୍ରସ୍ତୁତି, ରାସ୍ତାଘାଟ ଉନ୍ନତିକରଣ, ଜଳ ଯୋଗାଣ, ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ, ଶୌଚାଳୟ ନିର୍ମାଣ, ଆଇନ ଶୃଙ୍ଖଳା ରକ୍ଷା, ନିରାପତ୍ତା ଓ ଟ୍ରାଫିକ ନିୟନ୍ତ୍ରଣ, ସିସିଟିଭି ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଏସିଏସ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଅଗ୍ନିଶମ, ନଦୀପଠାରେ ସୁରକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ, ପରିମଳ ଓ ଯାତ୍ରା ସମୟରେ ବିକ୍ରୟ କରାଯାଉଥବା ଖାଦ୍ୟମାନ ଯାଞ୍ଚ ବ୍ୟବସ୍ଥା କଡାକଡି କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଚଳିତ ବର୍ଷ "ଚାଲ ଯିବା କଟକ ବାଲିଯାତ୍ରା" ଭଳି ସ୍ଲୋଗାନ ଆରମ୍ଭ କରିବାକୁ କଟକ ମେୟର ସୁବାସ ସିଂ ବୈଠକରେ ପ୍ରସ୍ତାବ ଦେଇଥିବା ଜଣାପଡିଛି। ରାଜ୍ୟ ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ଆତିଥେୟତା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିପାଇଁ ବିଭାଗ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ କରାଯିବ । ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ପୂର୍ବକ ଆଧୁନିକ ସାଜସଜ୍ଜା ସହ ଉଚ୍ଚକୋଟୀର ଦଳମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥିପାଇଁ ସଂସ୍କୃତି ବିଭାଗ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ...Baliyatra 2023: ନଭେମ୍ବର ୨୭ରୁ ଐତିହାସିକ ବାଲିଯାତ୍ରା ଆରମ୍ଭ

ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର କମିଶନର ନିଖିଳ ପବନ କଲ୍ୟାଣ, ଓରମାସ ସିଇଓ ଗୁହା ପୁନମ ତାପସ କୁମାର, ଖାଦ୍ୟ ସୁରକ୍ଷା କମିଶନର ଡଃ ପୋମା ଟୁଡୁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ପର୍ଯ୍ୟଟନ ବିଭାଗ ଓଏସଡ଼ି ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.