ETV Bharat / state

ରାଜ୍ୟରେ ପ୍ରଥମ: ବିଦେଶୀ ସାଇବର ଠକ ଆକାଉଣ୍ଟରୁ ୯୮ ଲକ୍ଷ ଫେରାଇ ଆଣିଲା କ୍ରାଇମବ୍ରାଞ୍ଚ

author img

By

Published : Apr 27, 2023, 8:22 AM IST

ପ୍ରାୟ ୧ କୋଟି ଟଙ୍କାର ସାଇବର ଠକାମୀର ଶିକାର ହୋଇଥିଲେ କେମିକାଲ କମ୍ପାନୀ ମାଲିକ । ବିଦେଶୀ ସାଇବର ଠକ ମୁହଁରୁ ଠକେଇ ଟଙ୍କା ଛଡାଇ ଆଣିଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

ବିଦେଶୀ ସାଇବର ଠକଙ୍କ ଆକାଉଣ୍ଟରୁ ୯୮ ଲକ୍ଷ ଜବତ
ବିଦେଶୀ ସାଇବର ଠକଙ୍କ ଆକାଉଣ୍ଟରୁ ୯୮ ଲକ୍ଷ ଜବତ

କଟକ: ରାଜ୍ୟ କ୍ରାଇମବ୍ରାଞ୍ଚ ଟିମକୁ ବଡ଼ ସଫଳତା । ବିଦେଶୀ ସାଇବର ଠକ ମୁହଁରୁ ଫେରାଇ ଆଣିଲେ ୯୮ ଲକ୍ଷ ଟଙ୍କା । ଆମେରିକାର ଏକ ବ୍ୟାଙ୍କରେ ସାଇବର ଠକଙ୍କ ଆକାଉଣ୍ଟରେ ଏହି ଟଙ୍କା ଥିଲା । ତେବେ ଠକଙ୍କ ଆକାଉଣ୍ଟରେ ଥିବା ଏହି ଠକେଇ ଟଙ୍କାକୁ କ୍ରାଇମବ୍ରାଞ୍ଚ ଟିମ୍ ଫେରାଇ ଆଣିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ, ଖୋର୍ଦ୍ଧା ସାରୁଆ ଅଞ୍ଚଳରେ ଥିବା ଏକ କେମିକାଲ କମ୍ପାନୀର ମାଲିକ ନିଜ କମ୍ପାନୀ ପାଇଁ କଞ୍ଚାମାଲ ଅର୍ଡର କରିଥିଲେ । ଆମେରିକାସ୍ଥିତ ଏକ କମ୍ପାନୀରୁ କଞ୍ଚାମାଲ ଆଣିବାକୁ ମେଲ୍ ଜରିଆରେ ଅର୍ଡର ଦେଇଥିଲେ । ମାତ୍ର ଏହି ମେଲ୍ ଯେ ସାଇବର ଠକ ଚଳାଉଥିଲେ ସେକଥା ମାଲିକ ଜାଣିପାରି ନଥିଲେ ।

ମେଲ୍ ଅନୁସାରେ କଞ୍ଚାମାଲ ପାଇଁ ମାଲିକ ଜଣକ ଟଙ୍କା ପୈଠ କରିଥିଲେ । ମାତ୍ର ସାଇବର ଠକ ତାଙ୍କୁ ଆମେରିକା ସ୍ଥିତ ଜେପି ମୋରଗାନ ବ୍ୟାଙ୍କର ଅନ୍ୟ ଏକ ଆକାଉଣ୍ଟ ନମ୍ବରରେ ଟଙ୍କା ଜମା କରିବାକୁ କହିଥିଲେ । କେମିକାଲ କମ୍ପାନୀ କର୍ତ୍ତୃପକ୍ଷ ସାଇବର ଅପରାଧିଙ୍କ ଚାଲ୍ ବୁଝି ନପାରି ସେମାନଙ୍କ କଥା ଅନୁସାରେ ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ଏକ କୋଟି ଟଙ୍କା ଜମା କରିଥିଲେ । ଗତ ୨୧ ତାରିଖରେ ସେ ଏହି ଟଙ୍କା ଜମା କରିଥିଲେ । ଟଙ୍କା ଜମା କରିସାରିବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କର ସନ୍ଦେହ ହୋଇଥିଲା । ଏହାର ଯାଞ୍ଚ ପାଇଁ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିଙ୍କୁ ପଚାରିଥିଲେ ଏବଂ ଯୋଗାଯୋଗରୁ ଜାଣି ପାରିଥିଲେ ଯେ ଉକ୍ତ ଆକାଉଣ୍ଟ ନମ୍ବର ଠିକ ନୁହେଁ କି ମେଲ୍ ଆଇଡି ବି ଠିକ୍ ନୁହେଁ । ଅର୍ଥାତ ସେସବୁ ଫେକ୍ ବୋଲି ଜାଣି ପାରିଥିଲେ । ଏହାପରେ କମ୍ପାନୀ ମାଲିକଙ୍କ ପାଦ ତଳୁ ସତେ ଯେମିତି ମାଟି ଖସି ଯାଇଥିଲା । ସେ ବଡ ଧରଣର ସାଇବର ଠକେଇର ଶିକାର ହୋଇଥିବାର ଜାଣି ପାରିଥିଲେ ।

ଏନେଇ କମ୍ପାନୀ ମାଲିକ ସେହିଦିନ କ୍ରାଇମବ୍ରାଞ୍ଚକୁ ଯାଇ ଅଭିଯୋଗ କରିଥିଲେ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶକ୍ରମେ ସାଇବର ଥାନା ପକ୍ଷରୁ ଇନ୍ସପେକ୍ଟର ଅନିଳା ଆନନ୍ଦଙ୍କୁ ତଦନ୍ତକାରୀ ଅଧିକାରୀ ଭାବରେ ନିୟୋଜିତ କରାଯାଇଥିଲା । ତେବେ ତଦନ୍ତକାରୀ ଅଧିକାରୀ ଏହି ଘଟଣାକୁ ଅତି ଗୁରୁତ୍ୱର ସହିତ ନେଇ ତୁରନ୍ତ ଜେପି ମୋରଗାନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଉକ୍ତ ଆକାଉଣ୍ଟକୁ ଅଚଳ କରିଥିଲେ । ପରେ ଏହି ଟଙ୍କାକୁ ଫେରାଇ ଆଣିବାରେ ସଫଳ ହୋଇଥିଲେ । ଏହି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଥିବା ବେଳେ ଏଥିରେ ସମ୍ପୃକ୍ତ କୌଣସି ଅଭିଯୁକ୍ତ ଧରା ପଡିନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.