ETV Bharat / opinion

ପାଲେଷ୍ଟାଇନ-ଦକ୍ଷିଣ ସୁଦାନ: ଅନ୍ତର୍ଜାତୀୟ ମାନ୍ୟତା ଏବଂ ଜାତିସଂଘର ସଦସ୍ୟତା ପାଇଁ ଲଢେଇ - Palestine South Sudan issue

author img

By Aroonim Bhuyan

Published : May 26, 2024, 2:19 PM IST

Updated : May 26, 2024, 2:26 PM IST

Palestine and South Sudan: The ways to international recognition and UN membership: ପାଲେଷ୍ଟାଇନକୁ ଜାତିସଂଘ ମାନ୍ୟତା ପାଇଁ ଅଣ୍ଟା ଭିଡିଛନ୍ତି ଏକାଧିକ ଦେଶ । ଏପରି ସମାନ ସମସ୍ୟାର ସାମ୍ନା କରିଥିଲା ଆଫ୍ରିକୀୟ ଦେଶ ଦକ୍ଷିଣ ସୁଦାନ । ଅଧିକ ପଢନ୍ତୁ

ପାଲେଷ୍ଟାଇନ ଏବଂ ଦକ୍ଷିଣ ସୁଦାନ: ଅନ୍ତର୍ଜାତୀୟ ମାନ୍ୟତା ଏବଂ ଜାତିସଂଘର ସଦସ୍ୟତା ପାଇଁ ଲଢେଇ
ପାଲେଷ୍ଟାଇନ ଏବଂ ଦକ୍ଷିଣ ସୁଦାନ: ଅନ୍ତର୍ଜାତୀୟ ମାନ୍ୟତା ଏବଂ ଜାତିସଂଘର ସଦସ୍ୟତା ପାଇଁ ଲଢେଇ (ETV Bharat Odisha)

ନୂଆଦିଲ୍ଲୀ: ଚଳିତ 28 ତାରିଖରେ 3 ୟୁରୋପୀୟ ଦେଶ ଆୟର୍ଲାଣ୍ଡ, ନରୱେ ଓ ସ୍ପେନ ପାଲେଷ୍ଟାଇନକୁ ଏକ ସାର୍ବଭୌମ୍ୟ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେବା ପାଇଁ ଏକ ସଂକଳ୍ପ ଗ୍ରହଣ କରିବାକୁ ଯାଉଛନ୍ତି । ଗାଜାରେ ଜାରି ରହିଥିବା ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ଏହି ଘଟଣାକ୍ରମ ଏବେ ସାମ୍ନାକୁ ଆସିବାକୁ ଯାଉଛି । ଏହି ଯୁଦ୍ଧରେ ଭୂମଧ୍ୟ ସାଗରର ପୂର୍ବ-ଉପକୂଳରେ ଥିବା ପାଲେଷ୍ଟାଇନ ଅଧିକୃତ ବିଭିନ୍ନ ଅଞ୍ଚଳରେ ପ୍ରାୟ 36,000 ଲୋକ ପ୍ରାଣ ହରାଇଛନ୍ତି । ମାନବୀୟ ସଙ୍କଟ ପୁରା ବିଶ୍ବକୁ ବିଚଳିତ କରିଛି । ଏପରି ସଙ୍କଟ ସମୟରେ ପାଲେଷ୍ଟାଇନର ଅସ୍ଥିତ୍ବ ନେଇ ପୁଣିଥରେ ବିଚାର ଆରମ୍ଭ କରିଛନ୍ତି ବିଭିନ୍ନ ଦେଶ । ତେବେ ପାଲେଷ୍ଟାଇନକୁ ଦେଶ ମାନ୍ୟତା ଦେବା ପ୍ରସ୍ତାବ ଓ ବିଚାର ସମ୍ପର୍କରେ ଦକ୍ଷିଣ ସୁଦାନ ଗଠନ ଓ ଏହାର ଅନ୍ତର୍ଜାତୀୟ ମାନ୍ୟତା ହାସଲ ପ୍ରସଙ୍ଗକୁ ଯୋଡା ଯାଇପାରେ ।

ବିଶ୍ୱର ସବୁଠାରୁ କନିଷ୍ଠ ତଥା ଜାତିସଂଘର 193ତମ ସଦସ୍ୟ-ରାଷ୍ଟ୍ର ଦକ୍ଷିଣ ସୁଦାନ

1956 ଜାନୁଆରୀ ପହିଲାରେ ସୁଦାନ (ଅବିଭାଜିତ) ବ୍ରିଟିଶ-ଇଜିପ୍ଟ ଶାସନରୁ ସ୍ବାଧିନତା ହାସଲ କରିଥିଲା । ତଥାପି, ଉତ୍ତରରେ ଆରବ-ମୁସଲମାନ ଜନସଂଖ୍ୟା ଓ ଦକ୍ଷିଣରେ ମୁଖ୍ୟତଃ ଆଫ୍ରିକୀୟ-ଖ୍ରୀଷ୍ଟିଆନ ଜନସଂଖ୍ୟା କାରଣରୁ ସୁଦାନରେ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି ହୋଇଥିଲା । ସ୍ୱାଧୀନତା ପୂର୍ବରୁ ମଧ୍ୟ ପ୍ରଥମ ସୁଦାନ ଗୃହଯୁଦ୍ଧ ହୋଇଥିଲା । ଏହି ବିବାଦ 1972ରେ ଆଡିସ-ଆବାବା ଚୁକ୍ତିନାମା ସହିତ ଶେଷ ହୋଇଥିଲା । ଯାହା ଦକ୍ଷିଣ ଆଞ୍ଚଳିକ କ୍ଷେତ୍ରରୁ ସ୍ବାଧୀନତା ପ୍ରଦାନ କରିଥିଲା ଓ ଏହାକୁ ଏକ ସ୍ବତନ୍ତ୍ର ଦେଶର ମାନ୍ୟତା ମଧ୍ୟ ଦେଇଥିଲା । 1983 ମସିହାରେ, ଦ୍ୱିତୀୟ ସୁଦାନ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ସେତେବେଳେ ରାଷ୍ଟ୍ରପତି ଗାଫର ନିମିରିଙ୍କ ସରକାର ଦକ୍ଷିଣ ସୁଦାନ ସମେତ ସାରା ଦେଶରେ ଶରିଆ ଆଇନ ଲାଗୁ କରିଥିଲେ । ବିଦ୍ରୋହୀ ଜନ ଗାରାଙ୍ଗଙ୍କ ନିୟନ୍ତ୍ରଣରେ ସୁଦାନ ପିପୁଲ୍ସ ଲିବରେସନ୍ ଆର୍ମି (SPLA) ଏହା ଦକ୍ଷିଣ ସୁଦାନକୁ ଶାସନ କରିଥିଲା । ଏହି ଗୃହଯୁଦ୍ଧରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେବା ସହ ସାରା ବିଶ୍ବକୁ ଏହି ପରିସ୍ଥିତି ଚକିତ କରିଥିଲା ।

ସୁଦାନ ଗୃହଯୁଦ୍ଧ ଓ ବିଭାଜନ

2011 ଜୁଲାଇ 9 ତାରିଖରେ ସୁଦାନରେ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଦେଶ ହେଲା । ପ୍ରଥମଟି ସୁଦାନ ଓ ଦ୍ବିତୀୟଟି ଦକ୍ଷିଣ-ସୁଦାନ । ଅର୍ଥାତ ବିଶ୍ବର ସର୍ବକନିଷ୍ଠ ଦେଶ ଭାବେ ଦକ୍ଷିଣ ସୁଦାନ ଆତ୍ମପ୍ରକାଶ କଲା । ଏହାପରେ ଦକ୍ଷିଣ ସୁଦାନ ଆରମ୍ଭ କରିଥିଲା ଅନ୍ତର୍ଜାତୀୟ ମାନ୍ୟତା ଲଢେଇ । ସ୍ବାଧୀନତା ଘୋଷଣା ସହ ଦକ୍ଷିଣ ସୁଦାନ ଜାତିସଂଘରେ ସଦସ୍ୟତା ପାଇଁ ଆବେଦନ ଦାଖଲ କରି ବିଶ୍ବ ସମୁଦାୟ ଆଗରେ ନିଜର ଅସ୍ଥିତ୍ବ ଜାହିର କରିବା ଆରମ୍ଭ କରିଥିଲା । ଜାତିସଂଘ ଚାର୍ଟାର (ନିୟମ) ଧାରା-4 ଅନୁଯାୟୀ ସୁରକ୍ଷା ପରିଷଦ ଦକ୍ଷିଣ ସୁଦାନର ଆବେଦନକୁ ବିଚାର କରି ମହାସଭାକୁ ସୁପାରିଶ କରିବାକୁ ବ୍ୟବସ୍ଥା ରହିଛି । 2011 ମସିହା ଜୁଲାଇ 13ରେ, ଜାତିସଂଘ ସୁରକ୍ଷା ପରିଷଦ ସର୍ବସମ୍ମତି କ୍ରମେ 1999 ସଂକଳ୍ପ ଗ୍ରହଣ କରି ଦକ୍ଷିଣ ସୁଦାନକୁ ସ୍ବୀକାର କରିବା ସହ ଜାତିସଂଘ ମହାସଭାକୁ ଦକ୍ଷିଣ ସୁଦାନକୁ ଏକ ନୂତନ ସଦସ୍ୟ-ରାଷ୍ଟ୍ର ଭାବରେ ଗ୍ରହଣ କରିବାକୁ ସୁପାରିଶ ମଧ୍ୟ କଲା । ଏହି ଘଟଣାକ୍ରମରେ ଦକ୍ଷିଣ ସୁଦାନର ବିଶ୍ବର ସର୍ବକନିଷ୍ଠ ଦେଶ ଭାବେ ଜାତିସଂଘ ତଥା ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ସଫଳ ହୋଇଛି ।

ଅନ୍ତର୍ଜାତୀୟ ମାନ୍ୟତା ପାଇଁ ପାଲେଷ୍ଟାଇନର ସଂଘର୍ଷ:-

ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଜାତିସଂଘର ସମ୍ପୂର୍ଣ୍ଣ ସଦସ୍ୟତା ତଥା ଅନ୍ତର୍ଜାତୀୟ ମାନ୍ୟତା ହାସଲ କରିବାରେ ପାଲେଷ୍ଟାଇନ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡିକ ଐତିହାସିକ ବିବାଦ, ଭୌଗୋଳିକ ଜଟିଳତା ଏବଂ ଅନ୍ତର୍ଜାତୀୟ କୂଟନୈତିକ ସ୍ତରରେ ଅନ୍ୟ ସମୀକରଣ ସହ ଯୋଡି ହୋଇରହିଛି । 2012 ମସିହା ନଭେମ୍ବରରେ ମିଳିତ ଜାତିସଂଘର ମହାସଭାରେ ପାଲେଷ୍ଟାଇନ ପର୍ଯ୍ୟବେକ୍ଷକ ରାଷ୍ଟ୍ର ମାନ୍ୟତା ହାସଲ କରିଥିଲା । ଏହାପୂର୍ବରୁ ପାଲେଷ୍ଟାଇନ ମୁକ୍ତି ସଂଗଠନ (ପିଏଲଏ) ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନକୁ ଏକ ଦେଶ ଘୋଷଣା କରିଥିଲା । ସ୍ୱୀକୃତିପ୍ରାପ୍ତ ପାଲେଷ୍ଟାଇନ ଅଞ୍ଚଳକୁ 1988 ମସିହା ଶେଷ ସୁଦ୍ଧା 78ଟି ଦେଶ ‘ପାଲେଷ୍ଟାଇନ ରାଷ୍ଟ୍ର’ ଭାବେ ସ୍ୱୀକୃତି ଦେଇସାରିଥିଲେ ।

ଇସ୍ରାଏଲ୍-ପାଲେଷ୍ଟାଇନ ଚୁକ୍ତିନାମା:-

ଇସ୍ରାଏଲ୍-ପାଲେଷ୍ଟାଇନ ବିବାଦର ସମାଧାନ ପାଇଁ ଏକ ପ୍ରୟାସ ଭାବେ 1993 ଏବଂ 1995ରେ ଇସ୍ରାଏଲ ଓ ପିଏଲଏ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଗାଜା ଷ୍ଟ୍ରିପ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ଅଧୀନକୁ ଆସିଥିଲା । ମାତ୍ର ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପରେ ଇସ୍ରାଏଲ୍ ଏବଂ ପିଏଲଏ ମଧ୍ୟରେ ଆଲୋଚନା ବନ୍ଦ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ, 2012ରେ ଏହାକୁ 138 ସଦସ୍ୟ ରାଷ୍ଟ୍ରଙ୍କ ସହଯୋଗରେ ମିଳିତ ଜାତିସଂଘ ସାଧାରଣ ସଭା ମଧ୍ୟରେ ପର୍ଯ୍ୟବେକ୍ଷକ ପଦବୀ ମାନ୍ୟତା ପ୍ରଦାନ କରାଯାଇଥିଲା । 1988ରେ, ପାଲେଷ୍ଟାଇନକୁ ରାଷ୍ଟ୍ର ଭାବେ ସ୍ୱୀକୃତି ଦେଇଥିବା ପ୍ରଥମ ଦେଶ ମଧ୍ୟରୁ ଅନ୍ୟତମ ଥିଲା ଭାରତ । 1996ରେ, ଭାରତ ଗାଜାରେ ଏହାର ପ୍ରତିନିଧୀ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲା । ଯାହା ପରବର୍ତ୍ତୀ ସମୟରେ 2003 ମସିହାରେ ରାମଲାହାକୁ ସ୍ଥାନାନ୍ତରିତ ହୋଇଥିଲା । ହେଲେ ଏବେ ସୁଦ୍ଧା ପାଲେଷ୍ଟାଇନ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଜାତିସଂଘ ଓ ଅନ୍ୟ ଅନ୍ତର୍ଜାତୀୟ ମଞ୍ଚରେ ସ୍ପଷ୍ଟ ସ୍ବୀକୃତି ପାଇନି ।

ସମ୍ପାଦକୀୟ...

ଇଟିଭି ଭାରତର ନିଜସ୍ବ ପ୍ରକାଶନ ନୁହେଁ

Last Updated : May 26, 2024, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.