ETV Bharat / state

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ

author img

By ETV Bharat Odisha Team

Published : Sep 30, 2023, 7:35 AM IST

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ
ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ

୪ ତାରିଖରେ ଅବସର ନେବେ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କୁ ମିଳିବ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ । ଅଧିକ ପଢନ୍ତୁ

କଟକ: ଅବସର ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଆସନ୍ତା ୪ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବେ । ଜଷ୍ଟିସ ତାଳପତ୍ରଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଦାୟିତ୍ବରେ ରହିବେ ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡଙ୍ଗୀ । ଜଷ୍ଟିସ ଷଡଙ୍ଗୀ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ । ଏନେଇ ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି ।

ପ୍ରକାଶ ଥାଉକି, ଅଗଷ୍ଟ ୮ ତାରିଖ ଦିନ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଥିଲେ । ଜଷ୍ଟିସ ତାଳପତ୍ର ବରିଷ୍ଠ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଥିଲେ । ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶ ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର

୨୦୨୨ ଜୁନ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ତ୍ରିପୁରା ହାଇକୋର୍ଟରୁ ସେ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ତାଙ୍କର ଜନ୍ମ ୧୯୬୧ ମସିହା ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ । ୨୦୧୧ ମସିହା ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ସେ ସେଠାକୁ ବଦଳି ହୋଇଥିଲେ ଏବଂ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ ।

ଜଷ୍ଟିସ ତାଳପତ୍ର ୨୦୧୮ ମସିହା ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ନିର୍ବାହ କରିଥିଲେ । ଏହାପରେ ସେଠାରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ । ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବା ପୂର୍ବରୁ ଜଷ୍ଟିସ ଏସ. ମୁରଲୀଧର ଏହି ଦାୟିତ୍ବରେ ଥିଲେ । ବର୍ତ୍ତମାନ ସେ ଅବସର ଗ୍ରହଣ କରିବାକୁ ଥିବାରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଷଡଙ୍ଗୀ ।

ଏହାମଧ୍ୟ ପଢନ୍ତୁ: Ratna Bhandar Issue: ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କଲେନି ହାଇକୋର୍ଟ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.