ETV Bharat / state

ଜରିପାଲ ତଳେ ରାଷ୍ଟ୍ରପତିଙ୍କ ଭାଷଣ ଘଟଣା: ସରକାରଙ୍କୁ ଘେରିଲେ ବିଜେପି-କଂଗ୍ରେସ

author img

By

Published : Jul 28, 2023, 3:02 PM IST

Updated : Jul 28, 2023, 5:07 PM IST

ଜରିପାଲ ତଳେ ରାଷ୍ଟ୍ରପତିଙ୍କ ଭାଷଣ ଘଟଣା
ଜରିପାଲ ତଳେ ରାଷ୍ଟ୍ରପତିଙ୍କ ଭାଷଣ ଘଟଣା

ଜରିପାଲ ତଳେ ରାଷ୍ଟ୍ରପତିଙ୍କ ଭାଷଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । ଆନ୍ଦୋଳନର ଚେତାବନୀ ଦେଲେ ବାରବାଟୀ ବିଧାୟକ ମୋକିମ । ଅଧିକ ପଢନ୍ତୁ

ସରକାରଙ୍କୁ ଘେରିଲେ ବିଜେପି-କଂଗ୍ରେସ

କଟକ: ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ଇଣ୍ଡୋର ଷ୍ଟାଡିୟମରେ ଜରିପାଲ ପଡ଼ିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । କଟକ ବାରବାଟୀ କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ରାଜ୍ୟ ସରକାରଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି । ଏମିତିକି ବିର୍ସା ମୁଣ୍ଡା ଷ୍ଟାଡିୟମ ଭୁଶୁଡ଼ି ପଡିବା କଥା କହି ସରକାରଙ୍କୁ କଟାକ୍ଷ କରିଛନ୍ତି । କେବଳ ସେତିକି ନୁହେଁ ଷ୍ଟାଡିୟମ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଏହାର ତୁରନ୍ତ ମରାମତି କରାନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ମୋକିମ ।

ସେହିପରି ବିଜେପି କର୍ପୋରେଟର ବି ଏହାର ତଦନ୍ତ ଦାବି କରିବା ସହ ଷ୍ଟାଡିୟମ ନାଁରେ ଅର୍ଥ ହଡପ କରାଯିବା କଥା କହି ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ତେବେ ଏହାର ଜବାବ ରଖିଛି ବିଜେଡି । କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଷ୍ଟାଡିୟମର ଖୁବଶୀଘ୍ର ମରାମତି କରାଯିବ ।

ଏହା ବି ପଢ଼ନ୍ତୁ: ଜରିପାଲ ତଳେ ରାଷ୍ଟ୍ରପତି: ଅତିରିକ୍ତ ସତର୍କତା ନିଆଯାଇଥିବା କହିଲେ ମୁଖ୍ୟ ଶାସନ ସଚିବ

ଗତକାଲି ଇଣ୍ଡୋର ଷ୍ଟାଡିୟମରେ ଜରିପାଲ ତଳେ ରାଷ୍ଟ୍ରପତିଙ୍କ କାର୍ଯକ୍ରମକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ । ଏହି ଘଟଣାକୁ ରାଜନୈତିକ ଅବହେଳା ବୋଲି ଅଭିଯୋଗ କରିଛନ୍ତି କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ବର୍ତ୍ତମାନ ସରକାର 5T ଅଧିନରେ ନୂଆ ଷ୍ଟାଡିୟମ୍ ତିଆରି କରୁଥିବା ବେଳେ ତାହା ଗୋଟିଏ ବର୍ଷ ମଧ୍ୟରେ ଭୁଶୁଡ଼ି ପଡୁଛି । ଯେପରି ବିର୍ସାମୁଣ୍ଡା ଷ୍ଟାଡିୟମର ଅବସ୍ଥା ହେଲା । ମାତ୍ର କଂଗ୍ରେସ ସରକାର ଅମଳରେ ତିଆରି ହୋଇଥିବା ଇଣ୍ଡୋର ଷ୍ଟାଡିୟମ୍‌କୁ ଜାଣିଶୁଣି ଅବହେଳା କରାଯାଉଛି । ଏହି ଘଟଣାରେ ଷ୍ଟାଡିୟମର ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ସେ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିବେ । ତୁରନ୍ତ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାନଗଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ବିଧାୟକ ।

ଏହାମଧ୍ୟ ପଢନ୍ତୁ: ଜରିପାଲ ତଳେ ଭାଷଣ ଦେଲେ ରାଷ୍ଟ୍ରପତି, କଟକରେ ମହାମହିମଙ୍କୁ ଅସମ୍ମାନ !

ବିଜେପି ମଧ୍ୟ ଏହି ଘଟଣାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି । ବିଜେପି କର୍ପୋରେଟର ଗଗନ ଓଝା କହିଛନ୍ତି, "ରାଷ୍ଟ୍ରପତିଙ୍କ ପାଇଁ ଏହା ଅପମାନ । ଏହି କାରଣରୁ କଟକ ସହର ବଦନାମ ହୋଇଛି । ସୌଭାଗ୍ୟ ବଶତଃ ବଡ଼ ବର୍ଷା ହେଲାନାହିଁ ନଚେତ କଟକ ସମଗ୍ର ଦେଶରେ ନିନ୍ଦିତ ହୋଇଥାନ୍ତା ।" କେବଳ ସେତିକି ନୁହେଁ ବରଂ ଇଣ୍ଡୋର ଷ୍ଟାଡିୟମର ମରାମତି ନାଁରେ ଅର୍ଥ ହେର୍‌ଫେର୍‌ ହୋଇଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ତେବେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଲୋକସଭା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରି କହିଛନ୍ତି, "ଜବାହରଲାଲ ନେହେରୁଙ୍କ ଜନ୍ମ ଶତବାର୍ଷିକ ସମୟରେ ଏହା ନିର୍ମାଣ କରାଯାଇଥିଲା । ସେତେବେଳର ସରକାର ଏହାକୁ କମ ବଜେଟରେ କରିଥିଲେ । ଯେଉଁ କାରଣରୁ ଉପରେ ଟିଣ ବ୍ୟବହାର କରାଯାଇଥିଲା । ବର୍ତ୍ତମାନ ସବୁ ଷ୍ଟାଡିୟମରେ ଛାତ ପଡୁଛି । ମାତ୍ର ସେତେବେଳେ ଏଥିରେ ଟିଣ ବ୍ୟବହାର କରାଯାଇଥିଲା । ଯାହାର ମରାମତିର ଆବଶ୍ୟକ ରହିଛି । ପୁରୁଣା ଢାଞ୍ଚାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମର ମରାମତି ପାଇଁ ଓଡ଼ିଶା ବାହାରୁ ବୈଷୟିକ ଦଳ ଆଣିବାକୁ ପୂର୍ତ୍ତ ବିଭାଗ ଉଦ୍ୟମ କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 28, 2023, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.