ETV Bharat / state

Train Tragedy: ଏସସିବିରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି

author img

By

Published : Jun 17, 2023, 1:40 PM IST

Updated : Jun 17, 2023, 2:22 PM IST

Train Tragedy death toll rise to 291
Train Tragedy death toll rise to 291

ବାହାନଗା ଟ୍ରେନ ଦୁର୍ଘଟଣା । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ । ଅଧିକ ପଢନ୍ତୁ

Train Tragedy death toll rise to 291

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ଘଟିଛି । ମୃତକ ହେଲେ ୩୩ ବର୍ଷୀୟ ସୋହିମ ମନସୁର । ତାଙ୍କ ଘର ମଧ୍ୟ ବିହାରରେ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଆହତ ହୋଇ ସେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଟ୍ରମା ICUରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଦୁର୍ଘଟଣାର ୧୫ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସୋହିମଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଟ୍ରେନ ଦୁର୍ଘଟଣାର ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି । ଏନେଇ ଏସସିବି ମେଡିକାଲର କୁଳସଚିବ ଡକ୍ଟର ଅଭିନାଶ ରାଉତ ସୂଚନା ଦେଇଛନ୍ତି ।

ସୋହିମ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିଲା । ଯାହାଫଳରେ ତାଙ୍କର କିଡନୀ ଖରାପ ହୋଇଯାଇଥିଲା । ଏହାପରେ ଡାଇଲେସିସ କରାଯାଉଥିଲା । ହେଲେ ଗତକାଲି ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିବା ବେଳେ ଆଜି ହୃଦଘାତରେ ମୃତ୍ୟୁ ଘଟିଛି । ଏହାପୂର୍ବରୁ ଗତକାଲି ବିହାରର ପ୍ରକାଶ ରାମ ନାମକ ଜଣେ ନାବାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ନାବାଳକଙ୍କ ବାମ ଗୋଡ କଟି ଯାଇଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା । ଡାକ୍ତରୀ ଟିମର ଶତଚେଷ୍ଟା ପରେ ବି ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା ।

ଗତ ୧୩ ତାରିଖରେ ବିହାରର ବିଜୟ ପାଶୱାନଙ୍କ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଏସସିବିରେ ଟ୍ରେନ ଦୁର୍ଘଟଣାର ମୋଟ ୪୬ ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ ରୋଗୀ ଆଇସିୟୁରେ ଅଛନ୍ତି । ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏନେଇ ଏଏସସିବି ଅଧିକ୍ଷକ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବାହାନଗା ଟ୍ରେନ ଦୁର୍ଘଟଣା: ଚିକିତ୍ସାଧୀନ ଭାବେ SCBରେ ଆଉ ଜଣେ ମୃତ

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ଓ ୧୦୦୦ ଅଧିକ ଆହତ ହୋଇଥିଲେ । ପରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ପରେ ଏବେ ମୃତ୍ୟୁସଂଖ୍ୟା ୨୯୧ରେ ପହଞ୍ଚିଛି । ଅନ୍ୟପଟେ ଦୁର୍ଘଟଣାର ଏତେ ଦିନ ପରେ ବି ଆଜି ଯାଏ ଅନେକ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଏମ୍ସରେ ୮୧ଟି ମୃତଦେହ ଚିହ୍ନଟ ଅପେକ୍ଷାରେ ପଡିରହିଛି ।

ଇଟିଭି ଭାରତ, କଟକ

Last Updated :Jun 17, 2023, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.