Ganesh Puja Mishap; ଗଣେଶ ମୂର୍ତ୍ତି ଆଣୁଥିଲେ, ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, 4 ଗୁରୁତର

Ganesh Puja Mishap; ଗଣେଶ ମୂର୍ତ୍ତି ଆଣୁଥିଲେ, ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, 4 ଗୁରୁତର
କଟକ ନରାଜ ଅଞ୍ଚଳରେ ଗଣେଶ ପୂଜା ବେଳେ ଅଘଟଣ । କଟକ ନରାଜ ନିକଟ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଗଣେଶ ପୂଜା ପାଇଁ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ
କଟକ: ରାଜ୍ୟରେ ଗଣେଶ ପୂଜା ନେଇ ଖୁସିର ବାତାବରଣ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କଟକ ଜିଲ୍ଲା ନରାଜ ଅଞ୍ଚଳରେ ଗଣେଶ ପୂଜା ବେଳେ ଏକ ବଡ ଅଘଟଣ ଘଟିଯାଇଛି । କଟକ ନରାଜ ପାଖ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ଟ୍ରାକ୍ଟରରେ ଗଣେଶ ପୂଜା ପାଇଁ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ 4 ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୃତକ ଜଣକ ହେଲେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ରୋହନ ଭଗବାନ ସାୱେଲ। ତାଙ୍କ ପରିବାର ଲୋକେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ରହିଛି ।ନରାଜର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏମଏସି ପଢୁଥିଲେ ।
ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି କଟକ ମେୟର ସୁବାସ ସିଂ। ଆହତମାନଙ୍କୁ ହସ୍ପିଟାଲରେ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଛନ୍ତି ସୁବାସ ସିଂ। ତେବେ ଗଣେଶ ପୂଜା ଆରମ୍ଭରୁ ଏତେବଡ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମେୟର । ବିସର୍ଜନ ସମୟରେ ଅଘଟଣ ଘଟିବା ଶୁଣାଯାଏ ହେଲେ ପୂଜା ଆରମ୍ଭରୁ ଏଭଳି ଅଘଟଣ ମର୍ମାହତ କରିଛି ବୋଲି କହିଛନ୍ତି ମେୟର । ତେବେ ମୃତକଙ୍କ ମୃତ ଦେହ କଟକ ଏସସିବି ବଡ଼ ମେଡିକାଲକୁ ଅଣାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ କିପରି ଠିକଭାବେ ମହାରାଷ୍ଟ୍ର ପଠାଯିବ ସେନେଇ ୟୁନିଭରସିଟି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେୟର ସୁବାସ ସିଂ ।
ଏହାମଧ୍ୟ ପଢନ୍ତୁ.. ଗଣେଶ ପୂଜାରେ ଅଘଟଣ , ପୋଖରୀରେ ବୁଡି ୪ ନାବାଳିକା ମୃତ
ବିଶ୍ୱବିଦ୍ୟାଳୟର ପିଆରଓ ଡ଼ଃ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସୂଚନାନୁଯାୟୀ, ବହୁତ ବଡ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ପିଲାମାନେ ଗଣେଶ ମୂର୍ତ୍ତି ଧରି ଆସୁଥିବା ବେଳେ ଆଲୁମିନିୟମ ରଡ ବିଦ୍ୟୁତ ତାରରେ ବାଜି ସର୍ଟସର୍କିଟ ହୋଇଥିଲା । ଯେଉଁଥିପାଇଁ ଏଭଳି ଅଘଟଣ ଘଟିଯାଇଛି । ତେବେ ମୃତ ଶରୀରକୁ ମହାରାଷ୍ଟ୍ର ପଠାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଆହତ ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ବିଶ୍ୱବିଦ୍ୟାଳୟର ପିଆରଓ ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି ।
ଇଟିଭି ଭାରତ, କଟକ
