ହରଭଙ୍ଗା ବ୍ଲକରେ ଅପହଞ୍ଚ ସରକାରୀ ଯୋଜନା, ବଢୁଛି ଜନ ଅସନ୍ତୋଷ
ହରଭଙ୍ଗା ବ୍ଲକରେ ଅପହଞ୍ଚ ସରକାରୀ ଯୋଜନା, ବଢୁଛି ଜନ ଅସନ୍ତୋଷ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଅନେକ ପଞ୍ଚାତରେ ଅପହଞ୍ଚ ସରକାରୀ ଯୋଜନା । ଗାଁକୁ ରାସ୍ତା ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ
ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ସେମିତି କିଛି ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ । ବୌଦ୍ଧର ହରଭଙ୍ଗା ବ୍ଲକର ଅନେକ ପଞ୍ଚାୟତରେ ଆଜି ବି ପହଞ୍ଚି ପାରିନି ବିକାଶର ଗାଡି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସବୁଦିନିଆ ରାସ୍ତା ଅଭାବରୁ ସେସବୁ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ ଯୋଜନା ଠିକ୍ରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ହରଭଙ୍ଗା ବ୍ଲକରେ ଏଭଳି ଅନେକ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ସେହି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗରିବ ଆଦିବାସୀ ହିତାଧିକାରୀ । ବିଭିନ୍ନ ଜଙ୍ଗଲ ରାସ୍ତା ଓ ପାହାଡିଆ ଝରଣାକୁ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଅତିକ୍ରମ କରି ଗ୍ରାମବାସୀମାନେ ବ୍ଲକକୁ ଆସିଥାନ୍ତି ।
ତେବେ ବୌଦ୍ଧ ଜିଲ୍ଲାର ୨୨ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । ବିଶେଷ ଭାବରେ ହରଭଙ୍ଗା ବ୍ଲକର ଛତରଙ୍ଗ, କୁଶଙ୍ଗ, ମହାଲିକପଡା, ତଳଗାଁ, ଆଢେଣୀଗଡ, କରଞ୍ଜକଟା ଭଳି ବଣ ପାହାଡ ଘେରା ପଞ୍ଚାୟତର ଅନେକ ଅଞ୍ଚଳକୁ ଯୋଗାଯୋଗ ଆଜି ପର୍ଯ୍ୟନ୍ତ ସାମାନ୍ୟ ହୋଇନାହିଁ । ସେହିପରି ତଳଗାଁ ପଞ୍ଚାୟତର ବଡଖଜୁରୀ, ରାଣିସାହି, ଆଢେଣୀଗଡ ପଞ୍ଚାୟତର କଣ୍ଡରା, କାଚପାଜୁ ସୁଲକେଟି, ଲେଙ୍ଗେରପାଜୁ, ମାଣ୍ଡାଲି, ଛତ୍ରପଡା, ନୂଆସାହି ଭଳି ବିଭିନ୍ନ ପଞ୍ଚାୟତର ଏଭଳି ଶତାଧିକ ଗ୍ରାମ ରହିଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ବିକାଶ ଧାରାରେ ସ୍ଥାନୀୟ ଅଧିବାସୀ ସାମିଲ ହୋଇ ପାରିନାହାନ୍ତି ।
ଗତ ପଞ୍ଚାୟତ ନିର୍ବାଚନରେ ଆଢେଣୀଗଡ ପଞ୍ଚାୟତର କଣ୍ଡରା କାଚପାଜୁ ଗ୍ରାମକୁ ଖଣ୍ଡେ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀ ଶେଷରେ ଭୋଟ ବର୍ଜନ ଭଳି ନିଷ୍ପତ୍ତି ନେଇଥିଲେ । ଏସବୁ ଅଞ୍ଚଳରେ ଯୋଗାଯୋଗ ସ୍ବାଭାବିକ କରିବା ପାଇଁ ଏକାଧିକ ବାର ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବାପରେ ମଧ୍ୟ ତାହା ପାଣିର ଗାର ହୋଇରହିଛି । ହରଭଙ୍ଗା ବ୍ଲକର ଚତୁଃପାର୍ଶ୍ଵରେ ଥିବା ଗ୍ରାମକୁ ସଂଯୋଗୀକରଣ ରାସ୍ତା ଖଣ୍ଡିଏ ନାହିଁ ।
ସେହିପରି ଖାସ ବ୍ଲକର ଗୋଟିଏ ପଟରେ ଘୋଡାଡିଆ ଓ ଡିଗସିରା ଭଳି ଆଦିବାସୀ ଅଧ୍ୟୁଷିତ ଗ୍ରାମ ପାହାଡି ଝରଣା ଯୋଗୁଁ ବର୍ଷ ତମାମ ବିଛିନ୍ନ ହୋଇ ରହିଥିବା ବେଳେ ଅନ୍ୟପଟରେ ବାହାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ନିର୍ମିତ ସେତୁରେ ବ୍ୟାପକ ଦୁର୍ନୀତି ଯୋଗୁଁ ତାହା ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଫଳରେ ବ୍ଲକ କାର୍ଯ୍ୟାଳୟ ଚତୁର୍ଦ୍ଦିଗରେ ଥିବା ଗ୍ରାମର ଶହ ଶହ ଆଦିବାସୀ ପରିବାର ସରକାରଙ୍କ ବିକାଶମୂଳକ ଯୋଜନାରୁ ବଞ୍ଚିତ ରହିଛନ୍ତି । ଏନେଇ ଅଞ୍ଚଳର ବିଜେପି ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଅଞ୍ଚଳର ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଇଟିିଭି ଭାରତ, ବୌଦ୍ଧ
