ETV Bharat / state

ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା, ପହଞ୍ଚି ପାରୁନି ବିକାଶର ଗାଡି

author img

By ETV Bharat Odisha Team

Published : Nov 7, 2023, 9:24 AM IST

Updated : Nov 7, 2023, 10:22 AM IST

no developement in narayan prasad  village
no developement in narayan prasad village

ବୌଦ୍ଧ ଜିଲ୍ଲାର ଅନ୍ୟତମ ଉପାନ୍ତ ପଞ୍ଚାୟତ ନାରାୟଣ ପ୍ରସାଦରେ ଅପହଞ୍ଚ ସରକାରୀ ଯୋଜନା । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଅଧିକ ପଢନ୍ତୁ

no developement in narayan prasad village

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବୌଦ୍ଧ ଜିଲ୍ଲାର ଅନ୍ୟତମ ଉପାନ୍ତ ପଞ୍ଚାୟତ ନାରାୟଣ ପ୍ରସାଦରେ ବିକାଶ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସବୁଦିନିଆ ରାସ୍ତା ଅଭାବରୁ ସେସବୁ ଅଞ୍ଚଳରେ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକ୍‌ରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଯୋଗାଯୋଗର ବିଛିନ୍ନତା ହେତୁ ସେସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗରିବ ଆଦିବାସୀ ହିତାଧିକାରୀ । କଣ୍ଟାମାଳ ବ୍ଲକର ୨୪ ଗୋଟି ପଞ୍ଚାୟତ ମଧ୍ୟରୁ ଲମ୍ବସରୀ, ବରଗାଁ, ଉମା, ଖୁଣ୍ଟିଗୋରା, ନାରାୟଣ ପ୍ରସାଦ ଭଳି ଉପାନ୍ତ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗର ସମସ୍ୟା ରହିଆସିଛି । ବିଶେଷ ଭାବରେ ଉମା, ଖୁଣ୍ଟିଗୋରା, ନାରାୟଣ ପ୍ରସାଦ ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ବିଭିନ୍ନ ସମୟରେ ମାଓବାଦୀଙ୍କ ଉପସ୍ଥିତି ଜାହିର ହୋଇ ଆସିଛି ।

ଗତ କିଛି ମାସ ତଳେ ଖୁଣ୍ଟିଗୋରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମାଓବାଦୀଙ୍କ ପୋଷ୍ଟର ସମସ୍ତଙ୍କୁ ଭୟଭୀତ କରିଥିଲା । ମାଓ ଗତିବିଧି ସକ୍ରିୟ ଥିବା ନାରାୟଣ ପ୍ରସାଦ ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନା ସଠିକ ଭାବରେ ପହଞ୍ଚି ପାରୁନାହିଁ । ନାରାୟଣ ପ୍ରସାଦ ପଞ୍ଚାୟତର ଅନୁଗୁଭା, ଲୁଣ୍ଡୁରୁ, ନାଦେନ ଭଳି ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ପାଇଁ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି । ରାସ୍ତା ଅଭାବରୁ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି ।

ଏହା ମଧ୍ୟ ପଢନ୍ତୁ- ଘୋଡାଡିଆଁ ଗାଁରେ ଅପହଞ୍ଚ ବିକାଶ, କେବେ ଦୂର ହେବ ଆଦିବାସୀଙ୍କ ଦୁଃଖ?

ଏସବୁ ଅଞ୍ଚଳରେ ଗୁଣିଗାରେଡ଼ି, ତନ୍ତ୍ରମନ୍ତ୍ର ଦ୍ବାରା ଗରିବ ନିରୀହ ଆଦିବାସୀଙ୍କ ଚିକିତ୍ସା କରାଯାଉଥିବା ବେଳେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ସେହିପରି ବିଭିନ୍ନ ସମୟରେ ଏଭଳି ଦୁର୍ଗମ ଅଞ୍ଚଳରେ ମାଓ ଗତିବିଧି ରହୁଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ସାମାଜିକ ସୁରକ୍ଷା ଯୋଜନା ଅପହଞ୍ଚ ହୋଇ ରହିଛି । ଏନେଇ ନାରାୟଣ ପ୍ରସାଦ ସରପଞ୍ଚ ସିଧାସଳଖ ଭାବରେ କଣ୍ଟାମାଳ ବିଧାୟକଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି । ବିକାଶର ଧାରାରେ ଏସବୁ ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଗଣମାଧ୍ୟମଠାରୁ ସୂଚନା ପାଇ ରାସ୍ତା ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Nov 7, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.