ETV Bharat / politics

ରାଜ୍ୟର ୩୫ ବିଧାନସଭା ଆସନରେ ଭୋଟିଂ ଆରମ୍ଭ; ନବୀନ-ଆରୁଖ-ଦିଲ୍ଲୀପଙ୍କ ଭାଗ୍ୟ ନିର୍ଦ୍ଧାରଣ - Odisha Assembly Election 2024

author img

By ETV Bharat Odisha Team

Published : May 20, 2024, 7:52 AM IST

Odisha Assembly Election Phase II: ଆଜି ଦ୍ବିତୀୟ ପର୍ଯ୍ୟାୟ ଭାଗ୍ୟ ପରୀକ୍ଷା । ରାଜ୍ୟର ୩୫ ବିଧାନସଭା ଆସନରେ ଆରମ୍ଭ ହେଲା ମତଦାନ । ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଅଧିକ ପଢନ୍ତୁ

ରାଜ୍ୟର ୩୫ ବିଧାନସଭା ଆସନରେ ଭୋଟିଂ ଆରମ୍ଭ; ରେସ୍‌ରେ ନବୀନ-ଆରୁଖ-ଦିଲ୍ଲୀପ
ରାଜ୍ୟର ୩୫ ବିଧାନସଭା ଆସନରେ ଭୋଟିଂ ଆରମ୍ଭ; ରେସ୍‌ରେ ନବୀନ-ଆରୁଖ-ଦିଲ୍ଲୀପ (Etv Bharat Odisha)

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ୫ ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଚାଲିଛି । ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ଭୋଟର ୭୯ ଲକ୍ଷ ୬୨ ହଜାର ୧୪୮ ନିଜର ମତସାବ୍ୟସ୍ତ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିହଦେଓଙ୍କ ଭଳି ପ୍ରମୁଖ ଟାଣୁଆ ନେତା ପ୍ରତିନ୍ଦ୍ବନ୍ଦିତା କରୁଥିବା ଆସନରେ ମତଦାନ କରୁଛନ୍ତି ଜନତା । ତେବେ ଏଥର ଦୁଇଟି ଆସନରେ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପାରମ୍ପରିକ ହିଞ୍ଜିଳି ଆସନ ସହ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିବା ବେଳେ ଏକାସଙ୍ଗେ ଉଭୟ ଆସନରେ ଭୋଟଗ୍ରହଣ ହେବ ।

ଆଜି ମତଦାନ ହେଉଥିବା ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡିକ ହେଉଛି ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜି, ବାଲିଗୁଡା, ଜି ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡା ସାନଖେମୁଣ୍ଡି, ହିଞ୍ଜିଳି ।

ପ୍ରମୁଖ ନେତାଙ୍କ ଭାଗ୍ୟ ଲେଖୁଛନ୍ତି ଜନତା:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚଳିତ ନିର୍ବାଚନରେ ମଧ୍ୟ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ଲଢୁଛନ୍ତି । ଏଠି ନବୀନଙ୍କ ପ୍ରତିଦ୍ବନ୍ଦୀ ଅଛନ୍ତି ବିଜେପିର ଶିଶିର ମିଶ୍ର ଏବଂ କଂଗ୍ରେସର ରଜନୀକାନ୍ତ ପାଢ଼ୀ । ସେପଟେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରେ ପ୍ରଥମ ଥର ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଏଠି ତାଙ୍କର ପ୍ରତିଦ୍ବନ୍ଦୀ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ବର୍ତ୍ତମାନ ଏହି ଆସନରେ ସାଲୁଜା ବିଧାୟକ ରହିଥିବା ବେଳେ ଏଥିର ନବୀନ ସହ ତାଙ୍କର କଡା ଟକ୍କର ହେଉଛି ।

ରାଉରକେଲା ବିଧାନସଭା ଆସନରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏବଂ ବିଜେପିରୁ ଦିଲ୍ଲୀପ ରାୟ ମୁହାଁମୁହିଁ ହେଉଛନ୍ତି । କଂଗ୍ରେସ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । 2004 ଓ 2009ରେ ସାରାଦ ବିଜେପି ଟିକଟରୁ ନିର୍ବାଚନ ଲଢି କ୍ରମାଗତ ଦୁଇ ଥର ଜିତିଥିଲେ । 2014ରେ ସାରଦା ଓ ଦିଲ୍ଲୀପଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ସେତେବେଳେ ଦିଲ୍ଲୀପ ନିର୍ବାଚନ ଜିତି ତୃତୀୟ ଥର ବିଧାନସଭା ଯାଇଥିଲେ । 2024ରେ ପୁଣିଥରେ ରାଉରକେଲାରେ ସାରଦା-ଦିଲ୍ଲୀପ ଲଢେଇ ହେଉଛି ।

ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜର ଗଡ଼ ଭଞ୍ଜନଗରରୁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । ଚଳିତ ନିର୍ବାଚନ ଆରୁଖଙ୍କ ବିପକ୍ଷରେ ବିଜେପି ପୁଣିଥରେ ପ୍ରଦ୍ୟୁମ୍ନ ନାୟକଙ୍କୁ ଭରସା କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ବିଷୋୟୀ । ସେପଟେ ପାଟଣାଗଡରେ ବରିଷ୍ଠ ବିଜେପି ନେତା ତଥା ୫ ଥରର ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ବିଜେଡି ବିଧାୟକ ସରୋଜ ମେହେରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହେଉଛି । ୨୦୧୯ରେ ସରୋଜ ୧୦ ହଜାରରୁ ଅଧିକ ଭୋଟରେ କନକ ବର୍ଦ୍ଧନଙ୍କୁ ହରାଇ ତାଙ୍କର ଗଡ ଦଖଲ କରିଥିଲେ ।

ବିଜେଡିର ୨୦୧୯ ରେକର୍ଡ ବ୍ରେକ କରିପାରିବ କି ବିଜେପି:

ଗତ ୨୦୧୯ ନିର୍ବାଚନରେ ଏହି ୩୫ ଆସନରୁ ବିଜେଡି ୨୬ ଆସନରେ ବିଜୟ ହୋଇଥିବା ବେଳେ ବିଜେପି ଏବଂ କଂଗ୍ରେସ ମାତ୍ର ୪ଟି ଲେଖାଏଁ ଆସନ ପାଇଥିଲେ । ଆଉ ଗୋଟିଏ ଆସନରେ ସିପିଏମ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଏହିସବୁ ଆସନରେ ବିଜେଡି ନିଶ୍ଚିତ ବିଜୟ ଲକ୍ଷ୍ୟରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.