ETV Bharat / state

Ganesh Puja: ହାତୀ ସୁରକ୍ଷା ପାଇଁ ଗଜନାନଙ୍କୁ ପ୍ରାର୍ଥନା କଲେ ବନଖଣ୍ଡ ଅଧିକାରୀ

author img

By ETV Bharat Odisha Team

Published : Sep 19, 2023, 9:52 PM IST

ହାତୀ ସୁରକ୍ଷା ପାଇଁ ଗଜନାନଙ୍କୁ ପ୍ରାର୍ଥନା
ହାତୀ ସୁରକ୍ଷା ପାଇଁ ଗଜନାନଙ୍କୁ ପ୍ରାର୍ଥନା

ବୌଦ୍ଧ ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହ ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି । ହାତୀଙ୍କ ସୁରକ୍ଷା ପାଇଁ ଗଜାନନଙ୍କ ନିକଟରେ ହୋମଯଜ୍ଞ କରିଛନ୍ତି ବୌଦ୍ଧ ବନଖଣ୍ଡ ଅଧିକାରୀ । ଅଧିକ ପଢନ୍ତୁ

ହାତୀ ସୁରକ୍ଷା ପାଇଁ ଗଜନାନଙ୍କୁ ପ୍ରାର୍ଥନା କଲେ ବନଖଣ୍ଡ ଅଧିକାରୀ

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି ଗଣେଶ ଚତୁର୍ଥୀ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ପୀଠରେ ଅଗ୍ରପୂଜ୍ୟ ଗଜାନନଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରାଯାଇଛି । ଏହି କ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବୌଦ୍ଧ ବନଖଣ୍ଡ ପକ୍ଷରୁ ପାର୍ବତୀ ନନ୍ଦନଙ୍କ ଆରାଧନା କରାଯାଇଛି । ଜିଲ୍ଲାରେ ହାତୀ ମୃତ୍ୟୁ ବଢୁଥିବାରୁ ହାତୀଙ୍କ ସୁରକ୍ଷା ପାଇଁ ବନଖଣ୍ଡ ଅଧିକାରୀ ପ୍ରଭୁ ଗଜନାନଙ୍କ ନିକଟରେ ହୋମଯଜ୍ଞ କରିଛନ୍ତି । ନିଜେ ବନଖଣ୍ଡ ଅଧିକାରୀ ହୋମ କରି ବିଘ୍ନହର୍ତ୍ତାଙ୍କୁ ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ବିଘ୍ନନାଶନ ପାଇଁ ପ୍ରାର୍ଥନା କରିଛନ୍ତି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ବିଶେଷକରି ଗୋବର ଏବଂ କଳାରାଶିରୁ ନିର୍ମିତ ପ୍ରଭୁ ଗଣେଶଙ୍କ ପ୍ରତିମା ସମସ୍ତଙ୍କୁ ଅଧିକ ଆକର୍ଷିତ କରିଛି । ବୌଦ୍ଧର ଖଲିଆବଗିଚା ଠାରେ ପ୍ରକୃତି ପ୍ରେମୀ ଶିକ୍ଷକ ଓ ତାଙ୍କ ଛାତ୍ରଛାତ୍ରୀ ମିଶି ଗୋବର ଓ ପ୍ରାକୃତିକ ରଙ୍ଗର ବ୍ୟବହାରରେ ଗଜାନନଙ୍କ ପ୍ରତିମା ତିଆରି କରି ପୂଜାର୍ଚ୍ଚନା କରିଛନ୍ତି । ପ୍ରଦୂଷଣ କମାଇବା ବା ସ୍ବଚ୍ଛ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ସେମାନେ ଏଭଳି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିବା କହିଛନ୍ତି । ଅନ୍ୟପଟେ ସହରର ଗଣପତି କ୍ଲବ ପ୍ରତିବର୍ଷ ଭଳି ଏଥର ମଧ୍ୟ ନିଆରା ଗଣେଶ ମୂର୍ତ୍ତି ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି ।

ଏହାମଧ୍ୟ ପଢନ୍ତୁ: ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆକର୍ଷଣୀୟ ତୋରଣରେ ଝଲସୁଛି ପୂଜା ମଣ୍ଡପ

ବୌଦ୍ଧ ସହରର ବାବୁସାହିରେ ଗଣପତି କ୍ଲବ ପକ୍ଷରୁ ଗଣେଶ ଚତୁର୍ଥୀ ଉତ୍ସବରେ ନୂଆ ନୂଆ ସାମଗ୍ରୀରେ ଗଜାନନଙ୍କ ପ୍ରତିମା ତିଆରି କରାଯାଇଥାଏ । ଚଳିତ ବର୍ଷ ଏଠାରେ ଗଣେଶଙ୍କ ପ୍ରତିମୂର୍ତ୍ତି କଳାରାଶି ଦ୍ବାରା ନିର୍ମିତ କରାଯାଇଛି । ଯାହାକୁ ଦେଖିବାକୁ ବହୁ ଲୋକଙ୍କୁ ଭିଡ ଜମୁଛି । ତେବେ ଗଡ଼ଜାତ ରାଜ୍ୟ ବୌଦ୍ଧ ଜିଲ୍ଲାରେ ଦୀର୍ଘ ଦୁଇ ହଜାର ବର୍ଷ ହେଲା ଗଣନାଥଙ୍କ ପୂଜା ପରମ୍ପରା ରହିଆସିଛି । ଯାହାର ପ୍ରମାଣ ହେଉଛି ସହରର ରାମେଶ୍ବର ମନ୍ଦିର ଓ ବାଉଶୁଣୀର ଭୁବନେଶ୍ବର ମନ୍ଦିର ପରିସରରେ ଥିବା ଗଣେଶଙ୍କ ପ୍ରାଚୀନ ପ୍ରତିମା । ପ୍ରତ୍ୟେକ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହର ସହିତ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବ ପାଳନ କରାଯାଇଥାଏ ।

ଏହାମଧ୍ୟ ପଢନ୍ତୁ : Ganesh Puja: ବ୍ରହ୍ମପୁର ସିଦ୍ଧ ବିନାୟକ ପୀଠରେ ବିଘ୍ନରାଜଙ୍କ ପୂଜାର୍ଚ୍ଚନା, ଦର୍ଶନ ପାଇଁ ଭକ୍ତଙ୍କ ଗହଳି

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.