ETV Bharat / state

ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆକର୍ଷଣୀୟ ତୋରଣରେ ଝଲସୁଛି ପୂଜା ମଣ୍ଡପ

author img

By ETV Bharat Odisha Team

Published : Sep 19, 2023, 5:18 PM IST

Updated : Sep 19, 2023, 6:00 PM IST

ଶ୍ରୀକ୍ଷେତ୍ରରେ ଆନନ୍ଦ ଉଲ୍ଲାସରେ ଚାଲିଛି ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା । ଆସନ୍ତା ୨୫ ତାରିଖରେ ଭସାଣ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ପୁରୀରେ ଗଣେଶ ପୂଜା
ପୁରୀରେ ଗଣେଶ ପୂଜା

ପୁରୀରେ ଗଣେଶ ପୂଜା

ପୁରୀ: ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ ଉତ୍ସବମୁଖର ଶ୍ରୀକ୍ଷେତ୍ର । ପବିତ୍ର ଗଣେଶ ଚତୁର୍ଥୀରେ ଆନ୍ଦନ ଉଲ୍ଲାସର ସହ ବିଘ୍ନହର୍ତ୍ତାଙ୍କ ପୂଜାର୍ଚ୍ଚନା କରିଛନ୍ତି ପୁରୀ ସହରବାସୀ । ବିଭିନ୍ନ କ୍ଲବ, ପୂଜା ମଣ୍ଡପ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ବେଶ୍ ଆଡ଼ମ୍ବରର ସହ ଗଣେଶ ପୂଜା ପାଳନ ହୋଇଛି । ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଛି । ମନ୍ତ୍ରୀ ଧ୍ବନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ । ସକାଳୁ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ପୂଜକମାନେ ଆସି ପ୍ରଭୁ ଅଗ୍ରପୂଜ୍ୟଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ବରୁଣ ପୂଜା ପରେ ବର୍ଦ୍ଧନୀ, ମାତୃ ପୂଜା, ହୋମ, ପୁଷ୍ପାଞ୍ଜଳି ସହ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ପୂଜା ନୀତି ଅନୁଷ୍ଠିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: Ganesh Puja: ବ୍ରହ୍ମପୁର ସିଦ୍ଧ ବିନାୟକ ପୀଠରେ ବିଘ୍ନରାଜଙ୍କ ପୂଜାର୍ଚ୍ଚନା, ଦର୍ଶନ ପାଇଁ ଭକ୍ତଙ୍କ ଗହଳି

ପୁରାଣ ଅନୁଯାୟୀ, ଦେବୀ ପାର୍ବତୀ ସ୍ନାନ କରୁଥିବା ସମୟରେ ଦେହର ମଳିରୁ ଏକ ମୂର୍ତ୍ତି ତିଆରି କରିଥିଲେ । ଭଗବାନ ବିଷ୍ଣୁଙ୍କ ସ୍ମରଣରେ ସେହି ମୂର୍ତ୍ତୀଟି ଜୀବଦାନ ପାଇଥିଲେ । ସେ ହୋଇଥିଲେ ପାର୍ବତୀ ନନ୍ଦନ ଅଗ୍ରପୂଜ ଶ୍ରୀଗଣେଶ । ଗଣେଶ ଚତୁର୍ଥୀରେ ଯେଉଁ ଭକ୍ତମାନେ ପ୍ରଭୁ ଗଜାନନଙ୍କୁ ନିଷ୍ଠାର ସହ ପୂଜା କରଥାନ୍ତି ତାଙ୍କୁ ସିଦ୍ଧି ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଶ୍ରୀମନ୍ଦିର ସେବାୟତମାନେ ମଧ୍ୟ ପ୍ରଭୁ ଗଜାନନଙ୍କୁ ନିଜ ଘରେ ସ୍ଥାପନ କରି ବେଶ୍ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରିଛନ୍ତି ।

ସେପଟେ ଗଣେଶ ପୂଜାକୁ ଜାକଜମକରେ ପାଳନ କରିବା ପାଇଁ ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଭଳିକି ଭଳି ଆକର୍ଷଣୀୟ ତୋରଣ ନିର୍ମାଣ ସାଙ୍ଗକୁ ଚିକ୍‌ମିକ୍ ରଙ୍ଗୀନ ଆଲୋକମାଳାରେ ଝଲସୁଛି ମଣ୍ଡପ । ଏହାକୁ ଦେଖିବାକୁ ଦୂରାଦୂରନ୍ତରଙ୍କୁ ଶ୍ରଦ୍ଧାଳୁଙ୍କ ବିଭିନ୍ନ ପୂଜା ମଣ୍ଡପରେ ଗହଳି ଜମୁଛି । ମନୋରଞ୍ଜନ ପାଇଁ ସନ୍ଧ୍ୟା ସମୟରେ ମଣ୍ଡପ ଗୁଡିକ ପକ୍ଷରୁ ଭଜନ ସନ୍ଧ୍ୟା, ମେଲୋଡ଼ି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି ।

ଏହାମଧ୍ୟ ପଢନ୍ତୁ: ସୁପ୍ରିୟାଙ୍କ ନିଆରା କଳାକୃତି; କାଗଜରେ ଗଢିଲେ ଅଗ୍ରପୂଜ୍ୟ ଗଜାନନଙ୍କ ମୂର୍ତ୍ତି

ଗଣେଶ ପୂଜାକୁ ନେଇ ଶ୍ରୀକ୍ଷେତ୍ର ଉତ୍ସବ ମୁଖର ରହିଛି । ଏହାର ଆନନ୍ଦ ନେବାକୁ ବାହାରୁ ମଧ୍ୟ ପର୍ଯ୍ୟଟକମାନେ ଆସୁଛନ୍ତି । ପୂଜା ପାଇଁ ପୁରା ସହର ଚଳଚଞ୍ଚଳ ରହିଥିବା ବେଳେ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୨୫ ତାରିଖରେ ପ୍ରଶାସନ ପକ୍ଷରୁ ଅଗ୍ରପୂଜ ଗଣେଶଙ୍କ ଭସାଣ ସ୍ଥିର କରାଯାଇଛି ।



ଇଟିଭି ଭାରତ, ପୁରୀ

Last Updated : Sep 19, 2023, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.