ETV Bharat / state

ବୌଦ୍ଧରେ ହାତୀ ସୁରକ୍ଷା ପାଇଁ ଗଜସାଥି ନିଯୁକ୍ତ, ସାମିଲ ହେଲେ ୧୨୫ ଜଣ ଯୁବକ

author img

By ETV Bharat Odisha Team

Published : Dec 17, 2023, 7:51 AM IST

ବୌଦ୍ଧରେ ହାତୀ ସୁରକ୍ଷା ପାଇଁ ନିଯୁକ୍ତି ହେଲେ ଗଜସାଥି , ସାମିଲ ହେଲେ ୧୨୫ ଜଣ ଯୁବକ
ବୌଦ୍ଧରେ ହାତୀ ସୁରକ୍ଷା ପାଇଁ ନିଯୁକ୍ତି ହେଲେ ଗଜସାଥି , ସାମିଲ ହେଲେ ୧୨୫ ଜଣ ଯୁବକ

Gajasathi in Boudh: ହାତୀଙ୍କ ସୁରକ୍ଷା ପାଇଁ ଚିନ୍ତାରେ ସରକାର । ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଗଜସାଥି ମିଶନ । ଏଥିରେ ସାମିଲ ହେଲେ ୧୨୫ ଜଣ ଯୁବକ । ହାତୀ ଗତିବିଧି ଉପରେ ସକ୍ରିୟ ନଜର ରଖିବେ ଗଜସାଥି । ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତି ସମ୍ପର୍କରେ "ଅନୁକମ୍ପା" ଆପ୍‌ରେ ଆବେଦନ କରିପରିବେ କ୍ଷତିଗ୍ରସ୍ତ । ଅଧିକ ପଢ଼ନ୍ତୁ

ବୌଦ୍ଧରେ ହାତୀ ସୁରକ୍ଷା ପାଇଁ ନିଯୁକ୍ତି ହେଲେ ଗଜସାଥି , ସାମିଲ ହେଲେ ୧୨୫ ଜଣ ଯୁବକ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ହାତୀ ଗତିବିଧି ତଥା ସଚେତନତା ସୃଷ୍ଟି ପାଇଁ ନିୟୋଜିତ ହେଲେ ଗଜସାଥି । ଜିଲ୍ଲାରେ ପ୍ରଥମଥର ପାଇଁ ୧୨୫ ଜଣ ଯୁବକଙ୍କୁ ଏହି ଗଜସାଥି ମିଶନରେ ସାମିଲ କରାଯାଇଥିବା ସୂଚନା ମିଳିଛି । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲା । ଏହାର ବିଭିନ୍ନ ବନାଞ୍ଚଳରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଥିବା ସୂଚନା ରହିଛି । ତେବେ କଣ୍ଟାମାଳ, ମନମୁଣ୍ଡା, ମାଧପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ହାତୀ ଗତିବିଧି ସକ୍ରିୟ ରହିଛି । ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ, କପାଚାଷ, ବନାଗ୍ନି ତଥା ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ପଡିଛନ୍ତି ଜଙ୍ଗଲୀ ହାତୀ ।

ଜିଲ୍ଲାର ମାଧପୁର ଓ କଣ୍ଟାମାଳ ବନାଞ୍ଚଳରେ ସର୍ବାଧିକ ହାତୀ ରହୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନେକ ସମୟରେ ଜନ ସଚେତନତା ଅଭାବରୁ ଏହି ଜାତୀୟ ଐତିହ୍ୟ ପ୍ରାଣୀ ହାତୀର ଅଙ୍ଗ ପ୍ରତ୍ୟଙ୍ଗ ବିଶେଷ ଭାବରେ ହାତୀଦାନ୍ତ ସଂଗ୍ରହ ପାଇଁ ଗତ କିଛି ବର୍ଷ ମଧ୍ୟରେ ୫ଟି ବିଶାଳ ପ୍ରାଣୀର ଶୀକାର କରାଯାଇଥିଲା । ଏହାଛଡା ବିଦ୍ୟୁତ ଆଘାତରେ ମଧ୍ୟ ହାତୀ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ତେବେ ଦିନକୁ ଦିନ ଜଙ୍ଗଲ ଅଞ୍ଚଳରେ ଖାଦ୍ୟ ଓ ପାଣିର ଅଭାବ ତଥା ମଣିଷଙ୍କ ଜଙ୍ଗଲରେ ଅବାଧ ପ୍ରବେଶ ଯୋଗୁଁ ହାତୀମାନେ ଜନବସତି ମୁହାଁ ହୋଇ ପଡ଼ୁଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ.....ହାତୀଙ୍କୁ ସୁରକ୍ଷା ଦେବେ ଗଜସାଥି

ଏପରି କି ଗତ କିଛି ଦିନ ତଳେ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ତିଲପଙ୍ଗା ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । ଏହାଛଡ଼ା ଜିଲ୍ଲାର ଶଗଡ଼ା, ବରଗାଁ, ନାରାୟଣ ପ୍ରସାଦ, ଲମ୍ବସରୀ ଭଳି କେତେକ ପଞ୍ଚାୟତର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ହାତୀ ପଲ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ହାତୀ ସମ୍ପର୍କରେ କୌଣସି ସଠିକ୍ ସୂଚନା ତଥା ଏମାନଙ୍କର ଗତିବିଧି ନେଇ ସ୍ପଷ୍ଟ ସୂଚନା ମିଳୁ ନଥିଲା । ତେବେ ଆଜିଠାରୁ ଜିଲ୍ଲାର ପଚିଶ ଗୋଟି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମକୁ ବନ ବିଭାଗ ଚିହ୍ନଟ କରି ସେଠାରେ ଗଜସାଥି ଙ୍କୁ ହାତୀ ଗତିବିଧି ଉପରେ କାର୍ଯ୍ୟ କରିବାକୁ ନିୟୋଜିତ କରିଛି । ଏହାରି ଭିତରେ ସରକାରପ୍ରତ୍ୟେକ ଗ୍ରାମରୁ ୫ଜଣ ଲେଖାଏଁ ଏଭଳି ୧୨୫ ଜଣ ଯୁବକଙ୍କୁ ଏହି ଗଜସାଥି ମିଶନରେ ସାମିଲ କରାଯାଇଥିବା ସୂଚନା ମିଳିଛି ।

ଏହି ଗଜସାଥିମାନେ ହାତୀ ସମ୍ପର୍କରେ ସୂଚନା ପାଇବା ମାତ୍ରେ ନିକଟସ୍ଥ ବନ ବିଭାଗ, କର୍ମଚାରୀଙ୍କୁ ଖବର ଦେବା ସହିତ ହାତୀ ଗତିବିଧି ଉପରେ ନଜର ରଖିବେ । ଏହାସହ ହାତୀ ଜନ ସଚେତନତା ଉପରେ କାର୍ଯ୍ୟ କରିବେ । ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ହାତୀ ଗତିବିଧି ସମ୍ପର୍କରେ ତଥା ସରକାରଙ୍କ ଅନୁକମ୍ପା ଆପ୍‌ ସମ୍ପର୍କରେ ସହକାରୀ ବନ ସଂରକ୍ଷକ ସୂଚନା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.