ETV Bharat / state

ବ୍ୟାପକ ଜଳସେଚନ ସମସ୍ୟା, ଆନ୍ଦୋଳନ ମୁହାଁ ହେଲେଣି ଚାଷୀ ସଂଗଠନ

author img

By

Published : Jun 22, 2023, 9:28 AM IST

farmers facing problems
farmers facing problems

ବୌଦ୍ଧ ଜିଲ୍ଲାରେ ଜଳସେଚନର ବ୍ୟାପକ ସମସ୍ୟା ଅଭିଯୋଗରେ ଆନ୍ଦୋଳନ ପାଇଁ ଭାରତୀୟ କିଷାନ ସଂଘର ପ୍ରସ୍ତୁତି । ଅଧିକ ପଢନ୍ତୁ

ଆନ୍ଦୋଳନ ମୁହାଁ ହେଲେଣି ଚାଷୀ ସଂଗଠନ

ବୌଦ୍ଧ: ଜଳସେଚନ କ୍ଷେତ୍ରରେ ବ୍ୟାପକ ସମସ୍ୟା । ଏନେଇ ବୌଦ୍ଧ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଅଭିଯୋଗ ସହିତ ଆସନ୍ତା ଦିନରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ । ସରକାରଙ୍କ ପ୍ରସ୍ତାବିତ ସାଲୁଙ୍କୀ ନଦୀର ବ୍ୟାରେଜକୁ ବିରୋଧ କରାଯିବା ସହିତ ତାର ଉପର ମୁଣ୍ଡରେ ଏକ ଡ୍ୟାମ ନିର୍ମାଣ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

ସୂଚନା ମୁତାବକ, ଜିଲ୍ଲାରେ ଦୁଇ ଅସ୍ଥାୟୀ ସେଚନ ପ୍ରକଳ୍ପ ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ହେଉନଥିବାରୁ ବିଭିନ୍ନ ସ୍ଥାନରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି । ଏଠାରେ ପର୍ଯ୍ୟାପ୍ତ ଜଳ ଉତ୍ସ ରହିଥିଲେ ମଧ୍ୟ ତାର ସଦୁପଯୋଗ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ଖଡଙ୍ଗ, ବାଘନଦୀ ଭଳି ଅନେକ ନଦୀଝରଣା ପ୍ରବାହିତ ହେଉଛି । କିନ୍ତୁ ଜିଲ୍ଲାର ସାଲୁଙ୍କୀ ନଦୀର ପାଲଝାର ଠାରେ ଓ ବାଘନଦୀର ଶଗଡା ନିକଟରେ ଏଭଳି ଦୁଇଟି ସ୍ଥାନରେ ଅସ୍ଥାୟୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ।

କେବଳ ସାଲୁଙ୍କୀ ସେଚନ ପ୍ରକଳ୍ପ ଦ୍ବାରା ଜିଲ୍ଲାର ପ୍ରାୟ 22000 ହେକ୍ଟର ଜମିକୁ ଜଳସେଚନ ହୋଇ ପାରୁଛି । କିନ୍ତୁ ବର୍ତ୍ତମାନ ଉକ୍ତ ସାଲୁଙ୍କୀ ସେଚ ପ୍ରକଳ୍ପ ଧୀରେଧୀରେ ପୋତି ହୋଇ ପଡିବା ସହିତ ଏହାର ଜଳଧାରଣ କ୍ଷମତା ହ୍ରାସ ଯୋଗୁଁ କେନାଲ ଯୋଗେ ଜଳସେଚନ ନେଇ ବ୍ୟାପକ ସମସ୍ୟା ଲାଗି ରହୁଛି । ଜଳସେଚନ ସମସ୍ୟାର ସମାଧାନ ପାଇଁ ଅଞ୍ଚଳର ଚାଷୀମାନେ ଦୀର୍ଘ ବର୍ଷ ହେଲା ସାଲୁଙ୍କୀ ନଦୀର ଉପର ମୁଣ୍ଡରେ ଥିବା ଗୁରୁଜୀମୁଣ୍ଡା ଗ୍ରାମ ନିକଟସ୍ଥ ଗମ୍ଭୀରା ଦରହ ଠାରେ ଏକ ଡ୍ୟାମ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଜଳସେଚନ ବିଭାଗ ସାଲୁଙ୍କୀ ନଦୀର ସତୀଘାଟଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତୁତି କରୁଥିବା ସୂଚନା ମିଳିବା ପରେ ବୌଦ୍ଧ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି ।

କାରଣ ସତୀଘାଟ ବ୍ୟାରେଜ ନିର୍ମାଣ ଦ୍ବାରା ତଳ ମୁଣ୍ଡରେ ଥିବା ଜମିକୁ ଜଳସେଚନ ହୋଇପାରିବ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ତେଣୁ ତୁରନ୍ତ ଉକ୍ତ ସତୀଘାଟ ପ୍ରକଳ୍ପକୁ ବାଦ ଦିଆଯାଇ ଗମ୍ଭୀରା ଦରହ ଡ୍ୟାମ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଦାବି କରାଯାଇଛି । ଏନେଇ ଗତକାଲି କିଷାନ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯିବା ସହିତ ଆସନ୍ତା 23 ତାରିଖରେ ସଂଘ ଅଞ୍ଚଳର ହଜାର ହଜାର ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.