ETV Bharat / state

ମହାନଦୀରେ କମୁଛି ଜଳସ୍ତର, ବନ୍ୟା ପରେ ଚିନ୍ତାରେ ଚଷୀ

author img

By ETV Bharat Odisha Team

Published : Oct 9, 2023, 2:10 PM IST

ମହାନଦୀରୁ କମୁଛି ବନ୍ୟା ଜଳସ୍ତର । ବନ୍ୟା ଆଶଙ୍କା ଟଳିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ମହାନଦୀରେ କମୁଛି ଜଳସ୍ତର
ମହାନଦୀରେ କମୁଛି ଜଳସ୍ତର

ମହାନଦୀରେ କମୁଛି ଜଳସ୍ତର

ବୌଦ୍ଧ: ବର୍ଷା କମିବା ପରେ ମହାନଦୀରେ ବନ୍ୟା ଜଳସ୍ତର ହ୍ରାସ ପାଇଛି । ଫଳରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାପାଣି କମିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି । ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ଯୋଗୁଁ ରାସ୍ତାଘାଟ ସମ୍ପୂର୍ଣ୍ଣ ଧୋଇ ହେବା ସହ ଚାଷ ଜମିରେ ବାଲିଚର ମାଡ଼ି ଯାଇଥିବା ଅଭିଯୋଗ ହୋଇଛି । ସେପଟେ ବନ୍ୟାପାଣି ଯୋଗୁଁ ଜିଲ୍ଲା ସଦରମହକୁମା ନିକଟରେ ହୋଇଥିବା ବିରାଟକାୟ ଘାଇକୁ ସୁରକ୍ଷା ଦେବାକୁ କାଠ ଓ ବାଉଁଶ ବାଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ଚଳିତ ବର୍ଷର ମୌସୁମୀ ଫେରିବାକୁ ବସିବା ସହିତ ଜିଲ୍ଲାରେ ଗତ ସପ୍ତାହରୁ ଆଉ ବର୍ଷା ହୋଇନାହିଁ । ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ଜଳସ୍ତର ଧୀରେଧୀରେ ହ୍ରାସ ହେବା ପରେ ତଳିଆ ଅଞ୍ଚଳରେ ବନ୍ୟାଜଳ ଅପସାରିତ ହୋଇଛି । ମନମୁଣ୍ଡାଠାରୁ ମାରଡ଼ା ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ତଳିଆ ଅଞ୍ଚଳରେ ବନ୍ୟାଜଳ ଯୋଗୁଁ ରାସ୍ତାଘାଟ ଅନେକ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଷ ଜମିରେ ବାଲିଚର ମାଡ଼ି ଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା କୃଷି ବିଭାଗ ଚାଷର କ୍ଷୟକ୍ଷତି ନେଇ କୌଣସି ଆକଳନ କରି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ଚିନ୍ତାରେ ଚାଷୀକୂଳ ।

ସେପଟେ ବୌଦ୍ଧଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଯାଇଥିବା ପୁରୁଣା ଜଗନ୍ନାଥ ସଡ଼କର ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ସହିତ କେତେକ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କାଲେଶ୍ବର ଗ୍ରାମଠାରୁ ନେଇ ବଙ୍କାପଡ଼ା, ବଘାରପାଲି, କୃଷ୍ଣ ମୋହନପୁର, କରଡ଼ି, ମଙ୍ଗଳପୁର, ଝରାସାହି, କୋଡାସିଙ୍ଗା, ପାଣିଘରା, ବୁଲୁରା, ତିରଡ, କୁମାରୀ, ଅତଳସରା, ହରଭଙ୍ଗା, ମାରଡା ଭଳି ଗ୍ରାମରେ ବନ୍ୟାପାଣି ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଥିବା ବେଳେ ବର୍ତ୍ତମାନ ଏଭଳି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ବହୁବିଧ ସମସ୍ୟା ଘେରରେ ବାଉଶୁଣୀ, ସମାଧାନ ପାଇଁ ଦାବି

ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ରାମଜାଙ୍ଗୀ ନାଳରେ ଗତ ପ୍ରାୟ ଦୁଇ ମାସ ତଳେ ମହାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ସମୟରେ ଏକ ବିରାଟକାୟ ଘାଇ ସୃଷ୍ଟି ହୋଇଥିଲା । ତେବେ ଉକ୍ତ ମୁକୁଳା ଘାଇକୁ ବର୍ତ୍ତମାନ ଜଳସେଚନ ବିଭାଗ ପକ୍ଷରୁ କାଠ ଓ ବାଉଁଶର ବାଡ଼ ଦେଇ ସୁରକ୍ଷା ଦିଆଯାଇଛି । ଫଳରେ ବର୍ତ୍ତମାନ ମୁକୁଳା ଘାଇକୁ କାଠ ବାଡ଼ ଜଗିଛି ବୋଲି ଚର୍ଚ୍ଚା ହେଉଛି । ତେବେ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.