ETV Bharat / state

ସରକାରଙ୍କ ମାଲ୍‌ ଦରିଆ ମେଁ ଡାଲ, ମାସେ ନ ପୁରୁଣୁ ରାସ୍ତା ଫାଟି ଆଁ

author img

By

Published : Jul 2, 2023, 1:46 PM IST

ରାସ୍ତା ନିର୍ମାଣର ଅଳ୍ପ କିଛି ଦିନ ମଧ୍ୟରେ ରାସ୍ତା ମଝିରୁ ଫାଟି ଆଁ । ବିଭାଗୀୟ ଅପାରଗତା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

allegation of low quality road works
allegation of low quality road works

allegation of low quality road works

ବୌଦ୍ଧ: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ ସରକାରୀ ବାବୁଙ୍କ ଅପାରଗତା ଯୋଗୁଁ ରାସ୍ତା ନିର୍ମାଣର କିଛି ଦିନ ଭିତରେ ରାସ୍ତାର ହାଲ ବେହାଲ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ ।

ତେବେ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣ ହେଉଥିବା ରାସ୍ତା ସବୁ ଅତି ନିମ୍ନମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । କେତେକ ରଙ୍ଗ ବୋଳା ରାସ୍ତାକୁ ଫଟୋ ଭିଡିଓ କରି ତଥା ସୋସିଆଲ ମିଡିଆରେ ଚିତ୍ରଣ କରି ସରକାରଙ୍କ ନିକଟରେ ସବୁକିଛି ଠିକ ଦର୍ଶାଉଥିବା ଆରଡି ବିଭାଗର ମିଛ ବର୍ତ୍ତମାନ ଧରାପଡିଛି । ସରସରା ପଞ୍ଚାୟତ ସଦର ଠାରୁ ବଘାରପାଲି ଓ ବଙ୍କାପଡା ଗ୍ରାମ ଦେଇ ପୁଣି କେନାଲ ରାସ୍ତାରେ ସରସରାକୁ ସଂଯୋଗ କରୁଥିବା ପ୍ରାୟ ୭ କିଲୋମିଟରର ରାସ୍ତା ଆରଡି ବିଭାଗ ପ୍ରାୟ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଗତ ମାସରେ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ରାସ୍ତା ମାତ୍ର ଗୋଟିଏ ବର୍ଷାରେ ମାଟି ରାସ୍ତା ଭଳି ଦବିଯିବା ସହିତ ଅନେକ ସ୍ଥାନରେ ରାସ୍ତାର ମଝିରୁ ଫାଟି ଆଁ କରିଛି ।

ତେବେ ବୌଦ୍ଧ ଜିଲ୍ଲାର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ତଥା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ବଙ୍କାପଡା ଠାରେ ଆରଡି ବିଭାଗର ଏଭଳି ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି । ଏନେଇ ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳର ଅଧିବାସୀ ଦାବି କରିଛନ୍ତି । ଆରଡି ବିଭାଗର କୌଣସି ଯନ୍ତ୍ରୀ ରାସ୍ତା ନିର୍ମାଣ ସମୟରେ ଦିନଟିଏ ଆସିନଥିଵା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ତେବେ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣର ଅଳ୍ପ ଦିନ ପରେ ଏଭଳି ଶୋଚନୀୟ ହୋଇ ପଡିବା ବିଭାଗୀୟ ଅପାରଗତାକୁ ଦର୍ଶାଇଛି ।

ଏହା ମଧ୍ୟ ପଢନ୍ତୁ- ଜନ ପ୍ରତିନିଧି ସାଜିଛନ୍ତି ଠିକାଦାର, ନିମ୍ନମାନର ରାସ୍ତା କାମ ଅଭିଯୋଗ

ବଙ୍କାପଡା ଠାରେ ଜଗନ୍ନାଥ ସଡକରୁ ଗ୍ରାମ ପ୍ରବେଶ ଠାରେ କଂକ୍ରିଟ ରାସ୍ତା ଫାଟି ଯାଇଥିବା ବେଳେ ତାକୁ ପିଚୁ ଦ୍ବାରା ପାଚ ପକାଯିବାକୁ ବିଭାଗ ଚେଷ୍ଟା କରିଛି । କିନ୍ତୁ ବଙ୍କାପଡା ଆଦିବାସୀ ବସ୍ତି ଠାରୁ ବଘାରପାଲି ରାସ୍ତାରେ ପିଚୁ ରାସ୍ତା ସମ୍ପୂର୍ଣ୍ଣ ଦବିଯିବା ସହିତ ଫାଟି ଯାଇଥିବାରୁ ବର୍ତ୍ତମାନ ରାସ୍ତାର ସ୍ଥାୟୀତ୍ବକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏପରିକି ରାସ୍ତା ନିର୍ମାଣ ସମୟରେ ସେଠାକାର ଦାୟିତ୍ୱରେ ଥିବା ଶ୍ରମିକ ମଧ୍ୟ ଏ ସମ୍ପର୍କରେ ନିଜ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଆରଡି ବିଭାଗର ଅପାରଗତାକୁ ଏଥିପାଇଁ ଦାୟୀ କରିଛନ୍ତି । ତେବେ ବିଭାଗୀୟ ଯନ୍ତ୍ରୀ କାହିଁକି ଏସବୁ ରାସ୍ତା ନିର୍ମାଣ କାର୍ଯ୍ୟ ଠିକରେ ତଦାରଖ କରିନଥିଲେ ସେନେଇ ତଦନ୍ତର ଆବଶ୍ୟକତା ରହିଥିବା ବେଳେ ଠିକାଦାର ଉକ୍ତ ନଷ୍ଟ ହୋଇଥିବା ରାସ୍ତାର ପୁନଃ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.