ETV Bharat / state

ଦଣ୍ଡଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, 8 ଆହତ

author img

By

Published : Mar 27, 2023, 9:02 AM IST

group clashes in boudh
group clashes in boudh

ଦଣ୍ଡଯାତ୍ରାର ଅୟମାରମ୍ଭ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର । ଏନେଇ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

group clashes in boudh

ବୌଦ୍ଧ: ଦଣ୍ଡଯାତ୍ରାକୁ ନେଇ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ହେଲେ ଏହି ଦଣ୍ଡ ଯାତ୍ରା ଆରମ୍ଭରୁ ଘଟିଛି ଅଘଟଣ । ଦଣ୍ଡ ଯାତ୍ରାର ଅୟମାରମ୍ଭ ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୮ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଦଣ୍ଡଯାତ୍ରାର ଉନ୍ମେଷ ଭୂମି ଭାବରେ ପରିଚିତ ବୌଦ୍ଧ ଜିଲ୍ଲାରେ ଦଣ୍ଡ ଯାତ୍ରାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଶୈବପୀଠରୁ ଏହି ଦଣ୍ଡ ଯାତ୍ରା ଦଳ ଚୈତ୍ର ମାସରେ ଉଠିବା ସହିତ ଷୋହଳ ସୁଆଙ୍ଗ ନୃତ୍ୟ ସଂଗୀତ ପାଇଁ ବେଶ ପ୍ରସିଦ୍ଧି ଲାଭ କରି ଆସିଛି । ଜିଲ୍ଲାର ସିଦ୍ଧପୁର, ଭୈରବୀ, ଚାରିଶମ୍ଭୁ, ଚଣ୍ଡିଗଡ, ଗୁପ୍ତେଶ୍ବର ଭଳି ଦଣ୍ଡ ଯାତ୍ରା ଦଳ ବେଶ ସୁନାମ ରଖିଥିବା ବେଳେ ଶତାଧିକ ବର୍ଷରୁ ଚଣ୍ଡିଗଡ ଦଣ୍ଡ ଯାତ୍ରା ଦଳର ଏକ ସ୍ବତନ୍ତ୍ର ପରିଚୟ ରହି ଆସିଛି ।

ହେଲେ ଗତ ଶନିବାର ଦିନ ଏହି ଚଣ୍ଡିଗଡ ଦଣ୍ଡଯାତ୍ରାର ଅୟମାରମ୍ଭ ହୋଇଥିବା ବେଳେ ରବିବାର ଦିନ ଚଣ୍ଡିଗଡ ଗ୍ରାମର ଗଡତିଆ ବା ଜମିଦାରଙ୍କ ଗୃହରୁ ଆରମ୍ଭ ହେବା ପରମ୍ପରା ରହିଥିଲା । କିନ୍ତୁ ଗ୍ରାମରେ ଅଶୌଚ କାରଣରୁ ଦଣ୍ଡ ଦଳ ପଡୋଶୀ ଗ୍ରାମରେ ଅୟମାରମ୍ଭକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ଯେଉଁ ଥିରେ ଆଠଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗଡ ଠାରେ ରହିଛି ପ୍ରସିଦ୍ଧ ଶୈବପୀଠ ସ୍ବପ୍ନେଶ୍ବର ମନ୍ଦିର । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶନିବାର ଏହାର ଅୟମାରମ୍ଭ ହୋଇଥିଲା । ପରମ୍ପରା ମୁତାବକ ପ୍ରଥମେ ଚଣ୍ଡିଗଡ ଗ୍ରାମରେ ଏହାର ଅୟମାରମ୍ଭ ହେବାକୁ ଥିବା ବେଳେ ଅଶୌଚ କାରଣରୁ ସେବାୟତ ମାନେ ନିକଟସ୍ଥ ବେନ୍ଦରୀପାଲି ଗ୍ରାମରେ ଏହାର ବନ୍ଦାଣ ଘେନା ସମୟରେ ଚଣ୍ଡିଗଡ ଗ୍ରାମବାସୀ ଓ ସେବାୟତଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଘଟିଥିଲା । ଫଳରେ ଉଭୟ ପକ୍ଷରୁ ଆଠଜଣ ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ତେବେ ଏନେଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି । ଶତାଧିକ ବର୍ଷର ଏହି ପ୍ରାଚୀନ ପରମ୍ପରାରେ ପ୍ରଥମଥର ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ଚଣ୍ଡିଗଡ ଗ୍ରାମକୁ ଠାକୁର ବିଜେ ନ କରିବାରୁ ଗ୍ରାମବାସୀ ମିଳିତ ଭାବରେ ସମସ୍ତ ପୂଜା ସାମଗ୍ରୀ ମହାନଦୀରେ ବିସର୍ଜନ କରିଦେଇଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ଉଭୟ ଜହ୍ନାପଙ୍ଗ ଫାଣ୍ଡି ଓ ବୌଦ୍ଧ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.