ETV Bharat / state

ଡକାୟତଙ୍କୁ ଧରାଇଲା ସନ୍ଧାନୀ କୁକୁର, 6 ଗିରଫ, ଲୁଟ୍ ସାମଗ୍ରୀ ଉଦ୍ଧାର

author img

By ETV Bharat Odisha Team

Published : Dec 25, 2023, 1:13 PM IST

Updated : Dec 25, 2023, 2:04 PM IST

lootera gang arrested
ଡକାୟତଙ୍କୁ ଧରାଇଲା ସନ୍ଧାନୀ କୁକୁର

Robbery case: ଭଦ୍ରକର ଚଣ୍ଡିଗାଁ ଅଞ୍ଚଳରେ ଚୋରି ଘଟଣା । 11 ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

lootera gang arrested


ଭଦ୍ରକ: ଡକାୟତି ଘଟଣାରେ ସାବରଙ୍ଗ ଥାନା ପୋଲିସକୁ ସଫଳତା । ସନ୍ଧନୀ କୁକୁର ସାହାଯ୍ୟରେ ଡକାୟତଙ୍କୁ ଧରିଲା ପୋଲିସ । ଟଙ୍କା, ସୁନା ଓ ମାରାଣାସ୍ତ୍ର ଜବତ ସହ 6 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତ 13 ତାରିଖରେ ଚଣ୍ଡିଗାଁ ଅଞ୍ଚଳର ଦୁଇ ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଚୋରି କରିଥିଲେ ଗିରଫ ଅଭିଯୁକ୍ତ । ଘଟଣାର 11ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

ଚଳିତ ଡିସେମ୍ବର ମାସ 13 ତାରିଖ ବିଳମ୍ବିତ ରାତିରେ ସାବରଙ୍ଗ ଥାନା ଅଧୀନ ଚଣ୍ଡିଗାଁ ଅଞ୍ଚଳର କମଳା କାନ୍ତ ନାୟକଙ୍କ ଘରେ ଡକାୟତି ହୋଇଥିଲା। 3 ଜଣ ଅଜଣା ଯୁବକ କମଳାକାନ୍ତଙ୍କ ଘର କବାଟ ଭାଙ୍ଗି ପ୍ରବେଶ କରିବା ପରେ ମାରଣାସ୍ତ୍ରରେ ତାଙ୍କ ବାପା ମାଆଙ୍କୁ ଆକ୍ରମଣ କରି ଆହତ କରିଥିଲେ। ପରେ ଘରେ ଥିବା ଏକ ମୋବାଇଲ ଫୋନ, ସୁନା କାନଫୁଲ ସହ ନଗଦ 8 ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା । ସେହି ଦିନ ରାତିରେ ସମାନ ଗ୍ରାମର ନବଘନ ରାଉତଙ୍କ ଘର କବାଟ ଭାଙ୍ଗି ଭୁଜାଲି ଏବଂ ବନ୍ଧୁକ ଦେଖାଇ ଲୁଟେରା ମାନେ ଆତଙ୍କିତ କରି ତାଙ୍କ ସୁନା ହାର, ମଙ୍ଗଳ ସୂତ୍ର ସହ 10 ହଜାର ଟଙ୍କା ଲୁଟି ନେଇଥିଲେ। ପରେ ଏହି ଡକାୟତି ନେଇ ସାବରଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଏକ ସ୍ଵତନ୍ତ୍ର ସ୍କାର୍ଡ ଗଠନ କରି ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।

ଏହା ମଧ୍ୟ ପଢନ୍ତୁ-ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୬ ଗିରଫ

ସନ୍ଧାନୀ କୁକୁର ମାଧ୍ୟମରେ ପୋଲିସକୁ ଡକାୟତି ଘଟଣା ବାବଦରେ କିଛି ଦୃଢ଼ ସୁରାଖ ମିଳିଥିଲା। ଯାହାକୁ ଆଧାର କରି ତଦନ୍ତ ଜୋରଦାର କରାଯାଇଥିଲା । ଏଥିସହ ବିଭିନ୍ନ ତଥ୍ଯ ପ୍ରମାଣକୁ ଆଧାର କରି ଶେଷରେ 6 ଜଣ ଡକାୟତଙ୍କୁ ଗିରଫ୍ କରିବାରେ ସକ୍ଷମ ହୋଇଛି ସାବରଙ୍ଗ ଥାନା ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୌରଭ ଓତା, ସାବରଙ୍ଗ ଥାନା ଆଇଆଇସି ରିନା ବକ୍ସାଲ ସୂଚନା ଦେଇଛନ୍ତି। ଗିରଫ ଡକାୟତ ହେଉଛନ୍ତି ଆଟୁ ଗାଁର ଅନୁ ଦାସ, ରାଜୁ ଦାସ ଏବଂ ରାମ ଦାସ, ଇଟାଗଡି ଗାଁର ଦୁଃଖ ଓରଫ୍ ବାପିନ ଦାସ, କେନ୍ଦ୍ରପଡା ଅଞ୍ଚଳର ବଳିଆ ଓରଫ୍ ବଳିଆ ଦାସ ଏବଂ ଚୋରା ସୁନା କିଣିଥିବା ଦୋକାନୀ ରମାକାନ୍ତ ସାହୁ।

ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ 12 ହଜାର ଟଙ୍କା, 3 ଟି ବାଇକ୍, 2 ଟି ଭୁଜାଲି, 2 ଟି ଛୁରି, ମୋବାଇଲ ଫୋନ, ସୁନା ଲକେଟ, ତରଳା ଯାଇଥିବା ସୁନା ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated :Dec 25, 2023, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.