ETV Bharat / state

ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଭଦ୍ରକ, ଗୁଡି ଉଡ଼ାଇଲେ ଲୋକେ

author img

By ETV Bharat Odisha Team

Published : Jan 16, 2024, 6:25 AM IST

ମକର ସଂକ୍ରାନ୍ତି ପାଇଁ ଉତ୍ସବମ୍ମୁଖର ଭଦ୍ରକ ସହର
ମକର ସଂକ୍ରାନ୍ତି ପାଇଁ ଉତ୍ସବମ୍ମୁଖର ଭଦ୍ରକ ସହର

Makar Sankranti: ଭଦ୍ରକରେ ପ୍ରଥମ ଥର ପାଇଁ ଆୟୋଜିତ ହେଲା ଗୁଡି ଉଡା ମହୋତ୍ସବ । ସେହିଭଳି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ସଂକ୍ରାନ୍ତି ମିଳନ ଉତ୍ସବ ଅନୁଷ୍ଠିତ । ଅଧିକ ପଢନ୍ତୁ

ମକର ସଂକ୍ରାନ୍ତି ପାଇଁ ଉତ୍ସବମ୍ମୁଖର ଭଦ୍ରକ ସହର

ଭଦ୍ରକ: ଭାଇଚାରାର ସହର ଭଦ୍ରକରେ ବେଶ ଆନନ୍ଦ ଏବଂ ଉଲ୍ଲାସର ସହିତ ପାଳନ କରାଯାଇଛି ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ପର୍ବ ମକର ସଂକ୍ରାନ୍ତି । ତେବେ ପ୍ରଥମ ଥର ପାଇଁ ଭଦ୍ରକରେ ଗୁଡି ଉଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଭୟ ସମ୍ପ୍ରଦାୟର ଶତାଧିକ ଯୁବକମାନେ ସାମିଲ ହୋଇ ଅନେକ ରଙ୍ଗବେରଙ୍ଗର ଗୁଡି ଉଡାଇ ମକର ପାଳନ କରିଥିଲେ । ଏହି ଉତ୍ସବ ପାଳନ କରିବା ପାଇଁ ଗୋପାଳ କୃଷ୍ଣ ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ପୁରୁଣା ବଜାର ଅନ୍ତର୍ଗତ ମହାବୀର ପାଡ଼ିଆଠାରେ ଏକ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏହାସହ ବିଜେପି ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଭଦ୍ରକ ପୌରାଞ୍ଚଳ ପୁରୁଣା ବଜାର ମହାବୀର ପଡ଼ିଆଠାରେ ପ୍ରଥମ ଥର କରି ଗୁଡି ଉଡା ଉତ୍ସବରେ ନିର୍ଦ୍ଧାରିତ ନିୟମ ଏବଂ ସମୟ ଅନୁସାରେ ଯୁବକମାନେ ସାମିଲ ଥିଲେ । ସମସ୍ତ ଗୁଡି ଉଡାଳିମାନଙ୍କୁ କଡାକଡି ଭାବେ ମାଞ୍ଜା ସୂତା ବ୍ୟବହାର କରିବା ପାଇଁ ବାରଣ କରାଯାଇଥିଲା । ପଡିଆରେ ପ୍ରବେଶ କରିବା ପରେ ସମସ୍ତେ ସେମାନଙ୍କ ଲଟେଇର ସୂତାକୁ ଯାଞ୍ଚ କରିବା ପାଇଁ ପ୍ରଥମେ ଦାଖଲ କରି ଯାଞ୍ଚ କରାଇବା ପରେ ଗୁଡି ଉଡାଇ ଥିଲେ । ଯାହାକି ବେଶ ଆକର୍ଷଣୀୟ ଥିଲା । ଏହାସହ ଫାଉଣ୍ଡେସନ ପକ୍ଷରୁ ସମସ୍ତଙ୍କୁ ମକର ଖଜା, ମୁଡ଼ି, ଖଇ ମୁଆଁ ବଣ୍ଟା ଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସିଟି ଏସଡିପିଓ ଅଂଶୁମାନ ଦ୍ଵିବେଦୀ ଏବଂ ଗୋପାଳ କୃଷ୍ଣ ମହାପାତ୍ର ଫାଉଣ୍ଡେସନର ଆବାହକ ସାଇ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ । ଶେଷରେ ଭଲ ଗୁଡ଼ି ଉଡାଳିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ...ସଂକ୍ରାନ୍ତିରେ ସାକ୍ଷୀ ଗୋପିନାଥଙ୍କ ନିକଟରେ ସ୍ବତନ୍ତ୍ର ମକର ନୀତି

ଅନ୍ୟପକ୍ଷରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଜନତା ଯୁବମୋର୍ଚ୍ଚ ପକ୍ଷରୁ ସଂକ୍ରାନ୍ତି ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଯୁବକମାନେ ନେହେରୁ ଷ୍ଟାଡିୟମଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଶେଷରେ ଭଦ୍ରକର ଐତିହାସିକ ଗାନ୍ଧୀ ପଡିଆଠାରେ ସମସ୍ତେ ଏକତ୍ରିତ ହୋଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ରାଷ୍ଟ୍ରର ହିତ ପାଇଁ ସମସ୍ତେ ସମର୍ପଣ କରିବେ ବୋଲି ଶପଥ ନେଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.