ETV Bharat / state

ଭଦ୍ରକରେ ଧାନ ମଣ୍ଡି ସମସ୍ୟା: କଟନୀକୁ ନେଇ ଚାଷୀ ଅସନ୍ତୋଷ, ଘାରିଲାଣି ଅଭାବୀ ବିକ୍ରି ଭୟ

author img

By ETV Bharat Odisha Team

Published : Jan 14, 2024, 6:17 PM IST

Irregularities in paddy Procurement
ଭଦ୍ରକରେ ଧାନ ମଣ୍ଡି ସମସ୍ୟା

Irregularities in paddy Procurement: ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଭଦ୍ରକ ଜିଲ୍ଲାର ଚାଷୀଙ୍କୁ ଆଗୁଆ ଟୋକନ ଯୋଗାଇ ଦିଆଯାଇଛି । ହେଲେ ଧାନ ବିକିବାକୁ ମିଳିଥିବା ଟୋକନ ଅନୁଯାୟୀ ଧାନ ବିକ୍ରି ହୋଇପାରୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଭଦ୍ରକରେ ଧାନ ମଣ୍ଡି ସମସ୍ୟା

ଭଦ୍ରକ: ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନଥିବାରୁ ତେଜୁଛି ଅସନ୍ତୋଷ । ଗତ ଡିସେମ୍ବର 29 ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି । ହେଲେ ଚାଷୀଙ୍କ ନିକଟରୁ ନିର୍ଦ୍ଧାରିତ ସମୟରେ ଧାନ କିଣା ହେଉନଥିବାବେଳେ କଟନୀକୁ ନେଇ ଅସନ୍ତୋଷ ବଢୁଛି । ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଭଦ୍ରକ ଜିଲ୍ଲାର ଚାଷୀଙ୍କୁ ଆଗୁଆ ଟୋକନ ଯୋଗାଇ ଦିଆଯାଇଛି । ସେବା ସମବାୟ ସମିତି ଏବଂ ଏସଏଚଜିରେ ଟୋକନ ଦେଖାଇ ସରକାରଙ୍କୁ ଧାନ ବିକିବାକୁ କୁହାଯାଇଛି । ଏଥିପାଇଁ ଜିଲ୍ଲା ଯୋଗାଣ ନିଗମ ପକ୍ଷରୁ ବିଭିନ୍ନ ମଣ୍ଡି ଗୁଡିକୁ ଟାର୍ଗେଟ ମଧ୍ୟ ଦିଆଯାଇଛି । ହେଲେ ସୋସାଇଟି ନିର୍ଦ୍ଧାରିତ ସମୟରେ ଧାନ ନ କିଣି ଦିନ ଗଡ଼ାଉ ନଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।

"ଧାନ ସଂଗ୍ରହକୁ 15 ଦିନ ବିତିଲାଣି । ଗତ ମାସ 29 ଏବଂ 30 ତାରିଖରେ ଧାନ ବିକିବାକୁ ମିଳିଥିବା ଟୋକନ ଅନୁଯାୟୀ ଧାନ ବିକ୍ରି ହୋଇପାରୁନି । ଆଜି କାଲି କହି ଦିନ ଗଡ଼ାଯାଉଛି" ବୋଲି ଅଭିଯୋଗ କରିଛନ୍ତି ଚାଷୀ । ତେଣେ ଟୋକନ ମଞ୍ଜୁର ହେବାର ମାସକ ମଧ୍ୟରେ ଧାନ ବିକି ନପାରିଲେ ଟୋକନ ଲାପ୍ସ କରିଯିବାର ଭୟ ରହିଥିବା ଯୋଗୁଁ ଚାଷୀ ନିର୍ଦ୍ଧାରିତ ସମୟରେ ଧାନ ଦେବାକୁ ବ୍ୟାକୁଳ । ସେପଟେ ବିଭିନ୍ନ ଆଳ ଦେଖାଇ ସୋସାଇଟି ସମୟ ଗଡ଼ାଉଛନ୍ତି । ଧାନ କ୍ବିଣ୍ଟାଲ ପିଛା 6 କିଲୋ କଟନୀ କରାଯାଉଥିବାବେଳେ ପ୍ରତି ବସ୍ତା ବାବଦରେ 3 ଟଙ୍କା ନିଆଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଏସଏଚଜି ସଦସ୍ଯା ମଧ୍ୟ ଏଭଳି ଘଟଣାକୁ ପ୍ରତିବାଦ କରିଛନ୍ତି ।

ସୂଚନା ଅନୁସାରେ, ଚଳିତ ବର୍ଷ ଭଦ୍ରକ ଜିଲ୍ଲାରୁ 23 ଲକ୍ଷ 52 ହଜାର କ୍ବିଣ୍ଟାଲ ଧାନ କିଣିବାକୁ ସରକାର ଟାର୍ଗେଟ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ 102ଟି ସେବା ସମବାୟ ସମିତି ଏବଂ 57ଟି ଏସଏଚଜିଙ୍କୁ 10 ଲକ୍ଷ 87 ହଜାର କ୍ଵିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମଞ୍ଜୁର ହୋଇଛି । ଅବଶିଷ୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ମଞ୍ଜୁର କରାଯିବ ବୋଲି କୁହାଯାଇଛି । ହେଲେ ସରକାରୀ ଧାନ କ୍ରୟ ଏଜେନ୍ସି ଗୁଡିକର ମନମାନି ଯୋଗୁଁ ଚଳିତ ଜାନୁଆରୀ 5 ତାରିଖ ସୁଦ୍ଧା ସେଥିରୁ ମାତ୍ର 24 ହଜାର 933 କ୍ୱିଣ୍ଟାଲ ଧାନ କିଣା ସମ୍ଭବ ହୋଇଛି । ଜିଲ୍ଲାରେ ପଞ୍ଜିକୃତ 83 ହଜାର 867 ଜଣ ଚାଷୀଙ୍କ ମଧ୍ୟରୁ ମାତ୍ର 53 ଜଣ ଚାଷୀ ବିକ୍ରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଖବର ବାଜିଲା ପଡ଼ିଲା ପ୍ରଭାବ, ବାଲିଅନ୍ତା ବ୍ଲକରେ ୩ଟି ସରକାରୀ ଧାନମଣ୍ଡି ଉଦଘାଟିତ

ଧାନ କିଣାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ଏନେଇ ଆଗୁଆ ମଣ୍ଡି ପରିଚାଳକଙ୍କୁ ନେଇ ଘନ ଘନ ବୈଠକ, ଆଲୋଚନା ଏବଂ ପ୍ରଶିକ୍ଷଣ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଅସଲ ଧାନ କିଣା ବେଳକୁ ସବୁ ଫେଲ୍। ପର୍ଚେଜ ଅଫିସର କହିଛନ୍ତି, "ଧାନ କିଣା ସୂଚାରୁ ଭାବେ ଚାଲିଛି ।" ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ନିଗମ କର୍ତ୍ତୃପକ୍ଷଙ୍କୁ କୈଫିୟତ ତଲବ କରାଯିବା ନେଇ ସାଧାରଣରେ ଦାବି ଜୋର ଧରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.