ETV Bharat / state

ଯୌତୁକ ଜୁଇରେ ଶକ୍ତିମୟୀ ! ମାତ୍ର ଲକ୍ଷେ ଟଙ୍କା ନେଲା ନବବଧୂର ଜୀବନ

author img

By ETV Bharat Odisha Team

Published : Dec 15, 2023, 10:25 AM IST

Dowry death in Bhadrak
ଯୌତୁକ ଜୁଇରେ ଶକ୍ତିମୟୀ !

Dowry death in Bhadrak: ଯୌତୁକ ଚିତାରେ ଆଉ ଏକ ନବବଧୂ । ଭଦ୍ରକ ଭଣ୍ଡାରିପୋଖରୀରେ ଯୌତୁକ ଯୋଗୁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ ।

Dowry death in Bhadrak

ଭଦ୍ରକ: ଯୌତୁକ ଜୁଇରେ ଆଉ ଜଣେ ନବବଧୂ ! ବିବାହକୁ 6 ମାସ ନପୁରୁଣୁୁ ଯୌତୁକ ଲୋଭୀ ରାକ୍ଷସଙ୍କ ଗ୍ରାସରେ ଜୀବନ ହାରିଛି ନବବଧୂ ! ଯୌତୁକ ଲୋଭରେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଜୁଲାଇ 5 ତାରିଖରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମର ବିଶ୍ୱଜିତ ବାରିକ ନାମକ ଯୁବକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ଯାଜପୁର ଜିଲ୍ଲା ମୋଟରଙ୍ଗପାଳ ଗ୍ରାମର କାମଦେବ ବାରିକଙ୍କ ଝିଅ ଶକ୍ତିମୟୀ ବାରିକ । ହେଲେ ବିବାହକୁ କେଇଟା ଦିନ ନପୁରୁଣୁ ଶାଶୁଘର ଲୋକେ ପାଲଟିଯାଇଥିଲା ଯୌତୁକ ଲୋଭି ରାକ୍ଷସ । ଯୌତୁକ ବାବଦରେ ସମ୍ବଳ ଅନୁଯାୟୀ ଶକ୍ତିମୟୀଙ୍କ ପରିବାର 2 ଲକ୍ଷ ଟଙ୍କା ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆସବାବପତ୍ର ଦେଇଥିଲେ ମଧ୍ୟ କିନ୍ତୁ ସେତିକିରେ ସନ୍ତୁଷ୍ଟ ହୋଇନଥିଲେ ବିଶ୍ୱଜିତଙ୍କ ପରିବାର ଲୋକେ । ଆଉ ଏକ ଲକ୍ଷ ଟଙ୍କା ଦାବି କରି ନବବଧୂ ନିର୍ଯାତନା ଆରମ୍ଭ କରିଦେଇଥିଲେ ଶାଶୁଘର ଲୋକେ । ପ୍ରତ୍ୟେକ ଦିନ ଶକ୍ତିମୟୀଙ୍କୁ ଶାଶୁଘର ଲୋକେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଶକ୍ତିମୟୀଙ୍କ ପରିବାର ମଧ୍ୟ ଏକଥା ଜାଣିବା ପରେ ଅନେକ ବାର ସମାଧାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଯୌତୁକ ଜୁଇରେ ଆଉ ଜଣେ ନବବଧୂ, ପ୍ରେମିକ ଘରେ ପ୍ରେମିକାର ଆତ୍ମହତ୍ୟା !

ହେଲେ ଗତକାଲି(ଗୁରୁବାର) ଦିନ ଶକ୍ତିମୟୀଙ୍କ ଶାଶୁଘର ପକ୍ଷରୁ ବାପଘରକୁ ଏକ ଫୋନ୍‌ କଲ ଯାଇଥିଲା । ଯେଉଁଥିରେ କୁହାଯାଇଥିଲା, "ତମ ଝିଅ କବାଟ ଖୋଲୁ ନାହିଁ ଶୀଘ୍ର ଆସନ୍ତୁ ।" ଏହାପରେ ଘର ଲୋକ ସେଠୀ ପହଞ୍ଚି ଦେଖିଲା ବେଳକୁ ନିଜର ଝିଅର ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଯୌତୁକ ପାଇଁ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅନ୍ୟପଟେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏବେ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ଏହି ଘଟଣା ବାବଦରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ତେବେ କେତେଦିନ ଚାଲିବ ସମାଜରେ ଏହି ଯୌତୁକ ନାମକ କଳଙ୍କିତ ପ୍ରଥା । ମାତ୍ର କେଇଟା ଟଙ୍କା ଲୋଭରେ ମଣିଷ ପାଲଟିଯାଉଛି ରାକ୍ଷସ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ କେତେ ଚେତିବ ମଣିଷ ? ଆଉ କେବେ ଶକ୍ତିମୟୀଙ୍କ ପରି ଶହ ଶହ ମହିଳାଙ୍କୁ ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.