ETV Bharat / state

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅଭ୍ୟାସ ଆଖଡ଼ା

author img

By ETV Bharat Odisha Team

Published : Jan 2, 2024, 10:16 PM IST

World famous Baragarh Dhanu Yatra
World famous Baragarh Dhanu Yatra

World famous Baragarh Dhanu Yatra: ଆସନ୍ତା ଜାନୁଆରୀ ୧୫ରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଏହା ପୂର୍ବରୁ ଆରମ୍ଭ ହେଲା ଅଭ୍ୟାସ ଆଖଡ଼ା । ଅଧିକ ପଢନ୍ତୁ

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅଭ୍ୟାସ ଆଖଡ଼ା

ବରଗଡ଼: ଆସନ୍ତା ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡର ୭୬ତମ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା । ଜାନୁୟାରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଖୋଲା ମଞ୍ଚରେ ଅଭିନୀତ ହେବ ପୌରାଣିକ କଥା ବସ୍ତୁ ଉପରେ ଆଧାରିତ ଧନୁଯାତ୍ରାର ଭିନ୍ନ ଭିନ୍ନ ଦୃଶ୍ୟ । ପୌରାଣିକ କଥା ବସ୍ତୁଉପରେ ଆଧାରିତ ଏହି ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଆରମ୍ଭ ହୋଇଯାଇଛି ଅଭ୍ୟାଶ ଆଖଡା ଶାଳା ।

ଧନୁଯାତ୍ରା ମହୋତ୍ସବ କଳାକାର ଉପଦେଷ୍ଟା କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ସ୍ଥାନୀୟ କଲ୍ୟାଣ ମଣ୍ଡ ଠାରେ ଏହି ଆଖଡା ଶାଳାର ଶୁଭାରମ୍ଭ କରିଛନ୍ତି । କଳାକାର ଉପଦେଷ୍ଟା କମିଟିର ସହ ଆବାହକ ଅଶୋକ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଉଗ୍ରସେନ, କଂସଙ୍କଠାରୁ ଆରମ୍ଭ କରି ବିଭିନ୍ନ ଚରିତ୍ରର କଳାକାରମାନେ ନାଟକର ଅଭ୍ୟାସ ଆରମ୍ଭ କରିଥିଲେ । ଏହି ଆଖଡା ସାଲରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ବର ଶତପଥୀଙ୍କ ସମେତ କଳାକାର ଉପଦେଷ୍ଟା କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ- ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ପୁଣି ଫେରିବ ଦ୍ବାପରଯୁଗର କୃଷ୍ଣଲୀଳା

ବାଗଦେବୀ ମା' ସରସ୍ଵତୀ ଦେବୀଙ୍କ ଫଟୋରେ ମାଲ୍ୟାର୍ପଣ ଓ ପୂଜା କଲାପରେ ଆଖଡା ସାଲରେ ଆଭ୍ୟାସ ଆରମ୍ଭ କରାଯାଇଥିଲା । ମହାରାଜା କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନଙ୍କ ସମେତ ସମସ୍ତ କଳାକାରମାନେ ଏବର୍ଷ ଆହୁରି ଅଧିକ ଭଲ ଅଭିନୟ ପ୍ରଦର୍ଶନ କରିବା ପାଇଁ ନିଜର ଅଭ୍ୟାସ ଜାରି ରଖିଛନ୍ତି । ଆଉ କିଛିଦିନ ପରେ ବରଗଡଠାରେ ଆରମ୍ଭ ହେବ ବିଶ୍ଵ ବିଖ୍ୟାତ ଧନୁଯାତ୍ରା । ବିରାଟ ଖୋଲା ରଙ୍ଗମଞ୍ଚରେ ଦୃଶ୍ୟ ପରେ ଦୃଶ୍ୟ ଅଭିନୀତ ହେବ ପୌରାଣିକ କଥା ବସ୍ତୁର ନାଟକ । ଏହି ନାଟକକୁ ଜୀବନ୍ତ କରିବା ପାଇଁ ଉଚ୍ଚକୋଟୀର ଅଭିନୟ ଆବଶ୍ୟକ । ଏଥିପାଇଁ ଧନୁଯାତ୍ରା ଆରମ୍ଭର ବହୁଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଅଭ୍ୟାସ ଆଖଡା ।

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଗତବର୍ଷ ବିଶ୍ଵ ଦରବାରରେ କଂସ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କ ସହିତ ସମସ୍ତ ମନ୍ତ୍ରୀ, ମହାମନ୍ତ୍ରୀ, ପରିଷଦ ବର୍ଗଙ୍କୁ ନେଇ ଆରମ୍ଭ ହୋଇଛି ଆଖଡା । ନାଟ୍ୟଗୁରୁ ଅଶୋକ ବେହେରାଙ୍କ ନିର୍ଦ୍ଦେଶନା କ୍ରମେ ସମସ୍ତ କଳାକାର ନିଜ ନିଜର ଅଭିନୟର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଦର୍ଶକଙ୍କୁ ନୂଆ କିଛି ସଂଳାପ ଓ ଅଟ୍ଟହାସ୍ୟର ପ୍ରଦର୍ଶନ କରାଇବା ପାଇଁ ନୂତନ ପ୍ରୟାସ ଚଳାଇଛନ୍ତି ନିର୍ଦ୍ଦେଶକ ଅଶୋକ । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହେଲେ ସୁଦ୍ଧା ପାର୍ଶ୍ଵ କଳାକାରମାନଙ୍କ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ।

ଏହା ବି ପଢନ୍ତୁ-ଜାନୁଆରୀ 15ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, ସ୍ଥାପନ ହେଲା ଶୁଭସ୍ତମ୍ଭ

ସେମାନଙ୍କ ବିନା ଧନୁଯାତ୍ରାର ନାଟକ ଅସମ୍ପୂର୍ଣ୍ଣ । କଂସଙ୍କ ସହିତ ମନ୍ତ୍ରୀ, ମହାମନ୍ତ୍ରୀ, ମନ୍ତ୍ରୀ ପରିଷଦ ବର୍ଗଙ୍କ ସହିତ ବହୁ କଳାକାରଙ୍କୁ ନେଇ ୧୧ ଦିନ ଧରି ଖୋଲା ରଙ୍ଗମଞ୍ଚରେ ଅଭିନୀତ ହୋଇଥାଏ ଏହି ଧନୁଯାତ୍ରା । ଆଉ କିଛିଦିନ ପରେ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଳି ହେବ ଗୋପପୁର । ଏହି ଖୋଲା ରଙ୍ଗମଞ୍ଚରେ ସମସ୍ତ ବରଗଡବାସୀ ପାଲଟି ଯିବେ ଜଣେ ଜଣେ କଳାକାର ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.