ETV Bharat / state

ଅମଲାଙ୍କ ଆନ୍ଦୋଳନରେ ହଇରାଣ ସାଧାରଣ ଲୋକେ, ଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି

author img

By

Published : Jun 17, 2023, 1:58 PM IST

bureaucrats protest
bureaucrats protest

ଗ୍ରେଡ ପେ’ 4200 ଟଙ୍କା ପ୍ରଦାନ ଦାବିରେ ରାଜ୍ୟବ୍ୟାପୀ ମିଳିତ ଅମଲା ମଞ୍ଚର ଆନ୍ଦୋଳନ 16 ଦିନରେ ପହଞ୍ଚିଛି । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଅଧିକ ପଢନ୍ତୁ

bureaucrats protest

ବରଗଡ: ଗ୍ରେଡ ପେ’ 4200 ଟଙ୍କା ପ୍ରଦାନ ଦାବିରେ ରାଜ୍ୟବ୍ୟାପୀ ମିଳିତ ଅମଲା ମଞ୍ଚର ଆନ୍ଦୋଳନ 16 ଦିନରେ ପହଞ୍ଚିଛି । ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ଏହି ଆନ୍ଦୋଳନ କାରଣରୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାମ ଠପ ହୋଇପଡିଛି । ଯାହା ଫଳରେ ଲୋକେ ହଇରାଣର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଅମଲା ମିଳିତ ମଞ୍ଚର ଦାବିକୁ ମାନିବାକୁ ସରକାର ନାରାଜ ଥିବାବେଳେ ଅମଲା ମିଳିତ ମଞ୍ଚ ମଧ୍ୟ ନିଜର ଜିଦରେ ଅଡି ବସିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିଛନ୍ତି ।

ଅମଲା ମିଳିତ ମଞ୍ଚର ଦାବି ଅନୁଯାୟୀ, ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨୦୦ ଗ୍ରେଡ୍‌ ପେ’ ଲାଗୁ କରାଯାଉ । ଏହି ଦାବି ପୂରଣ ନେଇ ଅମଲାମାନେ ପୂର୍ବରୁ ଅନେକ ଥର ସ୍ମାରକପତ୍ର ପ୍ରଦାନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ, କଳାବ୍ୟାଚ ପରିଧାନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ଅମଲାମାନଙ୍କ ଏହି ଦାବି ପୂରଣ କରି ନଥିଲେ । ଫଳରେ ପୂର୍ବ ନିଷ୍ପତ୍ତି କ୍ରମେ ଗତ 1 ଜୁନ ଠାରୁ ଅମଲାମାନେ ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅଛନ୍ତି । ଯାହାକୁ ନେଇ ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଜିଲ୍ଲାର ମିଳିତ ଅମଲା ମଞ୍ଚ ନେତୃତ୍ୱରେ ଅମଲାମାନେ ସମୂହ ଛୁଟିରେ ଥିବା ବେଳେ ନିଜ କାର୍ଯ୍ୟାଳୟ ଯିବା ବଦଳରେ ଦାବି ପୂରଣ ପାଇଁ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅନ୍ୟପଟେ ଅମଲାମାନେ କାର୍ଯ୍ୟରେ ଯୋଗ ଦେଇ ନଥିବାରୁ ରାଜସ୍ବ, ସ୍ବାସ୍ଥ୍ୟ, ଶିକ୍ଷା, ଟ୍ରେଜେରୀ, ରେଜିଷ୍ଟ୍ରି ଆଦି ବିଭାଗର ଅଫିସଗୁଡ଼ିକର ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଇଛି । ତେବେ ୪୨୦୦ ଗ୍ରେଡ୍‌ ପେ’ ଦାବି ପୂରଣ ନେଇ ରାଜ୍ୟ ସରକାର ଠୋସ୍‌ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଅମଲାମାନେ ଚେତାବନୀ ଦେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ସହିତ ଅମଲା ମିଳିତ ମଞ୍ଚର ବୈଠକରେ ସରକାର ରାଜ୍ୟର ଆର୍ଥିକ ମେରୁଦଣ୍ଡ ଠିକ ନ ଥିବା କହି ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଥିଲେ ଏବଂ ଏହି ବୈଠକରେ କୌଣସି ନିଷ୍କର୍ଷ ବାହାରିନଥିଲା । ତେଣୁ ଏହି ବୈଠକ ପରେ ମଧ୍ୟ ଅମଲା ମିଳିତ ମଞ୍ଚ ନିଜର ଆନ୍ଦୋଳନ ଜାରି ରଖିଛି ।

ସେପଟେ ନେତା ଓ ମନ୍ତ୍ରୀଙ୍କ ଦରମା 3 ଲକ୍ଷକୁ ବୃଦ୍ଧି ସହିତ ପେନସର ବ୍ୟବସ୍ଥା ରହିଥିବା ବେଳେ ରାଜ୍ୟର ଆର୍ଥିକ ମେରୁଦଣ୍ଡ କିପରି ଦେଖାଗଲା ନାହିଁ ଏବଂ ରାଜ୍ୟ ସରକାର ଏପରି ହୀନା ରାଜନୀତି ନ କରି ଶୀଘ୍ର କୌଣସି ନିଷ୍କର୍ଷ ବାହାର କରନ୍ତୁ ବୋଲି ବରଗଡର ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି । ତେବେ ବୁଦ୍ଧିଜୀବୀ ମହଲରେ ରାଜ୍ୟ ସରକାରଙ୍କ ଏପରି ଅବହେଳା ନିଷ୍ପତ୍ତିକୁ ନିନ୍ଦା କରାଯିବା ସହିତ ଶୀଘ୍ର ଏହି ସମସ୍ୟାର ସମାଧାନ କରନ୍ତୁ ନଚେତ ଲୋକେ ଜାଗିଲେ ହୁଏତ ଏହାର ପରିଣାମ ସରକାରଙ୍କୁ ଭୋଗିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.