ETV Bharat / state

ଆସିଲାନି ଜନନୀ ଏକ୍ସପ୍ରେସ; ଟ୍ରଲିରେ ପ୍ରସବ କଲେ ମହିଳା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

author img

By ETV Bharat Odisha Team

Published : Sep 4, 2023, 12:01 PM IST

Updated : Sep 4, 2023, 3:53 PM IST

ବାଲେଶ୍ବରରେ ଫେଲ ମାରିଲା ସରକାରଙ୍କ ଜନନୀ ସୁରକ୍ଷା ଯୋଜନା । ଜନନୀ ଏକ୍ସପ୍ରେସ ନପହଞ୍ଚିବାରୁ ଟ୍ରଲିରେ ପ୍ରସବ କଲେ ମହିଳା । ଅଧିକ ପଢନ୍ତୁ

pregnant woman gives birth baby on trolly
pregnant woman gives birth baby on trolly

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
pregnant woman gives birth baby on trolly

ବାଲେଶ୍ବର: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ଫେଲ ମାରିଲା ସରକାରଙ୍କ ଜନନୀ ସୁରକ୍ଷା ଯୋଜନା । ଠିକ ସମୟରେ ଜନନୀ ଏକ୍ସପ୍ରେସ ନପହଞ୍ଚିବାରୁ ଟ୍ରଲିରେ ପ୍ରବସ କଲେ ମହିଳା । ସ୍ବାସ୍ଥ୍ୟ ସେବାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ ଡାହିସାହି ଗ୍ରାମରେ । ପ୍ରସବ କରିଥିବା ମହିଳା ଜଣଙ୍କ ହେଉଛନ୍ତି ରଞ୍ଜିତା ଗୋଚ୍ଛାୟତ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଡାହିସାହି ଗ୍ରାମର ହେମନ୍ତ କୁଅଁରଙ୍କ ସ୍ତ୍ରୀ ରଞ୍ଜିତା ଗୋଚ୍ଛାୟତ । ସେ ଗର୍ଭବତୀ ଥିବା ବେଳେ ରାକ୍ଷୀ ପୂର୍ଣ୍ଣିମାରେ ବାପାଘର ନୀଳଗିରି ଏନ୍‌ଏସି ୮ ନଂ ୱାର୍ଡର ରାଣୀକୋଠି ଗ୍ରାମକୁ ଯାଇଥିଲେ । ରବିବାର ରାତିରେ ରଞ୍ଜିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ୍‌ କରିଥିଲେ । ମାତ୍ର ଉଚିତ ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ନହେବାରୁ ପରିବାର ଲୋକେ ରଞ୍ଜିତାଙ୍କୁ ଏକ ଟ୍ରଲିରେ ମେଡିକାଲ ନେଇଥିଲେ । କିନ୍ତୁ ମେଡିକାଲ ପହଞ୍ଚିବା ପୂର୍ବରୁ ରଞ୍ଜିତା ଟ୍ରଲିରେ ପ୍ରସବ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଖୋଲିଲାନି ପ୍ରସୂତି କକ୍ଷ, ହ୍ବିଲଚେୟାରରେ ପ୍ରସବ କଲେ ଗର୍ଭବତୀ

ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନବଜାତ ଶିଶୁ ଓ ମାଆର ମେଡିକାଲରେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଥିବା ଜଣାପଡିଛି । ତେବେ ପ୍ରସୁତି ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସରାକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ରଞ୍ଜିତାଙ୍କ କ୍ଷେତ୍ରରେ ଫେଲ ମାରିଛି । ଆମ୍ବୁଲାନ୍ସ ଠିକ୍‌ ସମୟରେ ନପହଞ୍ଚିବାରୁ ଜନନୀ ସୁରକ୍ଷା ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବା ଏବଂ ଆମ୍ବୁଲାନ୍ସ ନ ଆସିବା ଭଳି ପରିସ୍ଥିତି ଆଗାମୀ ଦିନରେ ଯେମିତି ଦେଖିବାକୁ ନମିଳିବ ସେନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଉପାନ୍ତ ଅଞ୍ଚଳଗୁଡିକରେ ଏପରି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଏବେ ବାଲେଶ୍ବର ଜିଲ୍ଲାରେ ଏମିତି ଘଟଣା ଘଟିବା ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ଜାନୁଆରୀ ମାସରେ ଢେଙ୍କାନାଳ ଜିଲ୍ଲାରେ ହ୍ୱିଲ୍‌ ଚେୟାରରେ ଜଣେ ଗର୍ଭବତୀ ମହିଳା ପ୍ରସବ କରିଥିବା ଖବର ସାମ୍ନାକୁ ଆସିଥିଲା । ହସ୍ପିଟାଲର ପ୍ରସୂତି କକ୍ଷ ନଖୋଲିବାରୁ ଡାକ୍ତରଖାନା ବାରଣ୍ଡାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ହ୍ୱିଲ୍‌ଚେୟାରରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ ମହିଳା । ଢେଙ୍କାନଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ।

ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ:- ନୀଳଗିରି ବ୍ଲକ ସଜନାଗଡ଼ ଡାହିସାହି ଅଞ୍ଚଳର ଜଣେ ମହିଳା ଟ୍ରଲିରେ ପ୍ରସବ ଘଟଣାରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ଜିଲ୍ଲାପାଳ ଗୁରୁତର ସହ ନେଇଥିବା ସହ ଆବଶ୍ୟକ ପଡ଼ିଲେ ଉକ୍ତ ଅଞ୍ଚଳରେ ଏକ ଆମ୍ବୁଲାନ୍ସ ନିୟୋଜିତ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ନୀଳଗିରି ଏବଂ ବ୍ରହ୍ମପୁରରୁ ଆମ୍ବୁଲାନ୍ସ ସଜନାଗଡ଼ ଆସିବା ପାଇଁ ପ୍ରାୟ ଅଧଘଣ୍ଟା ସମୟ ଲାଗୁଥିବା ବେଳେ ଅନେକ ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ରହିପାରୁନି। ଯେଉଁଥିପାଇଁ ରୋଗୀମାନେ ବାଧ୍ୟ ହୋଇ କିଏ ଖଟିଆରେ ତ କିଏ ଟ୍ରଲିରେ ବୁହା ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ଆଖି ଆଗରେ ରଖି ସଜନାଗଡ଼ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଏକ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଆସିବା ପରେ ହିଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated :Sep 4, 2023, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.